ରୁଷ ସେନାର ପଛଘୁଞ୍ଚା ପରେ କଠୋର ଆଇନ ଲାଗୁ କଲେ ପୁଟିନ : ଆତ୍ମସମର୍ପଣ କଲେ ଗିରଫ ସହ ମିଳିବ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ

ମସ୍କୋ : ୟୁକ୍ରେନ୍‌ ସହ ଯୁଦ୍ଧ ମଧ୍ୟରେ ହରଡ଼ଘଣାରେ ପଡିଯାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୩ଲକ୍ଷ ରିଜର୍ଭ ଫୋର୍ସ ଅର୍ଥାତ୍ ସାମରିକ ଟ୍ରେନିଂ ନେଇଥିବା ନାଗରିକଙ୍କୁ ୟୁକ୍ରେନ୍‌ରେ ମୁତୟନ କରାଯିବ ବୋଲି ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି । କିଏ ଆନ୍ଦୋଳନକୁ ଓହ୍ଲାଉଛି ତ ଆଉ କିଏ ଦେଶ ଛାଡ଼ି ପଳାଉଛି । ଏନେଇ ବିଭିନ୍ନ ବର୍ଡର୍ ଚେକ୍‌ପୋଷ୍ଟ୍ ଓ ବିମାନବନ୍ଦରରେ ହଠାତ୍ ଭିଡ଼ ବଢ଼ିଯାଇଛି । ଏ ଭିତରେ ଦେଶରେ ଟ୍ରେଣ୍ଡ୍ କରୁଛି ଦୁଇଟି ଗୁଗୁଲ୍ ସର୍ଚ୍ଚ । ଗୋଟିଏ କେମିତି ଦେଶ ଛାଡ଼ିହେବ, ଅନ୍ୟଟି ଘରେ ରହି କେମିତି ହାତ ଭାଙ୍ଗିହେବ । ଦିନ ହେଉ କି ରାତି, ରୁଷ୍‌-ଫିନ୍‌ଲ୍ୟାଣ୍ଡ୍ ସୀମା, ରୁଷ୍‌-ଜର୍ଜିଆ ସୀମା ଚେକ୍ ପୋଷ୍ଟ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାଇଛନ୍ତି ଶହ ଶହ ଗାଡ଼ି । ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ୁଛନ୍ତି ଆତଙ୍କିତ ରୁଷୀୟ ନାଗରିକ ।

ଏମାନଙ୍କ ମଧ୍ୟରେ ଅଧିକାଂଶ ୧୮ରୁ ୬୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଏହି ବୟସର ୩ ଲକ୍ଷ ଲୋକଙ୍କୁ ମିଲିଟାରୀ ଟ୍ରେନିଂ ଦେଇ ରିଜର୍ଭ ଫୋର୍ସଭାବେ ୟୁକ୍ରେନ୍ ଯୁଦ୍ଧକୁ ପଠାଇବାକୁ ଚାହୁଁଛନ୍ତି ପୁତିନ । ତେଣୁ ବହୁସଂଖ୍ୟାରେ ପୁରୁଷ ପତ୍ନୀ ଓ ପିଲାଙ୍କୁ ଘରେ ଛାଡ଼ି ପଡ଼ୋଶୀ ଦେଶକୁ ପଳାଉଥିବା ଦେଖିବାକୁ ମିଳିଛି । କେବଳ ସଡ଼କପଥ ନୁହେଁ, ବିମାନବନ୍ଦରରେ ବି ହଠାତ ଭିଡ଼ ବଢ଼ିଯାଇଛି । ପୁଟିନଙ୍କ ଘୋଷଣା ପରେ ଗତ ବୁଧବାରଠାରୁ ମସ୍କୋରୁ ୱାନ୍‌-ୱେ ଫ୍ଲାଇଟ୍ ବୁକିଂ ବଢ଼ିବାରେ ଲାଗିଛି । ଟିକେଟ୍ ଦାମ୍ ବି ବହୁଗୁଣ ବଢ଼ିଯାଇଛି । ଖାସ୍ କରି ତୁର୍କୀ, ଆଜରବାଇଜାନ୍‌, ଆର୍ମେନିଆ, ଜର୍ଜିଆ, ମଣ୍ଟେନିଗ୍ରୋ, ଉଜ୍‌ବେକିସ୍ତାନ, କାଜାଖସ୍ତାନ ଆଦି ଭିସା-ଫ୍ରି ଦେଶକୁ ଉଡ଼ୁଥିବା ଡାଇରେକ୍ଟ ଫ୍ଲାଇଟ୍ ଟିକେଟ୍ ଚଳିତ ସପ୍ତାହ ପାଇଁ ସବୁ ବିକ୍ରି ହୋଇଯାଇଛି । ବହୁ ଲୋକ ଦୁବାଇ ବି ପଳାଉଛନ୍ତି । ତେବେ ଲିଥୁଆନିଆ, ଲାଟ୍‌ଭିଆ, ଇଷ୍ଟୋନିଆ ଓ ଚେକ୍ ରିପବ୍ଲିକ୍ ଆଦି ପଡ଼ୋଶୀ ଦେଶ ରୁଷୀୟ ଶରଣାର୍ଥୀକୁ ଆଶ୍ରୟ ଦେବାକୁ ମନା କରିଦେଇଛନ୍ତି ।

