ଜୀବନ-ସତ୍ୟର ଆତ୍ମିକ ଅର୍ଥମୟତା ମୋର କାବ୍ୟଭୂମି : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡକ୍ଟର ଗାୟତ୍ରୀବାଳା ପଣ୍ଡା

ଡକ୍ଟର ଗାୟତ୍ରୀବାଳା ପଣ୍ଡା। ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଏକ ସ୍ପର୍ଦ୍ଧିତ ସ୍ୱର। କବିତା, ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭ ଲେଖୁଥିବା ଗାୟତ୍ରୀବାଳା ଜୀବନର କବି, ମାନବବାଦର ସ୍ୱରକାର। ବିଶେଷକରି ଗାଁ ମାଟି ଆଉ ତୃଣମୂଳସ୍ତରର ମଣିଷଙ୍କ ଜିଜୀବିଷାକୁ ସେ ନିଜସ୍ୱ କଥା-କବିତାରେ ବେଶ୍ ମନୋଜ୍ଞ ଭାବେ ଫୁଟାଇ ଚାଲିଛନ୍ତି। କେବଳ କବିତା କି କାହାଣୀ ନୁହେଁ, ନିଜର ଗାମ୍ଭୀର୍ଯ୍ୟମୟ ପ୍ରବନ୍ଧ ମାଧ୍ୟମରେ ସାମାଜିକ ଅବ୍ୟବସ୍ଥାକୁ ସଜାଡ଼ିବାକୁ ଶତତ ତତ୍ପର ଗାୟତ୍ରୀବାଳାଙ୍କ ସାଧନାର ଫଳଶ୍ରୁତି ଭାବେ କବିତା ସଂକଳନ ‘ଦୟାନଦୀ’ ପାଇଁ ୨୦୨୨ ମସିହା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀର ଉଭୟ ଯୁବ ଓ ମୁଖ୍ୟ ପୁରସ୍କାର ପାଇବାରେ ସେ ପ୍ରଥମ ଓ ଏକମାତ୍ର ଭାରତୀୟ ଲେଖକ। ଏଯାବତ୍ ତାଙ୍କର ଅଠେଇଶଟି ପୁସ୍ତକ ପ୍ରକାଶ ପାଇଛି। ସେଥିମଧ୍ୟରେ କୋଡ଼ିଏଟି କବିତା ସଂକଳନ, ତିନୋଟି ଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ଅନ୍ୟତମ। ତାଙ୍କୁ ମିଳିଥିବା ପୁରସ୍କାର ଓ ସମ୍ମାନ ମଧ୍ୟରେ ରହିଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର ଓ ଟାଇମ୍ସ୍ ପାୱାର ୱିମେନ୍ ଭଳି ଜାତୀୟ ତଥା ରାଜ୍ୟସ୍ତରରେ ଅଠେଇଶରୁ ଅଧିକ ସମ୍ମାନ। ପ୍ରଥମ ଓଡ଼ିଆ ଲେଖକ ହିସାବରେ ‘ରାଇଟର୍ସ-ଇନ୍-ରେସିଡେନ୍ସ’ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅତିଥି ଭାବରେ ରାଷ୍ଟ୍ରପତି ଭବନରେ ସେ ୧୭ ଦିନ ଅବସ୍ଥାନ କରିଥିଲେ।
ପରିବର୍ତ୍ତିତ ରାଜନୀତିକ, ଆର୍ଥିକ ଆଉ ସାମାଜିକ ସ୍ଥିତିରେ ସମକାଳୀନ ମଣିଷର ଅବସ୍ଥା ଓ ସମ୍ପୃକ୍ତି ତାଙ୍କ କଥାର ନିର୍ଯାସ। ଯାବତୀୟ ପ୍ରତିକୂଳ ପରିସ୍ଥିତିରେ ମାନବିକ ସହାବସ୍ଥାନ ଲାଗି ତାଙ୍କ କଥା, କାହାଣୀ ଓ ଉପନ୍ୟାସ ଗୋଟେ ଗୋଟେ ସମୁଜ୍ଜ୍ୱଳ ସର୍ଜନା। ସଂକ୍ଷିପ୍ତ, ସହଜ ଓ ସମ୍ୱେଦନଶୀଳ ଶବ୍ଦ ସଂଯୋଜନାରେ ସାମାଜିକ କ୍ରୂର ବାସ୍ତବତାକୁ ରୂପ ଦେବା ସହ ନାରୀ ଚେତନାର ବିଭିନ୍ନ ଅଭାବନୀୟ ଦିଗଗୁଡ଼ିକ ତାଙ୍କ କବିତାରେ ବିନ୍ୟାସର ଛନ୍ଦରେ, ପ୍ରତୀକ ଓ ଚିତ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରତିଭାତ ହେବାର ଲକ୍ଷ୍ୟ କରିହୁଏ। ମୌଳିକ ଓ ପ୍ରଭାବଶାଳୀ ଚିତ୍ରକଳ୍ପ ପ୍ରୟୋଗ, ସଫଳ ଶବ୍ଦ ସଂଯୋଜନା, ଅକପଟ ସତ୍ୟର ବୟାନ, ଇତିହାସର ତଥ୍ୟ ଓ ତତ୍ତ୍ୱକୁ କାବ୍ୟିକତାର ସ୍ତରକୁ ଉନ୍ନୀତ କରିବା ତାଙ୍କ କବିତାର ଅଭିନବତ୍ୱ। ମଣିଷ ଜୀବନର ଗଭୀର ଜୀବନାନୁଭୂତି, କାରୁଣ୍ୟ, ସଂବେଦନଶୀଳତା ଓ ଶିଶୁ ମନସ୍ତତ୍ତ୍ୱ ହିଁ ତାଙ୍କର ଗଳ୍ପ ଓ ଉପନ୍ୟାସର ମୁଖ୍ୟ ସ୍ୱର। ସବୁ ଅସମ୍ପୂର୍ଣ୍ଣତା, ଅବ୍ୟବସ୍ଥା ଓ ଅସୁନ୍ଦରପଣ ଭିତରେ ଜୀବନର ବାସ୍ତବତା ଓ ଚରମ ସତ୍ୟତାକୁ ବାଟ କଢ଼େଇ ନଉଥିବା ଏହି ଲେଖିକା ତୀବ୍ର ଭାବରେ ଜୀବନବାଦୀ। ତାଙ୍କ ଉକ୍ତିରେ ଜୀବନ-ସତ୍ୟର ଆତ୍ମିକ ଅର୍ଥମୟତା ହିଁ ମୋର କାବ୍ୟଭୂମି। ଜଗତସିଂହପୁର ଜିଲ୍ଲା ସାଦେଇପୁର ଗ୍ରାମରେ ୧୯୭୭ ମସିହାରେ ଜନ୍ମିତ ଡକ୍ଟର ପଣ୍ଡାଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ ଦୈନିକ ‘ସକାଳ’ ପ୍ରତିନିଧି ଡ. ସୁଶୀଳ କୁମାର ବାଗ୍।
‘ଦୟାନଦୀ’ କବିତା ପୁସ୍ତକ ପାଇଁ ଆପଣ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ଏହି ମର୍ଯ୍ୟାଦାଜନକ ପୁରସ୍କାରପ୍ରାପ୍ତିର ପୁଲକ କିପରି ଥିଲା?
ଏଭଳି ଏକ ସ୍ୱତନ୍ତ୍ର ସ୍ୱୀକୃତିରେ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ତେବେ ଏହି ଖୁସି ସହିତ ମୋର ଦାୟିତ୍ୱବୋଧ ଆହୁରି ବଢ଼଼ିଗଲା ବୋଲି ଭାବୁଛି। ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି କୌଣସି ପୁରସ୍କାରଠାରୁ ଯଦିଓ ଊର୍ଦ୍ଧ୍ବରେ ତଥାପି ଏଭଳି ଏକ ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଏଭଳି ପୁରସ୍କାର ଲେଖକକୁ ଭଲ ଲେଖିବାକୁ ପ୍ରେରଣା ଦିଏ ଓ ତା’ ଭିତରେ ଏକ ଆହ୍ୱାନ ସୃଷ୍ଟି କରେ। ଏହି ଅନ୍ତର୍ନିହିତ ଆହ୍ୱାନ ହିଁ ତାକୁ ଆଗକୁ ବଢ଼଼ିବାରେ ସାହାଯ୍ୟ କରେ।
‘ଦୟାନଦୀ’ ଏକ ଐତିହାସିକ ନଦୀ। ଏ ସମ୍ପର୍କରେ କବିତା ଲେଖିବା ପାଇଁ କେଉଁଠୁ ପ୍ରେରଣା ପାଇଥିଲେ?
ହଂସୁଆ ନଈକୂଳରେ ମୋ ଗାଁ। ନଈ ସହିତ ପିଲାଦିନରୁ ମୋର ଗୋଟେ ଆବେଗିକ ସମ୍ପର୍କ ରହିଆସିଛି। ପିଲାଦିନେ ଇତିହାସ ବହିରେ କଳିଙ୍ଗ ଯୁଦ୍ଧ ବିଷୟରେ ପଢ଼଼ିଲାବେଳଠାରୁ ‘ଦୟାନଦୀ’ ବୋଧହୁଏ ମୋର ଅବଚେତନରେ ରହିଆସିଥିଲା, ଯାହାକି ପରବର୍ତ୍ତୀ ସମୟରେ ମତେ ଦୟାନଦୀକୁ ନେଇ କବିତା ଲେଖିବାକୁ ଉସ୍କେଇଥିଲା।
କଳିଙ୍ଗ ଯୁଦ୍ଧର କରୁଣ କାହାଣୀ ସହିତ ଜଡ଼ିତ ଦୟାନଦୀ। ଏହି ନଦୀର ଇତିହାସ ଓ କିମ୍ୱଦନ୍ତୀ ଆପଣଙ୍କ ସ୍ରଷ୍ଟାପ୍ରାଣକୁ କେତେ ପ୍ରଭାବିତ କରିଛି?
ମୁଁ ଐତିହାସିକ ନୁହେଁ, ଜଣେ ସାଧାରଣ ଲୋକ। ଇତିହାସକୁ ପଢ଼଼଼ିଲାବେଳେ କୌଣସି ପ୍ରମାଣ, ଯୁକ୍ତି ବା ସିଦ୍ଧାନ୍ତ ବଦଳରେ ମତେ ଆନ୍ଦୋଳିତ, ଆଲୋଡ଼ିତ କଲା ଯୁଦ୍ଧର ଭୟାବହତା। ଇତିହାସ ଓ କିମ୍ୱଦନ୍ତୀର ଅର୍ଥମୟତାଠୁ ମତେ ଅଧିକ ଆକ୍ରାନ୍ତ କଲା ମଣିଷର ଅସହାୟତା। ଯାହାର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ। ଇତିହାସରେ ଦୟାନଦୀକୁ ଭେଟିଲା ପରେ ଦୟାନଦୀ ଆଉ ନଈଟିଏ ହୋଇ ନୁହେଁ ବରଂ ରକ୍ତସୁଅ ହୋଇ ବହିବାକୁ ଲାଗିଲା ମୋ ଶିରାପ୍ରଶିରାରେ। ମତେ ଲାଗିଲା ଦୟାନଦୀର ଯେମିତି ଆତ୍ମା ଅଛି। ଇତିହାସଠୁ, କିମ୍ୱଦନ୍ତୀଠୁ ଆହୁରି ସତ ସେ ଆତ୍ମାର ଅର୍ଥମୟତା। ଯେଉଁ ଅର୍ଥମୟତା ଆଜି ବି ପ୍ରତି ଓଡ଼ିଆର ରକ୍ତରେ ରକ୍ତହେଇ ବହୁଛି।
‘ଦୟାନଦୀ’ ପୁସ୍ତକର ପରିଶିଷ୍ଟରେ ‘ଦୟାନଦୀ’…ଶୀର୍ଷକ ଏକ ରୋମାଞ୍ଚକର କବିତା ରହିଛି। ଦୟାନଦୀର ଇତିହାସ, କିମ୍ୱଦନ୍ତୀ, ଅନ୍ତରାତ୍ମା, ଅନ୍ତର୍ଦାହ, ଅସହାୟତା ଏହି କବିତାରେ ପ୍ରତିଫଳିତ। ଅନ୍ୟ କବିତାଗୁଡ଼ିକରେ ଶୀର୍ଷକ ନାହିଁ, ତେବେ ଶେଷ କବିତାକୁ ଶୀର୍ଷକ ଦେଇ ଲେଖିବା ପଛରେ କିଛି କାରଣ ଅଛି କି?
