ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୁ ହୁ ହୋଇ ବଢୁଛି ଦରଦାମ୍‌, ଆଗକୁ ଆହୁରି ବଢିବ ଖାଦ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ :  ଦିନକୁ ଦିନ ବଢ଼ିବାରେ ଲାଗିଛି ବଜାର ଦର। ଏଥିରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୁସ୍କିଲ୍‌ ହୋଇପଡିଲାଣି ଘରର ଦୈନନ୍ଦୀନ ଗୁଜରାଣ ମେଣ୍ଟାଇବା। ଆଗକୁ ଖାଉଟିଙ୍କୁ ଏହି ମହଙ୍ଗା ମାଡ଼ରୁ ନିସ୍ତାର ମିଳିବା ସମ୍ଭାବନା କମ୍। କାରଣ ପାଇକାରୀ ମୁଦ୍ରାସ୍ଫୀତି ସହ ତାଳ ଦେଇ ମାସକୁ ମାସ ବଢ଼ିବାରେ ଲାଗିଛି ଖୁଚୁରା ମୁଦ୍ରାସ୍ଫୀତି। ଇତିମଧ୍ୟରେ ମହଙ୍ଗା ମାଡ଼ ବିଗତ ୮ ବର୍ଷର ରେକର୍ଡ ଭାଙ୍ଗିଛି। ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯%ରେ ପହଞ୍ଚିଛି। ଏହାର ପ୍ରଭାବରେ ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି, ଯାହା ଆଗାମୀ ଦିନରେ ମହଙ୍ଗା ମାଡ଼କୁ ଆହୁରି ତୀବ୍ରତ୍ତର କରିବ ବୋଲି ଏବେଠୁ ଅନୁମାନ କରାଯାଉଛି।

ଚଳିତବର୍ଷ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୧୪.୫୫%ରେ ରହିଥÒବାବେଳେ ଏହା ପୂର୍ବରୁ ଫେବୃଆରୀରେ ୧୩.୧୧ % ରହିଥିଲା। କ୍ରମାଗତ ଭାବେ ୧୨ ମାସ ଧରି ପାଇକାରୀ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ରହିଛି। ଏଭଳି ସମୟରେ ମାର୍ଚ୍ଚ ମାସରେ ଉପଭୋକ୍ତା ମୂଲ୍ୟ ସୂଚୀ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୭.୭୯% କୁ ବୃଦ୍ଧି ପାଇଛି। ଶେଷ ଥର ପାଇଁ ୨୦୧୪ ମେ’ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୮.୩୨% ରହିଥିଲା। ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ୮.୩୮%କୁ ବୃଦ୍ଧି ପାଇଛି। ଏପ୍ରିଲରେ ଖାଇବା ତେଲ କ୍ଷେତ୍ରରେ ମୁଦ୍ରାସ୍ଫୀତି ସର୍ବାଧିକ ୧୭.୨୮% ରହିଥିବାବେଳେ ପନିପରିବା କ୍ଷେତ୍ରରେ ୧୫.୪୧% ଏବଂ ତୈଳ ଓ ବିଦ୍ୟୁତ କ୍ଷେତ୍ରରେ ୧୦.୮୦% ରହିଛି। କ୍ରମାଗତ ଭାବେ ଏହା ହେଉଛି ଚତୁର୍ଥ ମାସ ଯେତେବେଳେ ମୁଦ୍ରାସ୍ଫୀତି ହାର ଆରବିଆଇର ସର୍ବୋଚ୍ଚ ସୀମା ୬% ଅତିକ୍ରମ କରିଛି। ଫେବୃଆରୀ ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୭%, ଜାନୁଆରୀରେ ୬.୦୧% ଏବଂ ମାର୍ଚ୍ଚରେ ୬.୯୫% ରେକର୍ଡ କରାଯାଇଥିଲା। ବର୍ଷକ ପୂର୍ବେ ଏପ୍ରିଲ ୨୦୨୧ ରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୩% ରହିଥିଲା ​।

ସମ୍ପ୍ରତି ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି ବୈଠକ ପରେ ପ୍ରଥମ ତ୍ରୈମାସରେ ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୬.୩%, ଦ୍ୱିତୀୟରେ ୫%, ତୃତୀୟରେ ୫.୪% ଏବଂ ଚତୁର୍ଥରେ ୫.୧% କୁ ବୃଦ୍ଧି କରିଛି। ଏହାପରେ ମୁଦ୍ରାନୀତି ସମୀକ୍ଷା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚ ମୁଦ୍ରାସ୍ଫୀତି ହେତୁ ସୁଧ ହାରରେ ୦.୪୦% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମୁଦ୍ରାସ୍ଫୀତି ସଂକ୍ରାନ୍ତ ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ଦେଶର ୮୭ ପ୍ରତିଶତରୁ ଅଧିକ ପରିବାର ବର୍ତ୍ତମାନ ଦରବୃଦ୍ଧି ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପ୍ରତି ୧୦ ପରିବାର ମଧ୍ୟରୁ ୯ ପରିବାରକୁ ଘାରିଛି ଏହି ଦରବୃଦ୍ଧି ଚିନ୍ତା। ବର୍ତ୍ତମାନର ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ଯଦି ବିଚାରକୁ ନିଆଯାଏ ତେବେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ସ୍ୱାଭାବିକ। ଯେଉଁ ହାରରେ ତେଲ ଦର ବଢ଼଼ୁଛି ଏଭଳି ହେଲେ ବର୍ତ୍ତମାନ ଠାରୁ ନିୟନ୍ତ୍ରଣ ବାହାରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦର ଆଗାମୀ ଦିନରେ ଆହୁରି ବଢ଼଼ିବ, ଯାହା ଖାଉଟିଙ୍କୁ ଆହୁରି କନ୍ଦାଇବ। ସାଧାରଣତଃ ପାଇକାରୀ ମୁଦ୍ରାସ୍ଫୀତି ବଢ଼଼ିଲେ ଖୁଚୁରା ମୁଦ୍ରାସ୍ଫୀତି ବଢ଼଼ିଥାଏ। ଅଶୋଧିତ ତୈଳ ଦର, କମୋଡିଟିର ମୂଲ୍ୟ, ଉତ୍ପାଦିତ ସାମଗ୍ରୀ ସମେତ ଅନ୍ୟ କେତେକ ଖର୍ଚ୍ଚକୁ ହିସାବ କରି ଖୁଚୁରା ମୁଦ୍ରାସ୍ଫୀତି ନିର୍ଦ୍ଧାରଣ କରାଯାଇଥାଏ। ଏମିତି ୨୯୯ ସାମଗ୍ରୀ ରହିଛି ଯେଉଁଗୁଡିକର ମୂଲ୍ୟକୁ ଅଧାର କରି ମୁଦ୍ରାସ୍ଫୀତି ବା ବଜାର ଦର ନିର୍ଣ୍ଣୟ କରାଯାଇଥାଏ।

Leave A Reply

Your email address will not be published.