ସେପଟେ ୟୁକ୍ରେନର କେତେକ ଅଞ୍ଚଳରେ ରୁଷ ସେନାର ପଛଘୁଞ୍ଚାକୁ ନେଇ ଭୀଷଣ ରାଗିଯାଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିପାଇଁ ସେ ଉପ-ପ୍ରତିରକ୍ଷା ମନ୍ତ୍ରୀ ଡିମିଟ୍ରି ବୁଲଗାକୋଭଙ୍କୁ ହଟାଇଦେଇଛନ୍ତି । ତାଙ୍କ ସ୍ଥାନରେ କର୍ଣ୍ଣେଲ ଜେନେରାଲ ମିଖାଇଲ ମିଜିନଟେଭଙ୍କୁ ନୂଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନକୁ ଅଧିକ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ସେନାରେ ସାଧାରଣ ଲୋକଙ୍କୁ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ସୈନ୍ୟମାନଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଯେଉଁ ସୈନ୍ୟ ସ୍ବେଚ୍ଛାକୃତଭାବେ ଆତ୍ମସମର୍ପଣ କରିବ କିମ୍ବା ଯୁଦ୍ଧ ଲଢିବାକୁ ମନା କରିବ ତାକୁ ଗିରଫ କରାଯିବ ଓ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ । ଏଥିପାଇଁ ଆଇନରେ କେତେକ ସଂଶୋଧନ ଅଣାଯାଇଛି ଓ ଏଥିରେ ପୁଟିନ ଦସ୍ତଖତ କରିଛନ୍ତି । ପୁଣି ଯେଉଁ ବିଦେଶୀ ରୁଷ ସେନାରେ ଯୋଗ ଦେବ ତାକୁ ରୁଷର ନାଗରିକତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହା ପରେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଥିଲେ । ଯୁଦ୍ଧ ଏବେ ୭ମ ମାସରେ ପ୍ରବେଶ କରିଥିବାବେଳେ ବିଜୟ ଏବେ ବି ରୁଷ ହାତମୁଠାକୁ ଆସିପାରିନାହିଁ । ଏପରିକି କେତେକ ଅଂଚଳକୁ ପୁଣି ୟୁକ୍ରେନ ସେନା ରୁଷ କବଜାରୁ ଛଡ଼େଇ ନେଇଛି । ଖାର୍କିଭ୍ ଓ ଖେର୍ସନରେ ବିପର୍ଯ୍ୟୟ ପରେ ବ୍ୟାକ୍‌ଫୁଟ୍‌ରେ ରୁଷୀୟ ସେନା ଖାର୍କିଭ୍‌ର ଇଜିୟମ ଓ କୁପିଆନ୍ସ ସହରକୁ ପୁନଃଅଧିକାର କରିନେଇଛି ୟୁକ୍ରେନ୍ । କୁହାଯାଉଛି ଯେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିବା ପାଇଁ ପୁତିନଙ୍କ ପାଖରେ ରିଜର୍ଭ ସୈନ୍ୟଙ୍କୁ ମୁତୟନ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶ ବିରୋଧରେ ପ୍ରଥମ ଥର ଲାଗି ଋଷିଆକୁ ରିଜର୍ଭ ଫୋର୍ସ ମୁତୟନ କରିବାକୁ ପଡ଼ୁଛି । ରୁଷ୍ ନିକଟରେ ଏବେ ପ୍ରାୟ ଅଢ଼େଇ କୋଟି ରିଜର୍ଭ ଫୋର୍ସ ଅଛନ୍ତି, ଯାହାକି ଅବସରପ୍ରାପ୍ତ ସୈନିକ ଏବଂ ମିଲିଟାରୀ ଟ୍ରେନିଂ ନେଇଥିବା ସାଧାରଣ ନାଗରିକଙ୍କୁ ନେଇ ଗଠିତ ।

Leave a comment