ପିଲାଦିନର ଇତିହାସ ବହିରେ ପ୍ରଥମେ ଦୟାନଦୀ ବିଷୟରେ ପଢ଼଼ିଥିଲି। ସେ ବୟସରେ ଦୟାନଦୀ ମୋର ଆଶ୍ଚର୍ଯ୍ୟର ହେତୁ ସାଜିଥିଲା କେବଳ। ମୁଁ ଭାବୁଥିଲି ଯେ କଳିଙ୍ଗ ଯୁଦ୍ଧ କେତେ ଭୟଙ୍କର ହୋଇଥିବ, ଯାହା ଫଳରେ ନଦୀଟିଏ (ବା ଜଳ ସ୍ରୋତଟିଏ)ରକ୍ତନଦୀରେ ରୂପାନ୍ତରିତ ହୋଇଗଲା! ସେଇ ଭାବନାଟି ବୋଧହୁଏ ମୋର ଅବଚେତନରେ ସୁପ୍ତ ଭାବରେ ରହିଥିଲା। ଯାହା ପରବର୍ତ୍ତୀ ଅବସ୍ଥାରେ କବିତାଟିଏର ରୂପ ନେଇଥିଲା। ପରିଶିଷ୍ଟରେ ଥିବା କବିତାଟି ମୁଁ ପ୍ରଥମେ ୨୦୦୮ରେ ଲେଖିଥିଲି, ଯାହା ୪, ଫେବୃୟାରୀ, ୨୦୦୯ରେ ‘ସମାଜ’ରେ ପ୍ରକାଶିତ ହୋଇଥିଲା। ପାଠକମାନଙ୍କ ପାଖରୁ ଖୁବ୍ ଭଲ ପ୍ରତିକ୍ରିୟା ମିଳିଥିଲା। ଭାରତୀୟ ଜ୍ଞାନପୀଠଙ୍କ ଦ୍ୱାରା ପ୍ରକାଶିତ ‘ନୟା ଜ୍ଞାନୋଦୟ’ ପତ୍ରିକାରେ ହିନ୍ଦୀରେ ଅନୂଦିତ ହୋଇ ଏହା ପ୍ରକାଶ ପାଇଥିଲା। ହିନ୍ଦୀଭାଷୀ ପାଠକ ଓ ବିଭିନ୍ନ ଭାରତୀୟ ଭାଷାର ପାଠକ କବିତାଟିକୁ ପସନ୍ଦ କରିଥିଲେ। ହିନ୍ଦୀ, ଇଂରାଜୀ ବ୍ୟତୀତ କବିତାଟି ଅନ୍ୟ ଭାରତୀୟ ଭାଷାରେ ବି ଅନୂଦିତ ହୋଇଥିଲା। ସେଇ ବର୍ଷମାନଙ୍କରେ ଯଦିଓ ଗପ, କବିତା ଉପନ୍ୟାସ, ପ୍ରବନ୍ଧ ଲେଖୁଥିଲି, ତେବେ ଦୟାନଦୀକୁ ନେଇ ଆଉ କିଛି ବି ଲେଖିନଥିଲି। ମାତ୍ର ୨୦୧୨-୧୩ ବେଳକୁ ଦୟାନଦୀ ପୁଣି ଆସିଲା ମନକୁ, ଘାରିଲା। ଦିନରାତି ମତେ ଆଚ୍ଛନ୍ନ କରି ରଖିଲା। ଗୋଟିଏ ଗୋଟିଏ ହେଇ ୬୦-୭୦ଟି କବିତା ଲେଖିହୋଇଗଲା ବର୍ଷକ ମଧ୍ୟରେ। ଏହି କବିତାଗୁଡ଼ିକରେ ଗୋଟିଏ ପ୍ରକାର ଭାବ ସମ୍ପ୍ରସାରିତ। ମାତ୍ର ପରିଶିଷ୍ଟରେ ଥିବା କବିତାଟି ସମସ୍ତ କବିତାର ମଞ୍ଜ ବୋଲି ଧରିନିଆଯାଇପାରେ।
ଆପଣଙ୍କ କବିତାରେ ନାରୀ ମନସ୍ତତ୍ତ୍ୱ ବା ନାରୀ ଚେତନା ଶକ୍ତିଶାଳୀ ଭାବରେ ପ୍ରତିଫଳିତ। ଆପଣ ଜଣେ ନାରୀ କବି ବୋଲି କ’ଣ କବିତାରେ ନାରୀକୁ ଅଧିକ ଗୁରୁତ୍ୱ ଦିଅନ୍ତି?
