ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

ଓଡ଼ିଶାରେ ସ୍ବାଧୀନତା କାଳରେ ଯେଉଁ କତିପୟ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ଘଟିଥିଲା ସେମାନଙ୍କ ମଧ୍ୟରେ କୁନ୍ତଳା କୁମାରୀ ସାବତ ଅନ୍ୟତମ । ସେ ପ୍ରଥମ ଓଡ଼ିଆ ମହିଳା ଡାକ୍ତର ଥିଲେ। ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନା । ତତ୍କାଳୀନ ସମାଜରେ ପୂରି ରହିଥିବା ଅନ୍ଧବିଶ୍ବାସ, କୁସଂସ୍କାର ବିଶେଷତଃ ନାରୀଜୀବନର ବିବିଧ ସମସ୍ୟାକୁ ଦୂରେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନର ପରିକଳ୍ପନା ସେ କରିଥିଲେ। ଏକାଧାରରେ ସେ ଥିଲେ ଜଣେ ନାରୀ କବି, ଔପନ୍ୟାସିକା ତଥା ସମ୍ପାଦିକା। ସ୍ବଳ୍ପ ଅବଧିର ଜୀବନ କାଳରେ ସେ ସୃଷ୍ଟି କରିଥିଲେ ଏକାଧିକ ମର୍ମସ୍ପର୍ଶୀ କାବ୍ୟଗ୍ରନ୍ଥ, ଉପନ୍ୟାସ ଓ ପ୍ରବନ୍ଧ। ଜାତିପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ କୁନ୍ତଳା। ପରଦା ପ୍ରଥା, ବାଲ୍ୟ ବିବାହ ଓ ଲିଙ୍ଗଗତ ବାଛବିଚାର ବିରୋଧରେ ସେ ଲେଖନୀ ଚାଳନା କରୁଥିଲେ।
୧୯୦୧ ମସିହା ଆଜିର ଦିନରେ କୁନ୍ତଳା, ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ବସ୍ତରର(ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲା) ଜଗଦଳପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡାନିଏଲ୍ ସାବତ, ସେ ଜଣେ ଡାକ୍ତର ଥିଲେ। ଏଥିପାଇଁ ପିତାଙ୍କ ସହ ସୁଦୂର ବର୍ମାରେ ସେ କିଛି କାଳ ରହିଥିଲେ। ବର୍ମାରେ ହିଁ କୁନ୍ତଳାଙ୍କ ଶୈଶବ ଓ କୈଶୋର ଜୀବନ କଟିଥିଲା। ପରେ ସେ ମା’ଙ୍କ ସହ ଖୋର୍ଦ୍ଧା ଆସିଥିଲେ। ସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ଶିକ୍ଷାଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ) ଡାକ୍ତରୀ ପଢ଼ି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ। ସମୟରେ ନାରୀ ଶିକ୍ଷା ଆଦୌ ନ ଥିଲା । ଏହି ଶିକ୍ଷା ନିମନ୍ତେ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା।
ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ। ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ। ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଜାତୀୟ ସ୍ବାଧୀନତା ଆନ୍ଦୋଳନରେ ସେ ଥିଲେ ଜଣେ ଉଜ୍ଜ୍ବଳ ତାରକା। ଓଡ଼ିଆ ଭାଷାର ସ୍ବଳ୍ପ ଜ୍ଞାନକୁ ସମ୍ବଳ କରି ସେ ମାତ୍ର ଦଶବର୍ଷ ବୟସରେ କବିତା ରଚନା କରିଥିଲେ। ସେ ବୟସରୁ ଆରମ୍ଭ କରି ସେ ଆଜୀବନ ସାହିତ୍ୟ ଉପାସିକା ହୋଇ ରହିଗଲେ। ତାଙ୍କ ଚର୍ଚ୍ଚିତ କବିତାଗୁଡ଼ିକ ମଧ୍ୟରେ ଥିଲା ‘ଅଞ୍ଜଳି’, ‘ଉଚ୍ଛ୍ବାସ’, ‘ଆହ୍ବାନ’, ‘ଅଭିଶପ୍ତର ଅଭିମାନ’, ‘ପୂଜା’ ଏବଂ ‘ଶେଫାଳି ପ୍ରତି’। କେବଳ କବିତା ନୁହେଁ, ‘ଭ୍ରାନ୍ତି’, ‘ନଅତୁଣ୍ଡୀ’, ‘କାଳୀ ବୋହୂ’, ‘ପରଶମଣି’, ‘ରଘୁ ଅରକ୍ଷିତ’ ଆଦି ଅନେକ ସଫଳ ଉପନ୍ୟାସର ମଧ୍ୟ ଥିଲେ ସ୍ରଷ୍ଟା ।
ଓଡ଼ିଆ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ। ହିନ୍ଦୀ ଓ ଇଂରାଜୀରେ ମଧ୍ୟ ସେ ଲେଖୁଥିଲେ। ‘ମହାବୀର’, ‘ଜୀବନ’ ଓ ‘ନାରୀ ଭାରତୀ’ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ‘ଭାରତୀ ତପୋବନ ସଂଘ’ ନାମରେ ଏକ ସମିତି ଗଢ଼ିଥିଲେ । ୧୯୨୫ ମସିହାରେ ‘ମହିଳା ବନ୍ଧୁ ସମିତି’ ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ୧୯୩୮ ମସିହା ଅଗଷ୍ଟ ୨୩ରେ ମାତ୍ର ୩୭ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ।