ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ, ଓଡ଼ିଶାର ୨୨ ଜିଲାରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ ସହ ସଚେତନତା ସୃଷ୍ଟି

ଭୁବନେଶ୍ୱର: କୋଭିଡ୧୯ ସୁରକ୍ଷା ସମ୍ପର୍କିତ ସତର୍କତା ଓ ନିୟମାବଳୀକୁ ପାଳନ କରିବାର ଗୁରୁତ୍ୱକୁ ଦୋହରାଇ ରିଲାଏନ୍ସ ଫାଉଣ୍ଡେସନ ଏହାର ମିଶନ କୋଭିଡ ସୁରକ୍ଷା ଅଭିଯାନର ଅଂଶ ଭାବରେ ଓଡିଶାର ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା ଏବଂ ଅଗ୍ରଣୀ ଏନଜିଓ ସହଭାଗୀଙ୍କ ସହିତ ମିଶି ରାଜ୍ୟର ୨୨ ଜିଲାର ବିଭିନ୍ନ ଅଂଚଳରେ ନିକଟରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରିଛି ।

କୋଭିଡ ସୁରକ୍ଷା ନିୟମାବଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ପୁଲିସ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ପୌର ପରିମଳ କର୍ମଚାରୀଙ୍କ ଭଳି ଆଗଧାଡିର ଯୋଦ୍ଧା, ଏଚଆଇଭି ଭଳି ଗୁରୁତର ଅସୁସ୍ଥତା ମଧ୍ୟରେ ଜୀବନ ନିର୍ବାହ କରୁଥିବା ବ୍ୟକ୍ତିବିଶେଷ, ସ୍କୁଲ୍ ଯାଉଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ, ଜୀବିକା ଉପାର୍ଜନ ସହାୟକ କାର୍ୟ୍ୟକ୍ରମରେ ସଂପୃକ୍ତ ଥିବା କୃଷକ ମିତ୍ର, କିଷାନ ମିତ୍ର, ପ୍ରାଣୀ ମିତ୍ର, ଗୋସମ୍ପଦ ସହାୟକ ଆଦି ତୃଣମୂଳ ସ୍ତରର କର୍ମୀଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ମାସ୍କ ପ୍ରଦାନ କରାଯାଇଛି । ଏତଦ୍‌ବ୍ୟତୀତ ନିଜ ଗୁଜୁରାଣ ମେଣ୍ଟାଇବାକୁ ବହୁ ସଂଖ୍ୟାରେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ନିର୍ମାଣ କ୍ଷେତ୍ରରେ ନିୟୋଜିତ ଶ୍ରମିକ, ଦିନ ମଜୁରିଆ ତଥା ଦୁଗ୍ଧ ସମବାୟ ସମିତି, ଏପିଏମ୍‌ସି ଓ ମତ୍ସ୍ୟ ଅବତରଣ କେନ୍ଦ୍ର ଭଳି ସ୍ଥାନରେ ପ୍ରତିଦିନ ସମବେତ ହେଉଥିବା ଗୋପାଳକ, ମତ୍ସ୍ୟଜୀବୀ ଏବଂ ପନିପରିବା, ଫଳ ଓ ମାଛ ଆଦି ବିକ୍ରି କରୁଥିବା ବୁଲା ବିକାଳି, ରିକ୍ସା ଚାଳକ, ଅଟୋରିକ୍ସା ଓ ବସ୍ ଚାଳକ ଆଦିଙ୍କୁ ମାସ୍କ ପ୍ରଦାନ କରିଛି ।

ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ ସରକାରୀ ବିଭାଗ, ଓଡ଼ିଶା ଗୁଜରାଟି ସମାଜ, ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି (ଓସାକ୍‌ସ), ପ୍ରାଣୀ ସମ୍ପଦ ବିକାଶ ବିଭାଗ, ପ୍ରେମ୍ ଏନଜିଓ, ପରିବର୍ତ୍ତନ ଏନ୍‌ଜିଓ ଏବଂ ବିଭିନ୍ନ ଜିଲାରେ ଥିବା ମତ୍ସ୍ୟଜୀବୀ ସଂଘ ଆଦି ସହ ଏହି ମାସ୍କ ବଣ୍ଟନ ପାଇଁ ସହଭାଗିତା କରିଛି ।