କବିତା ଲେଖିଲାବେଳେ ମୁଁ ନିଜକୁ ନାରୀ ବା ପୁରୁଷ ଭାବି କବିତା ଲେଖେନି। ଯେତେବେଳେ ମତେ ଯେଉଁ ଭାବ ଯେପରି, ଯେଉଁ ମାତ୍ରାରେ ଆଚ୍ଛନ୍ନ କରେ କବିତା ଛାଏଁ ଉତୁରି ଆସେ ସ୍ୱତଃସ୍ଫୂର୍ତ୍ତ ଭାବରେ। ହୁଏତ ନାରୀଟିଏ ହୋଇଥିବାରୁ ନାରୀର ଯନ୍ତ୍ରଣାକୁ ବେଶୀ ବୁଝିପାରେ। ମାତ୍ର ଲେଖିଲାବେଳେ ମୁଁ କବି-ମଣିଷଟିଏ। ହଁ, ଏୟା ହୋଇପାରେ ଯେ ନିଜେ ଜଣେ ନାରୀ ହୋଇଥିବାରୁ ନାରୀର ହର୍ଷ, ବିଷାଦ, ଯନ୍ତ୍ରଣା, ଦୁର୍ଦ୍ଦଶା କିଛି ଅଧିକ ଜୀବନ୍ତ ଭାବରେ ମୋ କବିତାରେ ଆସିଛି। ଯେଉଁଠି ନାରୀଟିଏ ଅପମାନିତା / ଅତ୍ୟାଚାରିତା / ନିର୍ଯାତିତା / ଲୁଣ୍ଠିତା / ଧର୍ଷିତା ହୋଇଛି ସେଠାରେ ସବୁବେଳେ ମୁଁ କେଜାଣି କାହିଁକି ଦୁଃଖରେ ଆକ୍ରାନ୍ତ ହୋଇଛି, କ୍ଷୋଭରେ ଫାଟିପଡ଼ିଛି, କ୍ରୋଧରେ ଜଳିଛି। ସେଇ ଦୁଃଖ, କ୍ଷୋଭ, କ୍ରୋଧରୁ ଉତୁରି ଆସିଥିବା କବିତା ହୁଏତ ମୋର ଅନ୍ୟ କବିତାମାନଙ୍କ ତୁଳନାରେ ଅଧିକ ଚର୍ଚ୍ଚିତ ହୋଇଛି।
ଆପଣଙ୍କ କେତେକ କବିତାରେ ‘ଚିତ୍ରକଳ୍ପ’ର ବ୍ୟବହାର ହୋଇଛି। ଆପଣ ସଚେତନ ଭାବେ କବିତାରେ ଚିତ୍ରକଳ୍ପର ପ୍ରୟୋଗ କରନ୍ତି କି?
