ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଭାବ : ବିଶ୍ୱରେ ଘନେଇବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ : ଥମିବାର ନାଁ ଧରୁନି ରୁଷ-ୟୁକ୍ରେନ ଯୁଦ୍ଧ। ଏହି ଯୁଦ୍ଧର ପ୍ରଭାବରେ ବର୍ତ୍ତମାନ ବିଶ୍ୱରେ ଏକ ବଡ଼ ଧରଣର ଖାଦ୍ୟ ସଂକଟ ମୁଣ୍ଡ ଟେକୁଛି। ଏ ନେଇ ମିଳିତ ଜାତିସଂଘର ଚେତାବନୀ ଦେଇଛି। ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡ଼ିକ ଉପରେ ଏହି ଖାଦ୍ୟ ସଙ୍କଟର ସର୍ବାଧିକ ପ୍ରଭାବ ପଡ଼ିବ ରୋମ୍‌ଭିତ୍ତିକ ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ) କହିଛି। ଉତ୍ତର ଆଫ୍ରିକା, ଏସିଆ ଏବଂ ମଧ୍ୟପ୍ରାଚ୍ୟର ଗରିବ ରାଷ୍ଟ୍ରଗୁଡିକ ଅଧିକ ମାତ୍ରାରେ ଗହମ ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ସେଠାରେ ସମସ୍ୟା ଦେଖାଦେବା ଆଶଙ୍କା କରାଯାଉଛି। ଏହି ଦେଶଗୁଡ଼ିକ ରୁଷ ଏବଂ ୟୁକ୍ରେନରୁ ଅଧକ ପରିମାଣରେ ଗହମ ଯୋଗାଇଥାନ୍ତି। ଯୁଦ୍ଧ ଯୋଗୁ ଯୋଗାଣ ବ୍ୟାହତ ହେବା ଫଳରେ ଏହି ରାଷ୍ଟ୍ରଗୁଡ଼ିକ ଉତ୍କଟ ଖାଦ୍ୟ ସଂକଟ ଆଡକୁ ଗତି କରିବେ ବୋଲି ଜାତିସଂଘ ଚେତାଇ ଦେଇଛି ।

ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତେଜିବାରେ ଲାଗିଛି। ଏହା କେବେ ସମାପ୍ତ ହେବ ତାହା ସ୍ପଷ୍ଟ ହେଉନାହିଁ। ଉଭୟ ଦେଶରେ କୃଷିକାର୍ଯ୍ୟ ସହ ଖାଦ୍ୟ ଶସ୍ୟ ରପ୍ତାନି ବନ୍ଦ ହୋଇଯାଇଛି। ଏହାଫଳରେ ସମଗ୍ର ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ଶକ୍ତ ଧକ୍କା ଲାଗିବାକୁ ଯାଉଥିବା ରୋମ୍‌ଭିତ୍ତିକ ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ) ମହାନିର୍ଦ୍ଦେଶକ କ୍ୟୁ ଡୋଙ୍ଗ୍‌ୟୁ ପ୍ରକାଶ କରିଛନ୍ତି। ବିଶ୍ୱର ମୋଟ ଖାଦ୍ୟ ଶସ୍ୟ ରପ୍ତାନି କ୍ଷେତ୍ରକୁ ଯୁଦ୍ଧରେ ବ୍ୟସ୍ତ ଥିବା ୟୁକ୍ରେନ ଏବଂ ରୁଷର ଯୋଗଦାନ ଏକ ତୃତୀୟାଂଶ ରହିଛି। ଏଭଳି କ୍ଷେତ୍ରରେ ଆର୍ଥିକ କଟକଣାଗୁଡ଼ିକ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବଡ ଆହ୍ୱାନ ହୋଇ ଛିଡ଼ା ହୋଇଛି। ତେବେ ଗହମ ପାଇଁ ରୁଷ ଏବଂ ୟୁକ୍ରେନ ଉପରେ ନିର୍ଭର କରିଆସିଥିବା ରାଷ୍ଟ୍ରଗୁଡ଼ିକ ଭାରତକୁ ବିକଳ୍ପ ଭାବେ ନେଇପାରନ୍ତି। ଯୁଦ୍ଧ ଯୋଗୁ ଗହମ ତଥା ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ବଜାରରେ ଦେଖାଦେଇଥିବା ଶୂନ୍ୟସ୍ଥାନକୁ ଭାରତ ପୂରଣ କରିପାରେ। ଏଭଳି ପରିସ୍ଥିତିରେ ଭାରତ ନୂଆ ନୂଆ ବଜାରକୁ ଗହମ ରପ୍ତାନି କରି ରୁଷ ଏବଂ ୟୁକ୍ରେନର ବିକଳ୍ପ ପାଲଟିପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଯୁଦ୍ଧ ପରଠାରୁ ଭାରତର ଗହମ ରପ୍ତାନି ବଡ଼ ମାତ୍ରାରେ ବୃଦ୍ଧି ଘଟିଥିବା ସୂତ୍ରରୁ ଜଣାପଡ଼ିଛି ।ଏଫ୍‌ଏଓ ପ୍ରକାଶ କରିଛି ଯେ, ରୁଷ ଏକ ଅଗ୍ରଣୀ ସାର ଉତ୍ପାଦନକାରୀ । ୟୁରିଆ ଉତ୍ପାଦନ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗତ ୧୨ ମାସରେ ୟୁରିଆ ଦରରେ ୩ ଗୁଣାରୁ ଅଧିକ ବୃଦ୍ଧି ଘଟିଥିବାବେଳେ ଯୁଦ୍ଧ ପରିସ୍ଥିତି ବଜାର ସ୍ଥିତିକୁ ଆହୁରି ଖରାପ କରିଦେଇଛି।

