ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୂପାନ୍ତରଣ ପଥରେ ରାଜ୍ୟର ସବୁ ଅଞ୍ଚଳର ପ୍ରସିଦ୍ଧ ଧାର୍ମିକ ପୀଠ

ଭୁବନେଶ୍ୱର: ଧାର୍ମିକ ପୀଠର ରୂପାନ୍ତରଣ ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର। କେବଳ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ନୁହେଁ; ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଅକ୍ଷତ ରଖି ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଜ ରାଜନୈତିକ ଜୀବନକୁ ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି ମନେ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଧର୍ମସ୍ଥଳୀର ରୂପାନ୍ତରଣକୁ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ରାଜ୍ୟର ବିଭିନ୍ନ ଧାର୍ମିକ ପୀଠର ବିକାଶ ପାଇଁ କାର୍ଯ୍ୟ କରାଯାଉଛି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିକ୍ରମା, ଏକାମ୍ର କ୍ଷେତ୍ର ଓ ସମଲେଇ ପ୍ରକଳ୍ପ ନିମନ୍ତେ ବିପୁଳ ଅର୍ଥ ଅନୁମୋଦନ କରାଯାଇଛି। ହରିଶଙ୍କର ଓ ନୃସିଂହନାଥ ପୀଠ ସହ ନୀଳମାଧବ, କଟକଚଣ୍ଡୀ, ଆରଡ଼ି, ତାରିଣୀ, ଅଲାରନାଥ, ଲୋକନାଥ ପୀଠ ନିମନ୍ତେ ଅର୍ଥ ଅନୁମୋଦନ କରାଯାଇଛି। ସେହିପରି ଭଗବତୀ ଓ ଉଗ୍ରତାରା ମନ୍ଦିର କାର୍ଯ୍ୟ ନିଜେ ୫-ଟି ସଚିବ ଅନୁଧ୍ୟାନ କରିଛନ୍ତି। ଖୁବ୍‍ ଶୀଘ୍ର ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ ପରେ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି।