ଆୟୋଜନ କରି ମୁଁ କବିତା ଲେଖେନି। କୌଣସି ନିର୍ଦ୍ଦିଷ୍ଟ ଓ ନିର୍ଦ୍ଧାରିତ ଛାଞ୍ଚରେ କବିତାକୁ ଗଢ଼ିବାକୁ ଚାହେଁନି। ଯେତେବେଳେ ଯାହା ଯେମିତି ମନକୁ ଆନ୍ଦୋଳିତ କରିଛି, ଆଚ୍ଛନ୍ନ କରିଛି, ସେମିତି ଉତୁରି ଆସିଛି କାଗଜ ଉପରେ। କେବେ ବି ଯୋଜନା ବନେଇ ବା ଆଗରୁ ସ୍ଥିର କରି କବିତା ଲେଖିନାହିଁ। ଯେଉଁ ଭାବକୁ କବିତା ପ୍ରକଟ କରିବାକୁ ଚାହିଁଛି, ତା’କୁ କେବଳ ଗୋଟିଏ ସମର୍ଥ କାବ୍ୟଭାଷା, ଉପଯୁକ୍ତ ଶୈଳୀ ଦବାର ଚେଷ୍ଟା ଅବଶ୍ୟ କରିଛି। କବିତା ଲେଖିଲାବେଳେ ଭାବ ପରିପ୍ରକାଶର ଆବଶ୍ୟକତାକୁ ନେଇ ଚିତ୍ରକଳ୍ପ ଆସିଯାଇଥାଏ, ମାତ୍ର ସଚେତନ ଭାବରେ ମୁଁ ଏହାକୁ ପ୍ରୟୋଗ କରିବାକୁ ଚେଷ୍ଟା କରିନାହିଁ। କବିତା ନିଜେ ଯେମିତି ଗଢ଼ି ହେଇଛି, ତାକୁ ଇ ଅବଧାରିତ ବୋଲି ମାନିନବାକୁ ହେଇଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାପ୍ରାପ୍ତ ‘ଗାଁ’ ଆପଣଙ୍କ ଏକ ଚମତ୍କାର କବିତା ସଂକଳନ। ଏହି ପୁସ୍ତକରେ ସଂକଳିତ କବିତାଗୁଡ଼ିକରେ ଗାଁର ବାସ୍ତବ ବର୍ଣ୍ଣନା ଅତ୍ୟନ୍ତ ମାର୍ମିକ। ଗାଁ ପ୍ରତି ଏଇ ଅନନ୍ୟ ଆକର୍ଷଣ କେବେଠାରୁ ରହିଛି?
‘ଗାଁ’ କବିତା ସଂକଳନଟି ସହିତ ମୋର ଗଭୀର ଆତ୍ମ-ସମ୍ପୃକ୍ତି ରହିଛି। ଏଥିରେ ଥିବା ଚରିତ୍ରମାନେ ମିଛ ବା କଳ୍ପନାର ଚରିତ୍ର ନୁହନ୍ତି, ଅନେକ ଚରିତ୍ର ବାସ୍ତବ। ସେମାନେ ମତେ ଖୁବ୍ ପ୍ରଭାବିତ କରିଛନ୍ତି। ଗାଁ ପ୍ରତି ଆକର୍ଷଣ ମୋର ପିଲାଦିନରୁ ରହିଛି। ସହରରେ ରହି ପାଠ ପଢ଼଼଼ୁଥିଲେ ବି ମୋର ପିଲାଦିନେ ପ୍ରତ୍ୟେକ ଛୁଟିରେ ମୁଁ ଗାଁକୁ ଯାଉଥିଲି। ମୋ ଗାଁ ମୋର ଅତି ପ୍ରିୟ ସ୍ଥାନ ଥିଲା। ଗାଁରେ ରହୁଥିବା ଲୋକଙ୍କ ସ୍ନେହ, ଆଦର, ନିଷ୍କପଟତା, ସରଳ ବିଶ୍ୱାସ ମତେ ଖୁବ୍ ପ୍ରଭାବିତ ଓ ଆଚ୍ଛନ୍ନ କରି ରଖୁଥିଲା। ଗାଁର ପରମ୍ପରା, ଚଳଣି, ପର୍ବପର୍ବାଣି, ଧାନ କ୍ଷେତ, ପୋଖରୀ ତୁଠ, ମନ୍ଦିର ବେଢ଼଼।।