ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏ ବର୍ଷ ପ୍ରଚଣ୍ଡ ଖରାରୁ ମିଳିବ ଆଶ୍ୱସ୍ତି : ବଢିବନି ଗରମ, କମିବନି ବର୍ଷା

ମେ’ରୁ ଜୁଲାଇ ବି ବଢ଼଼ିବନି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ଖରା ଦିନରେ ବିଶେଷ ଗରମ ହେବାର ସମ୍ଭାବନା ନାହିଁ। ମେ’ ମାସର ଆକଳନ କହୁଛି ଯେ ଚଳିତ ବର୍ଷ ଗରମ କମ ସହିତ ମଝି ମଝିରେ ବର୍ଷା ହେବ। ଚଳିତ ବର୍ଷ ଏପ୍ରିଲ ମାସରେ ତାପମାତ୍ରା ସ୍ୱାଭାବିକ ରହିବାକୁ ଥିବା ବେଳେ ମେ’ ମାସରୁ ଜୁଲାଇ ପର୍ଯ୍ୟନ୍ତ ତାପମାତ୍ରା କମ୍‍ ରହିବା ସହ ସ୍ବାଭାବିକ ଭାବେ ମୌସୁମୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସାମୁଦ୍ରିକ ଜଳପତ୍ତନର ତାପମାତ୍ରା ଓ ବାୟୁମଣ୍ଡଳର ତଥ୍ୟକୁ ଆଧାର କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ୍‍ ରହୁଥିବାରୁ ଲା-ନିନାର ପ୍ରଭାବ ରହିଛି। ଏହି ସ୍ଥିତି ଆସନ୍ତା ଏପ୍ରିଲ୍‍ ପର୍ଯ୍ୟନ୍ତ ଚାଲୁ ରହିବ। ମେ’ରୁ ଅଗଷ୍ଟ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ‘ଇଏନସ୍‍ଓ’ରେ ରହିବ। ସାଧାରଣ ଭାବେ ଲା-ନିନା ସମୟରେ ଭାରତରେ ବର୍ଷା ଅଧିକ ହୋଇଥାଏ। ଏପରିକି ‘ଇଏନଏସ୍‍ଓ’ ସ୍ୱାଭାବିକ ସମୟରେ ମଧ୍ୟ ବର୍ଷା ଅଧିକ ହୋଇଥାଏ। ବର୍ଷା ଅଧିକ ହେଲେ ତାପମାତ୍ରା କମ୍‍ ରହିଥାଏ। ମଧ୍ୟ ଫେବୃଆରୀରେ ‘ଆଇଓଡି’ ସ୍ୱାଭାବିକ ଅବସ୍ଥାରେ ରହିଥିଲା। ଏହା କ୍ରମଶଃ ବଢ଼଼ିବ। ତଥାପି ଜୁଲାଇ ମାସରେ ଏହା ସ୍ୱାଭାବିକ ଅବସ୍ଥାରେ ରହିବାର ଆକଳନ କରାଯାଇଛି। ତେବେ ଆଇଓଡିର ପ୍ରଭାବ ଭାରତର ପାଣିପାଗ ଏପ୍ରିଲ୍‍ ପରେ ହିଁ ଦେଖାଯାଇଥାଏ। ଏହି ସବୁ କାରଣ ପାଇଁଓଡ଼ିଶାରେ ଏପ୍ରିଲ୍‍ ମାସରେ ତାପମାତ୍ରା ସ୍ୱାଭିବକ ରହିବ। ମେ’ରୁ ଜୁଲାଇ ପର୍ଯ୍ୟନ୍ତ ତାପମାତ୍ରା କମ୍‍ ରହିବାର ୪୦-୬୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ରାଜ୍ୟ ପାଇଁ ବର୍ଷାର ଦୃଶ୍ୟପଟ୍ଟ ଆକଳନ କରି ପ୍ରଫେସର ପଶୁପାଳକ କହିଛନ୍ତେ ଯେ ଏପ୍ରିଲ୍‍ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶା ବର୍ଷା କମ୍‍ ହେବାର ସମ୍ଭାବନା ୪୦ ପ୍ରତିଶତ ଥିବା ବେଳେ ମେ’ ଓ ଜୁନ୍‍ରେ ଅଧିକ ବର୍ଷା ହେବାର ସମ୍ଭବନା ରହିଛି। ଯଦି ଉଭୟ ତାପମାତ୍ରା ଓ ବର୍ଷାର ଆକଳନକୁ ବିଚାର କରାଯାଏ, ଜୁନ୍‍ ମାସରେ ଅଧିକ ବର୍ଷା ଓ କମ୍‍ ତାପମାତ୍ରା ଇଙ୍ଗିତ ଦେଉଛି ଯେ ଜୁନ୍‍ ମାସରେ ମୌସୁମୀର ସ୍ୱରୁପ ଠିକ୍‍ ରହିବ। ଏହି ଦୃଷ୍ଟିରୁ ମୌସୁମୀର ପ୍ରାଥମିକ ପର୍ଯ୍ୟାୟ ଅର୍ଥାତ ଜୁଲାଇ ପର୍ଯ୍ୟନ୍ତ ବର୍ଷା କମିବାର ସମ୍ଭାବନା କମ୍‍ ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକ କହିଛନ୍ତି। ସାଧାରଣତଃ ମୌସୁମୀ ବର୍ଷା ସାମୁଦ୍ରିକ ଓ ବାୟୁମଣ୍ଡଳର ସ୍ଥିତି ଉପରେ ନିର୍ଭର କରେ। ସେଥି ମଧ୍ୟରୁ ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ଉପରେ ଆଧାରିତ ‘ଇଏନଏସ୍‍ଓ’, ‘ଆଇଓଡି’ ଓ ‘ଏମଜେଓ’ ପ୍ରମୁଖ କାରକ ସାଜିଥାନ୍ତି। ସେହିପରି ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ମଧ୍ୟ ମୌସୁମୀ ବର୍ଷା ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ପଶ୍ଚିମା ଝଡ଼ର ପ୍ରଭାବ ମୁଖ୍ୟତଃ ଶୀତ ଦିନେ ଦେଖାଦିଏ। ଯଦିବା ବେଳେ ବେଳେ ଏହା ଗ୍ରୀଷ୍ମ ଋତୁରେ ବର୍ଷା ଏବଂ ତତ୍‍ ଜନିତ ଗରମକୁ ମଧ୍ୟ ପ୍ରଭାବିତ କରିଥାଏ।

Leave A Reply

Your email address will not be published.