ନିୟନ୍ତ୍ରଣ ବାହାରେ ଦେଶର ମୁଦ୍ରାସ୍ଫୀତି, ପୁଣି ରେପୋ ରେଟ୍ ବଢାଇଲା ଆରବିଆଇ

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକର ଶେଷ ଦିବସରେ ସୁଧହାର ଘୋଷଣା କରିଛି। ଏଥିରେ କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ’ ମାସ ଭଳି ଜୁନ୍ରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ପୁନର୍ବାର ବୃଦ୍ଧି କରିଛି। ଏହି ବୃଦ୍ଧି ପରେ ରେପୋ ହାର ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି | ବୁଧବାର ମୁଦ୍ରା ନୀତି କମିଟିର ବୈଠକର ନିଆଯାଇଥିବା ନିଷ୍ପତ୍ତି ବିଷୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।
ଏହାପୂର୍ବରୁ, ମେ ୪ରେ, ହଠାତ୍ ରେପୋ ହାରକୁ ୪୦ ବେସିକ୍ ପଏଣ୍ଟକୁ ବୃଦ୍ଧି କରି ଆରବିଆଇ ଆଚମ୍ବିତ କରିଥିଲା। ଏହି ସମୟ ମଧ୍ୟରେ ନଗଦ ରିଜର୍ଭ ଅନୁପାତ (CRR) ମଧ୍ୟ ୦.୫୦ ପ୍ରତିଶତକୁ ୪.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହା ବୃଦ୍ଧି ପାଇଛି । ସୁଧ ହାର ବୃଦ୍ଧି ପ୍ରସ୍ତାବ ଉପରେ ଏମପିସି ସର୍ବସମ୍ମତି କ୍ରମେ ଭୋଟ୍ ଦେଇଛି। ଏହା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛିନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ, ଦ୍ରବ୍ୟ, ଆର୍ଥିକ ବଜାର ମାନ୍ଦା ଏବଂ ଅସ୍ଥିରତା ବୃଦ୍ଧି ଭଳି କାରଣ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ ଯେ, ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ। ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।
ରେପୋ ରେଟ୍ କ’ଣ?
ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍ ଲୋନ୍, କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