, ଦୋଳମେଳଣ ସବୁ ମତେ ଆକର୍ଷିତ ଓ ମୋହାବିଷ୍ଟ କରି ରଖୁଥିଲା। ଯେତେ ବଡ଼ ହେଉଥିଲି ସମୟ ଅନୁସାରେ ଗାଁର ଚିତ୍ରପଟରେ ବି କିଛି ପରିବର୍ତ୍ତନ ହେଉଥିଲା। ମୁଁ ମୋର ପିଲାଦିନର ଗାଁକୁ ଖୋଜୁଥିଲି। ଏଭଳି ମୋହ, ମୋହଭଙ୍ଗ ଭିତରେ ମୋ ଭିତରୁ ସ୍ୱତଃସ୍ଫୂର୍ତ୍ତ ଝରିଆସିଥିଲା କିଛି କବିତା-ଗାଁକୁ ନେଇ। ମୋ ପିଲାଦିନର ଗାଁ, ତା’ର ସରଳ ପରିବେଶ, ଲୋକମାନଙ୍କ ନିରୀହତା ଓ ନିଷ୍କପଟତା, ପୁଣି ସମୟକ୍ରମେ ବଦଳି ଯାଉଥିବା ଗାଁ- ଉଭୟ ମତେ ଆନ୍ଦୋଳିତ କରିଛନ୍ତି। ମୋହ, ମୋହଭଙ୍ଗ ଭିତରେ ମୁଁ କେଜାଣି କେତେ ଭିନ୍ନ ବାଗରେ ମୋ ଗାଁକୁ ଖୋଜିଛି, ପାଇଛି, ପୁଣି ହରେଇଛି। ତେଣୁ କେବଳ ରୋମାଣ୍ଟିକ୍ ଭାବପ୍ରବଣତା ଭିତରେ ମୋ ଗାଁ ସୀମିତ ରହିଯାଇନି। ମୋ ହୃଦୟର ସ୍ପନ୍ଦନ ପାଲଟିଯାଇଛି।
କବିତା ଭଳି ଆପଣଙ୍କ ଗପ ଓ ଉପନ୍ୟାସ ମଧ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଗପଟିଏ ବା ଉପନ୍ୟାସଟିଏ ଲେଖିବାବେଳେ ମାନସିକ ସ୍ତରରେ କିଭଳି କାନ୍ଭାସ୍ ପ୍ରସ୍ତୁତ କରନ୍ତି?
ଗପ ଓ ଉପନ୍ୟାସ ପାଇଁ ଭିନ୍ନ ଭିନ୍ନ ମାନସିକ ପ୍ରସ୍ତୁତି ଲୋଡ଼ା। ଗପଟିଏ ଆରମ୍ଭ କରିବା ପୂର୍ବରୁ ହଠାତ୍ ଧାଡ଼ିଏ, ଦୁଇଧାଡ଼ି ବା ଗୋଟିଏ ପାରାଗ୍ରାଫ୍ ଲେଖିହୋଇଯାଏ। ମତେ ଲାଗେ କିଏ ଜଣେ ଯେମିତି ମୋ ଭିତରୁ ଡାକିଦଉଛି। ମୁଁ ପ୍ରାୟ ଗପ ଗୋଟିଏ ସିଟିଂରେ ସାରେ। ବୋଧହୁଏ ସେ କାହାଣୀର ପ୍ଲଟ୍ ବା କୌଣସି ଚରିତ୍ର ମୋ ଅବଚେତନରେ ଥାଏ ବା ହଠାତ୍ କୌଣସି ଘଟଣା ବା ଦୃଶ୍ୟ ବା ପରିସ୍ଥିତି ମତେ ଅସ୍ଥିର, ଆକ୍ରାନ୍ତ, ଉଦ୍ବେଳିତ, ବ୍ୟସ୍ତବିବ୍ରତ କରିଚାଲେ ଓ ମୁଁ ଲେଖିଥାଏ। ଯଦି ଗୋଟିଏ ସିଟିଂରେ ଗପଟି ସରିନପାରେ, ତେବେ ଗପଟି ସେମିତି ପଡ଼ିରହିଯାଏ। ମାତ୍ର ଉପନ୍ୟାସ ଲେଖିବା ପାଇଁ କାହାଣୀଟିଏ ବା ଚରିତ୍ରଟିଏ ମନ ଭିତରେ ଲଗାତାର ଆକାର ନେଉଥାଏ। ତା’କୁ ଅପ୍ରତିହତ ଭାବରେ ଗତିଶୀଳ କରିବାକୁ ଯୋଜନା, ମାନସିକ ପ୍ରସ୍ତୁତି ଓ ରିସର୍ଚ୍ଚର ଲୋଡ଼ା ପଡ଼େ।
ଆପଣଙ୍କ ସମ୍ପାଦନାରେ ପ୍ରକାଶିତ ‘ଅନ୍ୟା’ ଏକଦା ଓଡ଼ିଆ ପତ୍ରିକା ପ୍ରକାଶନ ଜଗତରେ ଚହଳ ସୃଷ୍ଟି କରିଥିଲା। କେଉଁ ଆଭିମୁଖ୍ୟ ନେଇ ଏହି ପତ୍ରିକା ସମ୍ପାଦନା କରୁଥିଲେ? ନିଜ ଲକ୍ଷ୍ୟରେ କେତେଦୂର ସଫଳ ହୋଇଥିଲେ?
