ମୁହାଁମୁହିଁ ଧକ୍କା ହେଲା ଟ୍ରକ-ଭ୍ୟାନ୍‌ : ମଝିରେ ଫସି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ଗୁଣପୁର : ଟ୍ରକ ଓ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ବେଳେ ମଝିରେ ଫସିଗଲା ବାଇକ। ଯାହାଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହେବା ସହ ଆଇଚର ଭ୍ୟାନର ହେଲପର ଓ ବାଇକରେ ବସିଥିବା ଅନ୍ୟଜଣେ ବ୍ୟକ୍ତି ଆହତ ହୋଇଛନ୍ତି।  ଏଭଳି ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତ୍ରଗତ କନ୍ଧ ମଞ୍ଜୁରୁକୁପା ନିକଟ ରାୟଗଡା -ଭବାନୀପାଟଣା ମୁଖ୍ୟ ରାସ୍ତାରେ ।

ମିଳିଥିବା ସୂଚନା ଅନୁସାରେ ମୁନିଗୁଡା ପଟୁ ଏକ କୋଇଲା ବୋଝେଇ ଟ୍ରକ ସହ ବିପରିତ ଦିଗରୁ ଆସୁଥିବା ଏକ ଆଇଚର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଓ ଆଇଚର ମଧ୍ୟରେ ଫସି ଯାଇଥିଲା। ଯାହା ଫଳରେ ଦୁଇ ଗାଡିର ମଝିରେ ଚାପିହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ଜଣକ ଭବାନୀପାଟଣାର ଅଜୟ ସାସମଲ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ୨ ଆହତଙ୍କୁ ଚିକିତ୍ସା କରୁଥିବା ବେଳେ ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଖବରପାଇ ପୁଲିସ ପହଞ୍ଚି ତଦନ୍ତ ଯାରି ରଖିଛି ।

Leave a comment