ୟୁକ୍ରେନ ଓ ଋଷ ବିବାଦ ମଧ୍ୟରେ ମହଙ୍ଗା ବଜାରକୁ ନେଇ ଚିନ୍ତାରେ ସାରା ବିଶ୍ବ : ବଢ଼ିବ ପେଟ୍ରୋଲ, ଡିଜେଲ, ଏଲ୍ପିଜି ଦର
ନୂଆଦିଲ୍ଲୀ : ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଆସନ୍ନ ଯୁଦ୍ଧ ଉତ୍ତେଜନାର ପ୍ରଭାବ ଏବେ ସାରା ବିଶ୍ୱରେ ଅନୁଭୂତ ହେବାକୁ ଯାଉଛି। ଦୁଇ ରାଷ୍ଟ୍ର ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହେଲେ ସାରା ବିଶ୍ୱକୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି ଏବେଠୁ ବିଶେଷଜ୍ଞମାନେ ଆକଳନ କଲେଣି। ଏହାର ପ୍ରଭାବରେ ଏବେଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳ ଦର ରେକର୍ଡସ୍ତରରେ ପହଞ୍ଚିଛିି। ଆଗକୁ ଯୁଦ୍ଧ ହେଲେ ଯୋଗାଣ ପ୍ରଭାବିତ ହେବ, ଯାହାର ଫଳ ସ୍ୱରୂପ ଅଶୋଧିତ ତୈଳ ଦର ଆହୁରି ବଢ଼଼ିବ। ଯାହାର ପରୋକ୍ଷ ପ୍ରଭାବ ସମସ୍ତ କ୍ଷେତ୍ର ଉପରେ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେବଳ ଅଶୋଧିତ ତୈଳ ନୁହେଁ, ଏହାର ପ୍ରଭାବରେ ଘରୋଇ ବଜାରରେ ପେଟ୍ରୋଲ, ଡିଜେଲ, ସିଏନ୍ଜି, ଏଲ୍ଏନ୍ଜି ଦର ବଢ଼଼ିବାର ଆଶଙ୍କା ସୃଷ୍ଟି ହୋଇଛି।
ଯାହାର ସିଧାସଳଖ ପ୍ରଭାବ ଘରୋଇ ବଜାର ଦର ଉପରେ ପ୍ରତିଫଳିତ ହେବ। ଆହୁରି ମଧ୍ୟ କୃଷ୍ଣ ସାଗର ଦେଇ ୟୁରୋପର ଅନେକ ରାଷ୍ଟ୍ରକୁ ବାଣିଜ୍ୟ କାରବାର ହୋଇଥାଏ। ଯୁଦ୍ଧ ହେଲେ ରୁଷ ଏହି ପ୍ରମୁଖ ବାଣିଜ୍ୟ ପଥକୁ ରୋକିବାକୁ ପ୍ରୟାସ କରିବ, ଯାହା ଯୋଗାଣ ଜନିତ ସମସ୍ୟା ସୃଷ୍ଟି କରିବ। ପ୍ରଚୁର ଗହମ ଉତ୍ପାଦନ କରୁଥିବାରୁ ୟୁକ୍ରେନ୍କୁ ବିଶ୍ୱର ‘ରୁଟି ଭଣ୍ଡାର’ ବୋଲି କୁହାଯାଏ; ଯୁଦ୍ଧର ଘନଘଟା ଲାଗିରହିଲେ ଏଭଳି ସ୍ଥିିତିରେ ଆଗାମୀ ଦିନରେ ବିଶ୍ୱର ଏକ ଡଜନ ଦେଶର ଲୋକେ ଅନାହାରର ସମ୍ମୁଖୀନ ହେବେ। କେବଳ ୟୁକ୍ରେନ୍ କାହିଁକି ରୁଷିଆରୁ ମଧ୍ୟ ଯୋଗାଣ ପ୍ରଭାବିତ ହେବ। ଏଭଳି ପରିସ୍ଥିତିରୁ ପୁଞ୍ଜି ବଜାର ବାଦ୍ ପଡ଼ିବା ସମ୍ଭାବନା କମ୍। କାରଣ ପ୍ରାରମ୍ଭରୁ ଏହି ଘଟଣାକୁ ନେଇ ବିଶ୍ୱର ପ୍ରମୁଖ ପୁଞ୍ଜି ବଜାରଗୁଡିକରେ କାରବାରରେ ହ୍ରାସ ଧାରା ଲାଗି ରହିଛି।
ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ବିବାଦ ଯୋଗୁ ଏବେ ବିଶ୍ୱ ବଜାରରେ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୧୦୦ ଡଲାର ନିକଟତର ହୋଇଛି। ସମଗ୍ର ବିଶ୍ୱରେ ଅଶୋଧିତ ତୈଳ ଉତ୍ପାଦନରେ ରୁଷର ଅଂଶ ହେଉଛି ୧୩ %। ଯୁଦ୍ଧ ହେଲେ ତୈଳ ଯୋଗାଣ ପ୍ରଭାବିତ ହେବ, ଏହାର ପ୍ରଭାବରେ ତେଲ ଦର ଆହୁରି ବଢ଼଼ିବ। ଅଶୋଧିତ ତୈଳ ଦର ଏବେ ୮ବର୍ଷର ସର୍ବୋଚ୍ଚସ୍ତରରେ ରହିଛି। ୨୦୧୪ ପରେ ପ୍ରଥମଥର ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା ଏବେ ୯୯. ୩୮ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଳ ଦର ବଢ଼଼ିଲେ ଆଗାମୀ ଦିନରେ ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ, ସିଏନ୍ଜି ଏବଂ ଏଲ୍ଏନ୍ଜି ମୂଲ୍ୟ ଆହୁରି ବଢ଼଼ିବ।ୟୁରୋପକୁ ଯୋଗଣ ହେଉଥିବା ପ୍ରାକୃୃତିକ ବାଷ୍ପର ଏକ ତୃତୀୟାଂଶ ରୁଷରୁ ହୋଇଥାଏ। ରୁଷିଆର ଗାଜାପ୍ରୋମ୍ରୁ ଭାରତ ବାର୍ଷିକ ୨.୫ ନିୟୁତ ଟନ୍ ଏଲ୍ଏନ୍ଜି ଆମଦାନୀ କରିଥାଏ। ଭାରତର ଘରୋଇ ଇନ୍ଧନ ଦର ଅନ୍ତର୍ଜାତୀୟ ବଜାର ସହ ଯୋଡିହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଭାରତରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସିଏନ୍ଜି ଏବଂ ଏଲ୍ଏନ୍ଜି ଦର ଉପରେ ପଡ଼ିବ।
ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେଲେ ବିଶ୍ୱରେ ପ୍ରାୟ ଏକ ଡଜନ ଦେଶରେ ଲୋକେ ଅନାହାରର ସମ୍ମୁଖୀନ ହେବେ। କାରଣ ଉଭୟ ରୁଷ ଏବଂ ୟୁକ୍ରେନ୍ ବିଶ୍ୱର ସବୁଠାରୁ ବୃହତ୍ ଗହମ ରପ୍ତାନିକାରୀ। ଏହି ଦୁଇ ଦେଶରୁ ବିଶ୍ୱର ୨୫ ପ୍ରତିଶତରୁ ଅଧିକ ଗହମ ରପ୍ତାନି ହୋଇଥାଏ। ତେବେ ଇଜିପ୍ଟ, ତୁର୍କୀ, ଇଣ୍ଡୋନେସିଆ, ବାଙ୍ଗଲାଦେଶ, ଥାଇଲାଣ୍ଡ୍, ନିଇଜେରିଆ, ୟେମେନ୍ ,ଟ୍ୟୁନିସିଆ ଏବଂ ଆଜରବୈଜାନ୍ ଭଳି ରାଷ୍ଟ୍ରଗୁଡିକ ରୁଷିଆ ଏବଂ ୟୁକ୍ରେନ୍ରୁ ଅଧିକ ମହମ ଆମଦାନୀ କରିଥାନ୍ତି। ଯୁଦ୍ଧ ହେଲେ ଏହି ଛୋଟ ଛୋଟ ଗରିବ ରାଷ୍ଟ୍ରଗୁଡିକରେ ଅନାହାର ବ୍ୟାପିବ। ରୁଷିଆ ଏବଂ ୟୁକ୍ରେନ୍ ବିବାଦ ଯୋଗୁ ବିଶ୍ୱ ଷ୍ଟକ ବଜାର ପ୍ରଭାବିତ ହେଉଥିବାରୁ। ଭାରତୀୟ ବଜାର ବିଶେଷ କରି ଅନେକ ଅନ୍ତର୍ଜାତୀୟ କାରକଗୁଡିକ ଉପରେ ନିର୍ଭରଶୀଳ ହୋଇଥିବାରୁ ଯୁଦ୍ଧ ହେଲେ ଆଗାମୀ ଦିନରେ ଘରୋଇ ପୁଞ୍ଜିବଜାର ଧରାଶାୟୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତିକି ଏଭଳି ସ୍ଥିିତିରେ ସୁନା ଦର ଆହୁରି ବଢ଼଼ିଯିବ। ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଆଗାମୀ ଦିନରେ ସୁନା ହିଁ ନିବେଶକମାନଙ୍କ ଲାଗି ଏକ ବଡ ନିବେଶ ମାଧ୍ୟମ ହେବ।