ଜାତିସଂଘରୁ ରୁଷ୍‌ କୂଟନୀତିଜ୍ଞଙ୍କ ଇସ୍ତଫା

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୈତିକ ସ୍ତରରେ ରୁଷ୍‌କୁ ବଡ଼ ଝଟକା ଲାଗିଛି। ଜାତିସଂଘରେ ରୁଷ୍‌ ରାଷ୍ଟ୍ରଦୂତ ବୋରିସ ବୋନ୍ଦାରେଭ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଦେଶକୁ ନିନ୍ଦା କରିଛନ୍ତି ଏବଂ ୟୁକ୍ରେନ ଆକ୍ରମଣ ପାଇଁ ଲଜ୍ଜା ଅନୁଭବ କରୁଥିବା କହିଛନ୍ତି। ସେ ସହଯୋଗୀଙ୍କୁ ଚିଠି ଲେଖି ନିଜ ଇଚ୍ଛା ପ୍ରକଟ କରିଛନ୍ତି। ବୋରିସ କହିଛନ୍ତି ଯେ ଅଯଥାରେ ଏବଂ ଜୋର ଜବରଦସ୍ତି ୟୁକ୍ରେନ ଆକ୍ରମଣ କରିଥିଲା। ଏଥିପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦାୟୀ। ୨୦ ବର୍ଷ ହେଲା କୂଟନୀତିଜ୍ଞ ଭାବେ କାମ କରିଆସୁଛି। କିନ୍ତୁ ଫେବୃଆରୀ ୨୪ରେ ଯାହା ଘଟିଥିଲା ତାହା ତାଙ୍କୁ ଲଜ୍ଜିତ କରିଛି। ବିଶ୍ବର ପରମାଣୁ ଅସ୍ତ୍ର ଶେଷ କରିବାକୁ କାର୍ଯ୍ୟ କରୁଥିବା କମିଟିରେ ମଧ୍ୟ ବୋରିସ କାମ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ଅଦାଲତରେ ଯୁଦ୍ଧ ଅପରାଧର ପ୍ରଥମ ମାମଲାରେ ଜଣେ ରୁଷ୍‌ ସୈନିକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ସେହିପରି ୭୫ତମ କାନ୍ସ ଫେଷ୍ଟିଭାଲରେ ମହିଳା ୟୁକ୍ରେନ ସମର୍ଥନରେ ପ୍ରଦର୍ଶନ କରିଛନ୍ତି। ସେ ରୁଷ ସୈନିକଙ୍କୁ ବିରୋଧ କରି ସ୍ମୋକ ଗ୍ରେନେଡ ମାଡ଼ କରିଛନ୍ତି। ଏଥିଯୋଗୁଁ ରେଡ କାର୍ପେଟ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଥିଲା।

Leave a comment