ବୟସ, ପ୍ରତିଷ୍ଠା ଓ ପ୍ରଭାବ ନିର୍ବିଶେଷରେ ଭଲ ଓ ନିରୁତା ସାହିତ୍ୟ ପ୍ରକାଶ କରିବାର ଲକ୍ଷ୍ୟ ନେଇ ହିଁ ‘ଅନ୍ୟା’ର ଜନ୍ମ। ତେବେ ଏଇ ‘ଭଲ’ର ସଂଜ୍ଞା ବ୍ୟକ୍ତିବିଶେଷରେ ଭିନ୍ନ ହୋଇପାରେ, ମାତ୍ର ଭଲ / ନିରୁତା ସାହିତ୍ୟ ସର୍ବକାଳୀନ ଓ ଏହା ଯେକୌଣସି ରୁଚିଶୀଳ ପାଠକର ମନକୁ ଛୁଇଁପାରେ। ତେଣୁ ସୁସ୍ଥ ଓ ରୁଚିଶୀଳ ସାହିତ୍ୟ ମାଧ୍ୟମରେ ଏକ ବୃହତ୍ତର ପାଠକଗୋଷ୍ଠୀ ସୃଷ୍ଟିକରି ଓଡ଼ିଆ ସାହିତ୍ୟର ସମୃଦ୍ଧି ଦିଗରେ ଯତ୍ନବାନ୍ ହେବାକୁ ନିଜର ପ୍ରୟାସ ଅବ୍ୟାହତ ରଖିବା ‘ଅନ୍ୟା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ଥିଲା। ‘ଅନ୍ୟା’ ପ୍ରତି ଲେଖକ ଓ ପାଠକଙ୍କର ନିରବଚ୍ଛିନ୍ନ ଆଗ୍ରହ, ଆସ୍ଥା ଓ ଅପେକ୍ଷା ଯୋଗୁଁ ଏହା ଏକଦା ଓଡ଼ିଆ ସାହିତ୍ୟ ଓ ପତ୍ରିକା ପ୍ରକାଶନ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା।
ଯୁବ ଲେଖକମାନଙ୍କୁ କ’ଣ କହିବେ?
ପ୍ରତ୍ୟେକ ଲେଖକ / କବି ନିଜ ରାସ୍ତା ନିଜେ ଗଢ଼େ। ଏଥିପାଇଁ ଏକାଗ୍ର ସାଧନା ଜରୁରୀ। ତା’ସହିତ ପ୍ରଚୁର ତଲ୍ଲୀନତା, ନିଜର ମାତୃଭାଷା ଓ ସାହିତ୍ୟର ପରମ୍ପରା ସହିତ ଗଭୀର ସମ୍ପୃୃକ୍ତି, ପୂର୍ବସୂରୀଙ୍କ ପ୍ରତି ସମ୍ମାନବୋଧ, ସମକାଳୀନ କବି /ଲେଖକଙ୍କ ପ୍ରତି ସହୃଦୟତା ରହିବା ସହିତ ନିଜର ସୃଜନଶୀଳତା ନିକଟରେ ସତ୍ ଓ ନିଷ୍ଠାପର ହେବା ଆବଶ୍ୟକ।