ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗେମିଂ ଆପରେ ଲୋକଙ୍କୁ ଲୁଟି ଘରେ ରଖିଛନ୍ତି ପୁଳା ପୁଳା ଟଙ୍କା : ଜବତ ହେଲାଣି ୧୭କୋଟି, ଏବେବି ଟଙ୍କା ଗଣୁଛି ୮ ଟି ମେସିନ

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଥରେ ମାରାଥନ୍‌ ରେଡ୍‌ କରିଛି। ଶନିବାର ଇଡି କୋଲକାତା ସହରର ଅନେକ ଅଞ୍ଚଳରେ ଚଢ଼ାଉ କରିଥିଲା। ଏଠାରେ ଏକ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ କରିବା ପରେ ଯେତେ ପରିମାଣର ଟଙ୍କା ଜବତ ହୋଇଛି ତାହା ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏହି ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ମିଳିଛି କି, ଯାହାକୁ ଗଣିବାକୁ ୮ ଟି ଟଙ୍କା ଗଣିବା ମେସିନ ବ୍ୟବହାର କରାଯାଉଛି । ଏନେଇ ଇଡିର ୬ ଟି ଟିମ୍ କୋଲକତାର ୬ ଟି ସ୍ଥାନରେ ଚଢାଉ କରିଛି ।

ମିଳିଥିବା ସୂଚନା ଅନୁସାରେ କୋଲକାତାର ଗାର୍ଡେନ୍‌ରିଚ୍‌ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗେମିଂ ଆପରେ ପ୍ରଥମେ ଲାଭ ଦେଇ ପରେ ଲୋକଙ୍କୁ ଠକୁଥିଲେ ଏହି ବ୍ୟବସାୟୀ। ଇଡିର ଚଢ଼ଉ ପରେ ପ୍ରଥମେ ୭କୋଟି ଜବତ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଏହା ବଢ଼ି ୧୭କୋଟିରେ ପହଞ୍ଚିଲାଣି। ସବୁଠୁ ବଡ଼ ‌କଥା ହେଉଛି ଏବେ ବି ଗଣନା ଜାରି ରହିଛି। ୮ ଟି ଟଙ୍କା ଗଣିବା ମେସିନ ବର୍ତ୍ତମାନ ଟଙ୍କା ଗଣୁଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସୂଚନା ମୁତାବକ, ମୋବାଇଲ୍ ଗେମିଂ ଆପ୍ ଜରିଆରେ ଠକେଇର ଅଭିଯୋଗ ହେବା ପରେ ଏନେଇ ଯାଞ୍ଚ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଯାଞ୍ଚ ସମୟରେ ଇଡି ୬ଟି ସ୍ଥାନରେ ଚଢ଼ଉ କରିଥିବା ବେଳେ ୭କୋଟି ଟଙ୍କା ଜବତ କରିଥିଲା। ବ୍ୟାଙ୍କ ଅଧିକାରୀଙ୍କ ସହ ଇଡି ଅଧିକାରୀଙ୍କ ଏକ ଟିମ୍ ଶନିବାର କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଆମୀର ଖାନଙ୍କ ଘର ଉପରେ ଚଢ଼ଉ କରି ପ୍ରଥମେ ୭କୋଟି ଟଙ୍କା ନଗଦ ଏବଂ ସମ୍ପତ୍ତି ଦସ୍ତାବିଜ ଜବତ କରିଥିଲେ। ଏହାପରେ ପୁଣି ଟଙ୍କା ଖୋଜିବା ପରେ ପୁଳା ପୁଳା ଟଙ୍କା ତାଙ୍କ ଖଟ ତଳୁ ମିଳିଥିଲା। ଏବେ ବି ଗଣନା ଜାଣି ରହିଥିବା ବେଳେ ଏହି ଅଞ୍ଚଳରେ କେନ୍ଦ୍ରୀୟ ବାହିନୀକୁ ନିୟୋଜିତ କରାଯାଇଛି। ଆମୀର ଖାନ ଇ-ନଗେଟସ୍ ନାମକ ଏକ ମୋବାଇଲ୍ ଗେମିଂ ଆପ୍ ବ୍ୟବହାରକାରୀଙ୍କୁ ଠକିଥିବା ନେଇ ଫେଡେରାଲ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଭିଯୋଗ କରାଯିବା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା।

ଇଡି ଅଧିକାରୀଙ୍କ କହିବାନୁସାରେ, ମୋବାଇଲ୍ ଗେମିଂ ଆପରେ ପ୍ରଥମେ ଲୋକମାନଙ୍କୁ ପୁରସ୍କାର ଆକାରରେ କମିଶନ ଦିଆଯାଇ ପ୍ରଲୋଭିତ କରାଯାଇଥିଲା। ଏହା ପରେ ଲୋକମାନଙ୍କୁ ଏହି ଆପ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ଟଙ୍କା ମିଳୁଥିବା ଦେଖି ଲୋକମାନେ ଅଧିକ କମିଶନ ପାଇବା ପାଇଁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିବା ଆରମ୍ଭ କରିଥିଲେ। ଏହା ପରେ ଆପ୍ ସଞ୍ଚାଳକ ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ।ଲୋକଙ୍କ ଠାରୁ ଭଲ ରକମର ଟଙ୍କା ଅସୁଲ୍‌ କରିବା ପରେ ଅଚାନକ କିଛି ବାହାନା କରି ଏହି ଆପ୍‌କୁ ପ୍ରତ୍ୟାହାର କରିନେଇଥିଲା । ପରେ ଆପ୍ଲିକେସନ୍‌ର ପ୍ରୋଫାଇଲ୍‌ ସହିତ ସମସ୍ତ ଡାଟା ସର୍ଭରୁ ଗାଏବ୍‌ କରିଦେଇଥିଲା । ଏହାପରେ ବ୍ୟବହାରକାରୀ ସବୁ ବୁଝିପାରିଥିଲେ । ଅଭିଯୁକ୍ତ ଅମୀର ବିରୋଧରେ କୋଲକାତା ପୁଲିସ୍‌ ଆଇପିଏସିର ଧାରା ୪୨୦, ୪୦୬, ୪୦୯, ୪୬୮, ୪୬୯, ୪୭୧, ୩୪ରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.