ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ବିଜ୍ଞପ୍ତି

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି। ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମହିଳାଙ୍କ ଲାଗି ୫୦ ପ୍ରତିଶତ ଅର୍ଥାତ ୧୫ ସିଟ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସରକାର । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି। ଅନୁଗୁଳ ସହିତ କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି ଜିଲ୍ଲାକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୩ଟି ଜିଲ୍ଲାକୁ ସଂରକ୍ଷିତ ରଖାଯାଇଛି ।

ପ୍ରକାଶିତ ଚିଠା ସଂରକ୍ଷଣ ତାଲିକା ଅନୁସାରେ, ଅଣ ସଂରକ୍ଷିତ ବର୍ଗରେ ୧୨, ପଛୁଆ ବର୍ଗରେ ୪, ଅନୁସୂଚିତ ଜାତି ବର୍ଗରେ ୪ ଓ ଅନୁସୂଚିତ ଜନଜାତି ବର୍ଗରେ ୧୦ ଟି ବ୍ୟବସ୍ଥା କରାଯାଇଛି । ସେହିପରି ତାହା ମଧ୍ୟରେ ଅଣ ସଂରକ୍ଷିତ ବର୍ଗରେ ୬ ଜଣ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି । ଏହା ସହ ପଛୁଆ ବର୍ଗରେ ୨, ଅନୁସୂଚିତ ଜାତିରେ ୨, ଅନୁସୂଚିତ ଜନଜାତି ବର୍ଗରେ ୫ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି ।ଅନୁଗୁଳ ପଛୁଆ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ, କଟକ ଜିଲ୍ଲା ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ, କନ୍ଧମାଳ ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ, କଳାହାଣ୍ଡି ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, କେନ୍ଦୁଝର ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିବ। କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଂଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ନୂଆପଡ଼ା, ପୁରୀ, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିବ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୯୧ ମସିହା ଓଡିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା ୩ରେ ଅର୍ପିତ କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀଗୁଡିକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କ ପାଇଁ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ ଚିଠା ଉକ୍ତ ଧାରାର ଉପଧାରା ୫ ଅନୁସାରେ କରାଯାଇଛି । ଏହା ପ୍ରକାଶିତ ହେବାର ଦିନଠାରୁ ୧୦ ଦିନ ମଧ୍ୟରେ ସର୍ବସାଧାରଣଙ୍କଠାରୁ ଅଭିଯୋଗ କିମ୍ୱା ପରାମର୍ଶ ଆହ୍ୱାନ କରାଯାଉଛି।ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବସାଧାରଣଙ୍କ ଏନେଇ ଅଭିଯୋଗ କିମ୍ବା ପରାମର୍ଶ କରିପାରିବେ । ଅଭିଯୋଗ ଓ ପରାମର୍ଶ ମିଳିବା ପରେ ଏହାକୁ ବିଚାରକୁ ନେଇ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ସର୍ବସାଧାରଣ ସେମାନଙ୍କ ଅଭିଯୋଗ ବା ପରାମର୍ଶ ଇ-ମେଲ୍‌(dir-pr.od@gov.in/prsec.or@nic.in) ମାଧ୍ୟମରେ ଦାଖଲ କରିପାରିବେ।

ସୂଚନାଯୋଗ୍ୟ ଆସନ୍ତା ମାର୍ଚ୍ଚ ୫ ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି । ଚଳିତ ମାସ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଆଜି (ଶନିବାର) ଚିଠା ତାଲିକା ଜାରି କରାଯାଇଥିବା ବେଳେ ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶନ କରାଯିବ । ଏହା ସହ ୨୯ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.