କୌଣସି ପ୍ରକଳ୍ପ ଆରମ୍ଭ କରିବାକୁ ପୂର୍ବରୁ ଆବଶ୍ୟକ ସର୍ଭେ, କିଭଳି ରୂପାନ୍ତରଣ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଉଛି। ସ୍ଥାନୀୟ ମନ୍ଦିର ସେବାୟତ, ମନ୍ଦିରକୁ ଭିତ୍ତିକରି ଗଢି ଉଠିଥିବା ଅର୍ଥନୈତିକ ଶୃଙ୍ଖଳ, ପର୍ଯ୍ୟଟକ ଓ ଭକ୍ତଙ୍କ ମତାମତ ସଂଗ୍ରହ କରାଯାଇ ନିୟମ ପ୍ରଣୟନ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ବିଶେଷ ନଜର ହେତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଖୋଦ ପ୍ରକଳ୍ପ ଗୁଡ଼ିକର ନିୟମିତ ସମୀକ୍ଷା କରୁଛି। ରାଜ୍ୟର ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଉନ୍ନୟନର ଯାଞ୍ଚ ନିୟମିତ କରୁଛନ୍ତି। ଏହି କ୍ରମରେ ଆଉ କିଛିମାସ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବାର ସୂଚନା ମିଳିଛି। ଶ୍ରୀମନ୍ଦିର ଚତୁଃ ପାର୍ଶ୍ବ ଉନ୍ନୟନ, ଶ୍ରୀ ସେତୁ, ମାର୍କେଟ କମ୍ପଲେକ୍ସ, ବହୁତଳ ପାର୍କିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି। ସରକାରଙ୍କ ଏହି ପ୍ରକଳ୍ପ ପାଇଁ ପୁରୀବାସୀ ସ୍ୱେଚ୍ଛାରେ ନିଜର ଜମି ପ୍ରଦାନ କରିଛନ୍ତି। ଏହା ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଇଁ ଏକାମ୍ର କ୍ଷେତ୍ର ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାର କିଛି ଅଂଶର ପ୍ରତିଫଳନ ଏବେ ସ୍ପଷ୍ଟ ରୂପରେ ବାରି ହୋଇ ପଡୁଛି। ଏହି ଆଧ୍ୟାତ୍ମ ରୂପାନ୍ତରଣ କେବଳ ପୁରୀର ଶ୍ରୀମନ୍ଦିର ଏବଂ ରାଜଧାନୀର ଶ୍ରୀଲିଙ୍ଗରାଜ ମନ୍ଦିରରେ ସୀମିତ ହୋଇ ରହିନାହିଁ। ସମ୍ବଲପୁରରେ ସମଲେଶ୍ୱରୀ କ୍ଷେତ୍ର, ବଲାଙ୍ଗୀରର ନୃସିଂହନାଥ ଓ ହରିଶଙ୍କରର ରୂପାନ୍ତରଣ ନେଇ ମଧ୍ୟ ପ୍ରୟାସ ଆରମ୍ଭ ହୋଇଯାଇଛି। ପୁରୀର ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପାଇଁ ୩୩୦ରୁ ଊର୍ଦ୍ଧ୍ବ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରାଯାଇଥିଲା। ଏହା ବ୍ୟତୀତ ପୁରୀର ଅନ୍ୟାନ୍ୟ ଉନ୍ନୟନ ପାଇଁ ପ୍ରକଳ୍ପୱାରୀ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରର ଏକାମ୍ର କ୍ଷେତ୍ର ଯୋଜନା ପାଇଁ ସାମଗ୍ରିକ ଭାବେ ୭୦୦ କୋଟି, ସମଲେଇ ପ୍ରକଳ୍ପ ନିମନ୍ତେ ୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନୁରୂପ ଭାବେ ନୟାଗଡ଼ର କଣ୍ଟିଲୋର ନୀଳମାଧବ ମନ୍ଦିର, କଟକ ଜିଲ୍ଲାର କଟକ ଚଣ୍ଡୀ, ଭଦ୍ରକ ଜିଲ୍ଲାର ଆରଡି, କେନ୍ଦୁଝର ଜିଲ୍ଲାର ଘଟଗାଁ , ଜଗତସିଂହପୁର ଜିଲ୍ଲାର ମା’ ସାରଳା ପୀଠ ଏବଂ ନିକଟରେ ରାଜଧାନୀରେ ଶିଖରଚଣ୍ଡୀ ଓ ବରଗଡ଼ ଜିଲ୍ଲା ପଦ୍ମପୁରରେ ଥିବା ନୃସିଂହନାଥ ପୀଠର ଉନ୍ନୟନ ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟାନ୍ୱୟନ ହେଉଛି। ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ପୀଠ ସର୍ବପ୍ରଥମେ ରୂପାନ୍ତରଣ ସ୍ପର୍ଶ ପାଇଛି। ସେଠାରେ ସାଧାରଣ ଦର୍ଶନରେ ଶୃଙ୍ଖଳା ଠାରୁ ଆରମ୍ଭ କରି ପ୍ରସାଦ ସେବନ, ଚତୁଃ ପାର୍ଶ୍ବ ଉନ୍ନୟନର ଝଲକ ଦେଖିବାକୁ ମିଳିଛି। କେବଳ ଓଡ଼ିଶା ନୁହେଁ ପଡୋଶୀ ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା ଏବଂ ଛତିଶଗଡର ଭକ୍ତମାନେ ମଧ୍ୟ ତାରାତାରିଣୀ ଆସି ବେଶ୍‍ ଖୁସିରେ ଫେରୁଛନ୍ତି।

ଧର୍ମସ୍ଥଳୀକୁ ଭିତ୍ତିକରି ଗଢି ଉଠିଥିବା ଛୋଟ ଅର୍ଥନୈତିକ କାରବାରକୁ ପ୍ରଶାସନ ସର୍ବାଧିକ ଗୁରୁତ୍ୱ ଦେଇଛି। ସବୁ ପୀଠରେ ପୂଜା ସାମଗ୍ରୀ ବିକ୍ରୟ ଆରମ୍ଭ କରି କ୍ଷୁଦ୍ର ଦୋକାନୀମାନଙ୍କ ପାଇଁ କମ୍ପେ୍ଲକ୍ସ୍ସ ବ୍ୟବସ୍ଥା କରାଯାଇଛି। ପୀଠର ସେବାୟତ ବୀମା, ହୋଇଥିବା ରୂପାନ୍ତରଣକୁ ରକ୍ଷଣାବେକ୍ଷଣକୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଉଛି। ବରିଷ୍ଠ ନାଗରିକ, ସାଧାରଣ ଭକ୍ତ ଏବଂ ଯୁବ ବର୍ଗଙ୍କ ପାଇଁ ଓଡ଼ିଶା ଆଧ୍ୟାତ୍ମସ୍ଥଳୀ ପରିଦର୍ଶନ ନୂଆ ଟୁରିଷ୍ଟ ଡେଷ୍ଟିନେସନ୍‍ ପ୍ରତୀୟମାନ ହୋଇଛି।

Leave A Reply

Your email address will not be published.