ଏଫ୍‌ଏଓ ମହାନିର୍ଦ୍ଦେଶକ ଆହୁରିମଧ୍ୟ କହିଛନ୍ତି ଯେ, ଜୁନ୍‌ରେ ୟୁକ୍ରେନର ଚାଷୀମାନେ ଗହମ ଅମଳ କରିପାରିବେ କି ନାହିଁ ତାହା ସନ୍ଦେହ ଏବେ ସନ୍ଦେହରେ ରହିଛି। କାରଣ ଯୁଦ୍ଧ ଯୋଗୁ ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକେ ସେଠାରେ ଦେଶ ଛାଡ଼ି ପଳାୟନ କରିଛନ୍ତି। ଏଭଳି କ୍ଷେତ୍ରରେ ଅମଳ ପାଇଁ କୃଷି ଶ୍ରମିକ ମିଳିବା କଷ୍ଟକର ହେବ । ଯଦି ବି ଅମଳ ହୋଇପାରିବ ଏହାକୁ ରପ୍ତାନି କରାଯାଇପାରିବ ନାହିଁ । କାରଣ କୃଷ୍ଣ ସାଗର ବା ବ୍ଲାକ୍‌ ସି’ ଉପରେ ଥିବା ୟୁକ୍ରେନର ବନ୍ଦରଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏହାସହିତ ୟୁକ୍ରେନ ସରକାର ନିଜ ନାଗରିକଙ୍କ ପାଇଁ ଖାଦ୍ୟଶସ୍ୟ ସୁନିଶ୍ଚିତ କରିବା ତଥା ବଜାରରେ ସ୍ଥିରତା ରଖିବା ନିମନ୍ତେ ଦେଶରୁ ଗହମ, ବାଜରା, ମାଣ୍ଡିଆ ଆଦି ଶସ୍ୟ ସମେତ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ସୂଚନାଯୋଗ୍ୟ, ମକା ଏବଂ ସୂର୍ଯ୍ୟମୁଖୀ ଯୋଗାଣରେ ୟୁକ୍ରେନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶ୍ୱରେ ମୋଟ ସୂର୍ଯ୍ୟମୁଖୀ ତେଲ ରପ୍ତାନିରେ ୟୁକ୍ରେନ ଏବଂ ରୁଷର ମିଳିତ ଯୋଗଦାନ ୫୨% ରହିଛି। ରପ୍ତାନିରେ ଉଭୟ ଦେଶର ଯୋଗଦାନ ୧୯%, ଗହମ ରପ୍ତାନିରେ ୧୪% ଏବଂ ମକା ରପ୍ତାନିରେ ୪% ରହିଛି। ଏହା ସ୍ପଷ୍ଟ ନାହିଁ ଯେ, ରପ୍ତାନିକାରୀମାନେ ବିଶ୍ୱ ଖାଦ୍ୟଶସ୍ୟ ବଜାରରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବେ କି ନାହିଁ। କାନାଡାର ଗହମ ଭଣ୍ଡାରଗୁଡ଼ିକରେ ଷ୍ଟକ୍‌ ଏବେ ଶେଷ ପଯଁ୍ରାୟରେ ରହିଛି। ଏଭଳି ସ୍ଥିତିରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଛି ବୋଲି ଏଫ୍‌ଏଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକାଶ କରିଛନ୍ତି।

ଆମେରିକା, ଆର୍ଜେଣ୍ଟିନା ଏବଂ ଅନ୍ୟାନ୍ୟ ଗହମ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ରପ୍ତାନିକୁ ସଙ୍କୁଚିତ କରିବେ। କାରଣ ଘରୋଇ ଚାହିଦା ପୂରଣ ଉପରେ ସେମାନେ ଧ୍ୟାନ ଦେବେ। ରୁଷ ଏବଂ ୟୁକ୍ରେନ ଉପରେ ଗହମ ପାଇଁ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକ ଆମଦାନି ସ୍ତର ବଢ଼ାଇବାକୁ ବାଧ୍ୟ ହେବେ ବୋଲି ଏଫ୍‌ଏଓ ପକ୍ଷରୁ ପ୍ରକାଶ ପାଇଛି। ଇଜିପ୍ଟ, ତୁର୍କୀ, ବାଂଲାଦେଶ ଏବଂ ଇରାନ ଆଦି ଦେଶ ରୁଷ ଏବଂ ୟୁକ୍ରେନରୁ ୬୦% ଗହମ ଆଣିଥାନ୍ତି। ଲେବାନନ୍‌, ଟ୍ୟୁନିସିଆ, ୟେମେନ୍‌, ଲିବ୍ୟା ଏବଂ ପାକିସ୍ତାନ ମଧ୍ୟ ଗହମ ପାଇଁ ରୁଷ ଏବଂ ୟୁକ୍ରେନ ଉପରେ ନିର୍ଭରଶୀଳ। ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍‌ ସମସ୍ୟା ବିଶ୍ୱରେ ଖାଦ୍ୟ ନିରାପତ୍ତା ପ୍ରତି ବାଧା ସୃଷ୍ଟି କରିବ ବୋଲି ଏଫ୍‌ଏଓ ପ୍ରକାଶ କରିଛି। ତେବେ ଏସବୁ ରାଷ୍ଟ୍ରଗୁଡ଼ିକୁ ଭାରତ ନିଜ ଆଡ଼କୁ ଟାଣିପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

Leave a comment