ମାଟିକୁ ବଞ୍ଚାଇବା ପାଇଁ ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ସାହିଲ

ଭୁବନେଶ୍ବର: ମାଟି ପାଇଁ ଦେଶ ଭ୍ରମଣ। ଦେଢ ବର୍ଷରେ ୨୫ ହଜାର କିଲୋମିଟର ସାଇକେଲ ଯାତ୍ରା ଲକ୍ଷ୍ଯ। ଉଦ୍ଦେଶ୍ୟ ମାଟିକୁ ବଞ୍ଚାଇବା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା। ଏମିତି ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି କୋଲକାତାର ସାହିଲ ଝା। ୧୬ ବର୍ଷିୟ ସାହିଲ ଝା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସରିବା ପରେ ଗତ ମେ ମାସ ୧ ତାରିଖରୁ ଆରମ୍ଭ କରିଛନ୍ତି ସେଭ୍ ସଏଲ ଅଭିଯାନ। ବୃକ୍ଷ ରୋପଣ ସହ ଆମ ମାଟିକୁ ବିଷ କବଳରୁ କେମିତି ବଞ୍ଚାଇବା ସେ ନେଇ ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ସାହିଲ। ୨୫ ଦିନ ମଧ୍ୟରେ ସାହିଲ ୧୨ ଶହ କିଲୋମିଟର ଅତିକ୍ରମ କରିଥିବା ବେଳେ ଆଗାମୀ ଦେଢ ବର୍ଷ ଭିତରେ ସେ ମୋଟ ୨୫ ହଜାର କିଲୋମିଟର ବୁଲି ଲୋକଙ୍କୁ ସଚେତନ କରିବାକୁ ଲକ୍ଷ ରଖିଛନ୍ତି। କୋଲକତା ରୁ ବାହାରି ସେ ଏବେ ଭୁବନେଶ୍ୱର ରେ ପହଞ୍ଚିଛନ୍ତି। ଆଜି ଭୁବନେଶ୍ୱର ରେ ସାହିଲ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭେଟି ସେଭ ସଏଲ ସମ୍ପର୍କରେ ଆଲୋଚନା କରିଛନ୍ତି। ସାହିଲଙ୍କ ଏହି ଉଦ୍ୟମକୁ ବିଧାୟକ ପ୍ରଶଂସା କରିବା ସହ ସମସ୍ତେ ମାଟିକୁ ରକ୍ଷା କରିବା ପାଇଁ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି।

Leave a comment