ଜୀବନ ନେଉଛି ରାସ୍ତାକଡ଼ ଶସ୍ତା ହେଲ୍ମେଟ୍; ଲାଗୁଛି ଜାଲ୍ ଆଇଏସ୍ଆଇ ମାର୍କ, ସାମାନ୍ୟ ଦୁର୍ଘଟଣାରେ ବି ଦେଉନି କାମ

ଭୁବନେଶ୍ୱର: ଦେଶରେ ଯେତିକି ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି, ସେଥିରୁ ହେଲ୍ମେଟ୍ ପିନ୍ଧିନଥିବା ଚାଳକଙ୍କ ସଂଖ୍ୟା ଅଧିକ। ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସଂଗଠନ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଆହୁରି ମଧ୍ୟ ବାଇକରେ ଯାଉଥିବା ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ଡବଲ୍ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ହେଲ୍ମେଟ୍ ପିନ୍ଧୁନାହାନ୍ତି ସେମାନଙ୍କୁ ଜରିମାନା ମଧ୍ୟ କରାଯାଉଛି। କିନ୍ତୁ ଏତେ ସତ୍ତ୍ବେ ମଧ୍ୟ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନି। ଅନେକ ଜରିମାନା ଭୟରେ ରାସ୍ତା କଡ଼ରେ ବିକ୍ରି ହେଉଥିବା ନକଲି ହେଲ୍ମେଟ୍ ୨ଶହରୁ ୫ଶହ ଟଙ୍କାରେ କିଣି ଜୀବନ ସହ ମୂଲଚାଲ କରୁଛନ୍ତି। ଯାହା ଆଦୌ ସୁରକ୍ଷିତ ନୁହେଁ। ଏହା ଜାଣି ମଧ୍ୟ ଚାଳକମାନେ ଉନ୍ନତମାନର ହେଲ୍ମେଟ୍ କିଣୁନାହାନ୍ତି। ସେମାନେ ଜାଣିଶୁଣି ଜୀବନ ସହ ଖେଳ ଖେଳୁଛନ୍ତି।
କେନ୍ଦ୍ରୀୟ ମୋଟରଯାନ ନିୟମାବଳୀ ୧୯୮୯ର ୧୩୮(୪)(ଏଫ) ଅନୁଯାୟୀ ସମସ୍ତ ଦୁଇ ଚକିଆ ଯାନର ଉତ୍ପାଦନକାରୀ ଓ ଡିଲରକମାନେ ଗାଡ଼ି ବିକ୍ରି ସମୟରେ ବିଆଇଏସ୍ ତଥା ଆଇଏସ୍ଆଇ ମାର୍କା ନିର୍ଦ୍ଧାରିତ ମାନର ହେଲ୍ମେଟ୍ ଗ୍ରାହକଙ୍କୁ ଦେବା ବାଧ୍ୟତାମୂଳକ। ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ରୋଡସେଫ୍ଟି କମିଟି ଉପରୋକ୍ତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ଅନେକ ଶୋ’ ରୁମ୍ କର୍ତ୍ତୃପକ୍ଷ ମାନୁନାହାନ୍ତି। ଅନ୍ୟପଟରେ ଯେଉଁମାନେ ବାଇକ୍ କିଣୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଓରିଜିନାଲ ବିଆଇଏସ୍ କିମ୍ବା ଆଇଏସ୍ଆଇ ହଲମାର୍କ ଥିବା ହେଲ୍ମେଟ୍ କିଣୁନାହାନ୍ତି। ଏହାର ମୂଲ୍ୟ ଅଧିକ ରହୁଥିବାରୁ ଫୁଥ୍ପାଥ୍ରେ ମିଳୁଥିବା ନକଲି, କମ୍ ମୂଲ୍ୟର ହେଲ୍ମେଟ୍ କିଣୁଛନ୍ତି। ଏଥିରେ ମଧ୍ୟ ନକଲି ବିଆଇଏସ୍ ଏବଂ ଆଇଏସ୍ଆଇ ହଲ୍ମାର୍କ ଲେଖା ରହୁଛି। ଏଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଦୁର୍ଘଟଣା ସମୟରେ ଅଣ୍ଡାଭଳି ଫାଟି ଯାଉଛି। ଆଇଏସ୍ଆଇ କିମ୍ବା ବିଆଇଏସ୍ ହଲମାର୍କ ନଥିବା ନିମ୍ନମାନର ହେଲ୍ମେଟ୍ ବିକ୍ରି ଏବଂ ବ୍ୟବହାର ନିଷେଧ ହୋଇଥିଲେ ବି କେହି ଏହାକୁ ମାନୁନାହନାହାନ୍ତି। ତେଣୁ ପୁଲିସ ହେଲ୍ମେଟ୍ ଯାଞ୍ଚ ସମୟରେ ଏହାକୁ ଗୁରୁତ୍ୱ ଦେବା ଜରୁରୀ। ତେବେ ପୁଲିସ ମଧ୍ୟ ତାହା ନକରି ଯେଉଁମାନେ ହେଲ୍ମେଟ୍ ପିନ୍ଧୁନାହାନ୍ତି ସେମାନଙ୍କଠାରୁ କେବଳ ଜରିମାନା ଆଦାୟ କରି ଛାଡ଼ି ଦେଉଛି। ରାଜଧାନୀର ରାସ୍ତା କଡ଼ରେ ଏହି ନକଲି ହେଲମେଟ୍ ବିକ୍ରି ହେଉଛି। ବିହାର ଏବଂ ୟୁପିରୁ ଏକାଧିକ ଲୋକ ସେଠାରୁ ଶସ୍ତା ହେଲ୍ମେଟ୍ ଆଣି ରାଜଧାନୀ ଭୁବନେଶ୍ୱରରେ ବିକ୍ରି କରୁଛନ୍ତି।
ଏନେଇ ଜଣେ ଫୁଟ୍ପାଥ୍ ବ୍ୟବସାୟୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ ଯେ, ଆଣ୍ଡାମାନ, କଲିକତା ଏବଂ ବିହାରରୁ ଅଧିକାଂଶ ଏହି ନକଲି ହେଲ୍ମେଟ୍ ଆସୁଛି। କମ୍ ମୂଲ୍ୟରେ ମିଳୁଥିବାରୁ ଗ୍ରାହକମାନେ ଆଇଏସ୍ଆଇ ଓ ବିଆଇଏସ୍ ହର୍ଲମାର୍କ ଦେଖୁନାହାନ୍ତି। ସେମାନେ କେବଳ ପୁଲିସ ନଜରରୁ ବର୍ତ୍ତିବା ପାଇଁ ହେଲ୍ମେଟ୍ ଖଣ୍ଡେ କିଣୁଥିବା କୁହନ୍ତି। ପୁଲିସ ବି ଯାଞ୍ଚ କରୁନଥିବାରୁ ସହରର ରାସ୍ତା କଡ଼ରେ ଏହି ନକଲି ହେଲମେଟ୍ ଛାଇ ଗଲାଣି। ସରକାର ଯେଉଁ ଉଦ୍ଦେଶ୍ୟ ରଖି ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ, ସେ ଉଦ୍ଦେଶ୍ୟ ସାଧିତ ହେଉନାହାନ୍ତି। ପୂର୍ବରୁ ହେଲ୍ମେଟ୍ ନପିନ୍ଧି ଘଟୁଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବର୍ତ୍ତମାନ ସମାନ ରହିଛି। ଲୋକେ ସଚେତନ ହେବା ସହ ପୁଲିସ ମଧ୍ୟ ରାସ୍ତା କଡ଼ରେ ବିକ୍ରି ହେଉଥିବା ନକଲି ହେଲ୍ମେଟ୍ ଦୋକାନ ଉପରେ ଚଢ଼ଉ କଲେ କିଛି ମାତ୍ରାରେ ଏହା ବିକ୍ରି ଉପରେ ରୋକ ଲାଗିବ ବୋଲି ଆଶା କରାଯାଉଛି।