ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନେଟ୍‍ ଉତ୍ତୀର୍ଣ୍ଣ ହୋଇ ନ ଥିଲେ ବି ପିଏଚ୍‍ଡି ସ୍କଲାରଙ୍କୁ ମିଳିବ ଫେଲୋସିପ୍‍, ଖୁବଶୀଘ୍ର ମାର୍ଗଦର୍ଶିକା ଆଣିବ ଉଚ୍ଚଶିକ୍ଷା ପରିଷଦ

ଭୁବନେଶ୍ୱର : ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଓ ଏ ସମ୍ପର୍କିତ ଅଧ୍ୟୟନ ଉତ୍କର୍ଷ ହେବ। ଗୁଣାତ୍ମକ ଗବେଷଣା ପାଇଁ ଉଚ୍ଚଶିକ୍ଷା ବିଭାଗ ଏଣିକି ବିଶେଷ ଗୁରୁତ୍ୱ ଦେବ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‍ଡି ଅଧ୍ୟୟନ କରୁଥିବା ଗବେଷଣାର୍ଥୀଙ୍କୁ ଫେଲୋସିପ୍‍ ରାଜ୍ୟ ସରକାର ଯୋଗାଇବେ। ପୂର୍ବରୁ କେବଳ ନେଟ୍‌ର ଉତ୍ତୀର୍ଣ୍ଣ ଗବେଷଣାର୍ଥୀଙ୍କୁ ରାଜ୍ୟ ସରକାର ଫେଲୋସିପ ପ୍ରଦାନ କରୁଥିବାବେଳେ ଏଣିକି ସମସ୍ତ ଗବେଷଣାରତ ପିଲାଙ୍କୁ ଫେଲୋସିପ୍‍ ଦିଆଯିବ।

ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚଡି ପାଇଁ ପଞ୍ଜୀକରଣ କରୁଥିବା ପିଲାଙ୍କୁ ଫେଲୋସିପ୍‍ ମିଳିବ। ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାରୀ ସ୍ତରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା(ଓୟୁଆରଆଇଆଇପି)ରେ ସାମାନ୍ୟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ୟୁଜିସି ନେଟ୍‍ ଉତ୍ତୀର୍ଣ୍ଣ ହୋଇଥିବା ଗବେଷଣାର୍ଥୀଙ୍କୁ ରାଜ୍ୟ ସରକାର ମାସିକ ୧୫ ହଜାର ଲେଖାଏଁ ଫେଲୋସିପ୍‍ ପ୍ରଦାନ କରୁଥିବାବେଳେ ଏବେ ନେଟ୍‍ ଉତ୍ତୀର୍ଣ୍ଣ ହୋଇ ନ ଥିବା ପିଲାଙ୍କୁ ମଧ୍ୟ ଫେଲୋସିପ୍‍ ପ୍ରଦାନ କରାଯିବ। ଅନେକ ଆର୍ଥିକ ଅନଗ୍ରସର ବର୍ଗର ଗବେଷଣାର୍ଥୀ ପିଏଚଡି ପଞ୍ଜୀକରଣ ପରେ ନିୟମିତ ଭାବେ ଗବେଷଣା କରୁ ନାହାନ୍ତି। କାମ ପାଇଁ ଅନ୍ୟତ୍ର ନିୟୋଜିତ ରହୁଛନ୍ତି।

ଗବେଷଣା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଗବେଷଣାରେ ଗୁଣାତ୍ମକତା ପରିଲକ୍ଷିତ ହେଉନି। ତେଣୁ ଏହାର ସମାଧାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଅଭିନବ ଯୋଜନା କରିଛି। ସମସ୍ତ ପିଏଚଡି ଗବେଷଣାର୍ଥୀଙ୍କୁ ଫେଲୋସିପରେ ସାମିଲ ଓ ଆର୍ଥିକ ସହାୟତା ରାଶି ହେବା ପାଇଁ ନିଷ୍ପତ୍ତି ନେଇଛି। ତେବେ ନେଟ୍‍ ଉତ୍ତୀର୍ଣ୍ଣ ପିଲାଙ୍କ ଠାରୁ ଉତ୍ତୀର୍ଣ୍ଣ ହୋଇ ନ ଥିବା ଗବେଷଣାର୍ଥୀ କମ୍‍ ଫେଲୋସିପ୍‍ ପାଇବେ। ହେଲେ କେତେ ଟଙ୍କାର ଫେଲୋସିପ୍‍ ଦିଆଯିବ ତାହା ଚୂଡ଼ାନ୍ତ ହୋଇନି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ଗ୍ରହଣ କରିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।

ସୂଚନାଥାଉକି ନିକଟରେ ଉଚ୍ଚଶିକ୍ଷା ବିଭାଗ ଓୟୁଆରଆଇଆଇପି ଅଧୀନରେ ଫେଲୋସିପ୍‍କୁ ୫ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆସନ୍ତ ବର୍ଷରୁ ମଧ୍ୟ ନେଟ୍‍ ଉତ୍ତୀର୍ଣ୍ଣ ହୋଇ ନ ଥିବା ପିଏଚଡି ଛାତ୍ରଛାତ୍ରୀଙ୍କୁ ଓୟୁଆରଆଇଆଇପିରେ ସାମିଲ୍‍ ପାଇଁ ଉଚ୍ଚଶିକ୍ଷା ପରିଷଦ ନିଷ୍ପତ୍ତି ହୋଇଛି। ଓୟୁଆରଆଇଆଇପିରେ ବିଶ୍ୱବିଦ୍ୟାଳୟ କିମ୍ୱା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍‍ ପ୍ରଦାନ କରାଯାଉଛି। ସେହିପରି ସନ୍ଦର୍ଭ ପ୍ରକାଶନ ନିମନ୍ତେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସିଡ୍‍ ଫଣ୍ଡ ନିମନ୍ତେ ଯୁବ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ବୟସ ସୀମା ୪୫ ବର୍ଷ ରଖାଯାଇଥିବାବେଳେ ଫେଲୋସିପ୍‍ ନିମନ୍ତେ ବୟସ ସୀମା ୩୫ ବର୍ଷ ରଖାଯାଇଛି। ମହିଳାମାନଙ୍କ ପାଇଁ ଏଥିରେ ୪୦ ପ୍ରତିଶତ ସିଟ୍‍ ସଂରକ୍ଷଣ ରହିଛି। ତେବେ ସମସ୍ତ ଗବେଷଣାର୍ଥୀଙ୍କୁ ଫେଲୋସିପ୍‍ ଦେବା ପାଇଁ ଉଚ୍ଚଶିକ୍ଷା ପରିଷଦର ଯୋଜନା ରାଜ୍ୟର ଗବେଷଣା ଓ ଅଧ୍ୟୟନକୁ ଅଧିକ ସଶକ୍ତ କରିବ ବୋଲି ଅବସରପ୍ରାପ୍ତ ପ୍ରଧ୍ୟାପକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି।

Leave A Reply

Your email address will not be published.