ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ଭିଜିଲାନ୍ସ ଜାଲରେ ଆର୍‌ଆଇ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଏକ ଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳିଛି। ଘଟଣା ହେଲା ଭିଜିଲାନ୍ସ ବିଭାଗରୁ ଆସିଛି କହି ଜଣେ ବ୍ୟକ୍ତି ଗୋଷାଣୀ ବ୍ଲକର ଉପଲଡ଼ା ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କ ଠାରୁ ୮୫,୦୦୦ ଟଙ୍କା ଠକି ନେଇଛି। ଏହିପରି ନକଲି ଭିଜିଲାନ୍ସ ଅଧିକାରୀଙ୍କ ଶିକାର ହୋଇଛନ୍ତି ଉପଲଡ଼ା ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ ବିଶ୍ୱାଳ। ଏନେଇ ସେ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ର ନାଥ ପାତ୍ର ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି। ଥାନାଧିକାରୀ କହିଛନ୍ତି, ଅନୁସନ୍ଧାନରେ ଯାହା ସତ୍ୟତା ବାହାରିବ ନକଲି ଭିଜିଲାନ୍ସ ହେଉ କି ଅସଲି ଭିଜିଲାନ୍ସ ହେଉ ଯଦି ଅନ୍ୟାୟ ହୋଇଛି. ତେବେ ଛଡ଼ା ଯିବନି ଓ କୋର୍ଟର ଦ୍ୱାରସ୍ଥ କରାଯିବ।

ସୂଚନା ଅନୁସାରେ, ନକଲି ଭିଜିଲାନ୍ସ ବ୍ୟକ୍ତି ଜଣକ ଏକ ଘରୋଇ ଭଡ଼ା ଗାଡ଼ିରେ ଆରଆଇ କାର୍ଯ୍ୟାଳୟକୁ ଆସି ପିଅନକୁ ଆରଆଇ କେଉଁଠି ଅଛନ୍ତି ବୋଲି ପଚାରିଥିଲା। ଆରଆଇ ଖାଇ ବସିଥିବା ପିଅନ କହିଥିଲେ। ପରେ ଆରଆଇ ନକଲି ଭିଜିଲାନ୍ସ ସହ ସାକ୍ଷାତ କରିଥିଲେ। ସେ ବ୍ୟକ୍ତି ଜଣକ କହିଥିଲେ ମୁଁ ଭିଜିଲାନ୍ସ ବିଭାଗରୁ ଆସିଛି। ଆପଣଙ୍କ ନାମରେ ଭିଜିଲାନ୍ସ ଅନୁସନ୍ଧାନ ଚାଲିଛି ବୋଲି ଡରାଇ ଧମକାଇ ଓ ବହୁ କଥା କହି ନିଜ ଘରୋଇ ଭଡା ଗାଡିରେ ବସାଇ ନାରାୟଣପୁର ନେଇ ଯାଇଥିଲା। ସେଠାରେ ଆରଆଇ ନିଜ ବନ୍ଧୁବର୍ଗଙ୍କ ଠାରୁ ୫୦,୦୦୦ ଟଙ୍କା ଆଣି ସମ୍ପୃକ୍ତ ବ୍ୟକ୍ତିକୁ ଦେଇଥିଲେ। ନକଲି ଭିଜିଲାନ୍ସ ପୁଣି ତାଙ୍କୁ ସେହି ଗାଡ଼ିରେ ବସାଇ ପାଟିକୋଟା ଗ୍ରାମ ନିକଟକୁ ଆସିଥିଲା। ସେଠାରୁ ଆରଆଇ, ଏଆରଆଇଙ୍କୁ ଫୋନ କରି ଆଉ ୫୦,୦୦୦ ଟଙ୍କା ମାଗିଥିଲେ।

କିନ୍ତୁ ଏଆରଆଇ ୩୫,୦୦୦ଟଙ୍କା ଧରି ନିଜ ବାଇକରେ ସେଞ୍ଚୁରିୟନ କଲେଜ ନିକଟରେ ପହଞ୍ଚି ନକଲି ଭିଜିଲାନ୍ସକୁ ଦେଇଥିଲେ। ପରେ ଆରଆଇଙ୍କୁ ନକଲି ଭିଜିଲାନ୍ସ ଜଣକ ଉପଲଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଛାଡି ଚାଲିଯାଇଥିଲା। ଏନେଇ ସନ୍ଦେହ ହେବାରୁ ଆରଆରଇ ଗୁରାଣ୍ଡି ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗୁରାଣ୍ଡି ଥାନାରେ କେସ୍‍ ନଂ. ୫୭/୨୨, ୪୧୯/୪୨୦ରେ ଭାରତୀୟ ପିଙ୍ଗଲ କୋର୍ଡ ଧାରାରେ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣା ପରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ମନରେ ନକଲି ଭିଜିଲାନ୍ସ ପ୍ରତି କୋକୁଆ ଭୟ ପଶିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.