ରାସ୍ତା ମରାମତି ଦାବିକୁ ନେଇ ରାସ୍ତା ରୋକ୍‌ : ଅଟକି ରହିଛି ଯାନବାହାନ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା-ଉଦଳା ରାଜ୍ୟ ରାଜପଥର ନୁରୁଡିହୀ ଛକରେ ଉତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବିକୁ ନେଇ ସୋମବାର ସକାଳୁ ରାସ୍ତା ରୋକ କରିଛନ୍ତି । ଫଳରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ଯାନବାହାନ, ଟ୍ରକ ଓ ଦୁଇ ଚକିଆ ଗାଡି ଗୁଡିକ ତିନିଘଂଟା ଧରି ଅଟକି ରହିଛନ୍ତି । ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନାଯୋଗ୍ୟ, ନୁରୁଡିହୀ ଛକ ଠାରୁ ପଲିଟେକନିକ୍ କଲେଜ ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । ଏହା ଦ୍ବାରା ସାଧାରଣ ଲୋକେ ଯିବାଆସିବା କରିବାରେ ବହୁ ହଇରାଣ ହରକତ ହେଉଛନ୍ତି । ଏପରିକି ଛାତ୍ରୀଛାତ୍ର ମାନେ ସ୍କୁଲକୁ ଯିବା ବେଳେ ଖାଲରେ ପଡି ଘରକୁ ଫେରୁଛନ୍ତି । ଜରୁରୀକାଳୀନ ସେବା ପାଇଁ ରୋଗୀମାନଙ୍କୁ ନେବାଆଣିବା କଷ୍ଟକର ହୋଇପଡ଼ିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ଜନପ୍ରତିନିଧି ମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ।

ବିଗତ ଲଘୁଚାପଜନିତ ବର୍ଷା ଯୋଗୁଁ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡିଛି । ଏଣୁ ବାଧ୍ୟ ହୋଇ ଅଂଚଳବାସୀ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦିନ ମଜୁରିଆ ଭାବେ ବାରିପଦା ସହରକୁ ଯାଉଥିବା ଶ୍ରମିକ ମାନଙ୍କୁ ଅଟକାଇବାରୁ ବିକ୍ଷୋଭକାରୀଙ୍କ ସହ ଗଣ୍ଡଗୋଳ ସୂତ୍ରପାତ ହୋଇଛି । ଉଭୟଙ୍କ ମଧ୍ୟରେ ଠେଲାପେଲା ହେଉଥିବା ବେଳେ ପୁଲିସ ପହଞ୍ଚିଛି ।

Leave a comment