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ ଜରିଆରେ ମାସ୍କ ପରିଧାନ ସହିତ ସୁରକ୍ଷା ଏବଂ ସଚେତନତାକୁ ପ୍ରୋତ୍ସାହିତ କରୁଛି । ଏପର୍ୟ୍ୟନ୍ତ ରିଲାଏନ୍ସ ଫାଉଣ୍ଡେସନ ୧୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର୍‌ଶାସିତ ଅଂଚଳରେ ବିଭିନ୍ନ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ସହଭାଗୀଙ୍କ ସହଯୋଗରେ ଆପଦାପୂର୍ଣ୍ଣ ଜନସମୁଦାୟଙ୍କୁ ୫୦ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରିସାରିଛି । ମିଶନ କୋଭିଡ ସୁରକ୍ଷା ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଦେଶରେ ସମ୍ମୁଖ ଭାଗର ଯୋଦ୍ଧା ଏବଂ ବିଭିନ୍ନ ଜନସମୁଦାୟଙ୍କୁ ମାସ୍କ ପରିଧାନ କରିବାର ନିରନ୍ତର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଉଛି ଏବଂ ମାସ୍କ ବଣ୍ଟନ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ଏହାର ମିଶନ ଅନ୍ନ ସେବା ଜରିଆରେ ଲକ୍‌ଡାଉନ ସମୟରେ ସମଗ୍ର ଦେଶରେ ୫ କୋଟିରୁ ଅଧିକ ଭୋଜନ ଯୋଗାଇଥିଲା, ଯାହା ବିଶ୍ୱର ଯେକୌଣସି ସ୍ଥାନରେ ଏକ କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ ହାତକୁ ନିଆଯାଇଥିବା ଭୋଜନ ବଣ୍ଟନ କାର୍ୟ୍ୟକ୍ରମ ମଧ୍ୟରେ ସର୍ବବୃହତ । ଏହା ସମଗ୍ର ଦେଶରେ ସହାୟତା ଆବଶ୍ୟକ କରୁଥିବା ସମୁଦାୟ ଏବଂ ଶ୍ରମିକମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଏବଂ ଶୁଷ୍କ ରାସନ କିଟ୍ ବଣ୍ଟନ କରିଥିଲା । ଏହି ମିଶନ୍‌ର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ସ୍ଥାନୀୟ ଏନ୍‌ଜିଓଙ୍କ ସହଭାଗିତାରେ ଓଡ଼ିଶାର ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭଦ୍ରକ ଜିଲାରେ ବସ୍ତି ବାସିନ୍ଦା, ଜରା ନିବାସ ଏବଂ ପ୍ରବାସୀ ଶ୍ରମିକ ଶିବିରଗୁଡିକରେ ହଜାର ହଜାର ପରିବାରଙ୍କୁ ଶୁଷ୍କ ରାସନ କିଟ୍ ବଣ୍ଟନ କରିଥିଲା । ଏହି ଶୁଷ୍କ ରାସନ କିଟ୍ ବଣ୍ଟନ କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ପରିବାର ଓ ବ୍ୟକ୍ତିଙ୍କ ମଧ୍ୟରେ ରିକ୍ସାଚାଳକ, ସହରର ସଫେଇ ଏବଂ ପରିମଳ କର୍ମଚାରୀ, ଜରା ନିବାସର ଅନ୍ତେବାସୀ, ବସ୍ତିବାସିନ୍ଦା, ପ୍ରବାସୀ ଏବଂ ଦିନ ମଜୁରିଆ, ଗୃହ ସହାୟକ, ଭିନ୍ନକ୍ଷମ ଆଦି ଅନ୍ତର୍ଭୁକ୍ତ ରହିଥିଲେ । ଏତଦ୍‌ବ୍ୟତୀତ ଲକ୍‌ଡାଉନ ସମୟରେ ଓଡ଼ିଶାର ଖୋର୍ଦ୍ଧା, ଚଣ୍ଡିଖୋଲ, ପାରାଦୀପ, ସମ୍ବଲପୁରର ଅଇଁଠାପାଲି, ବରଗଡର ସୋହେଲା ଏବଂ ଗଞ୍ଜାମର ଗିରିଶୋଲା ଆଦି ସ୍ଥାନରେ ଥିବା ଛଅଟି ରିଲାଏନ୍ସ ପେଟ୍ରୋଲ ଷ୍ଟେସନ ନିକଟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ଟ୍ରକଚାଳକମାନଙ୍କୁ ମଧ୍ୟ ଶୁଷ୍କ ଖାଦ୍ୟସାମଗ୍ରୀ ଓ ରାସନ କିଟ୍ ପ୍ରଦାନ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଓଡ଼ିଶାରେ ମିଶନ ଅନ୍ନ ସେବାକୁ ସମ୍ପ୍ରସାରିତ କରି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମହାମାରୀ ସମୟରେ ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀମାନଙ୍କ ପରିବାର, ବାଲିଆପାଳର କାଇଁଚ (ଗୋଲ୍‌ଡେନ ଗ୍ରାସ୍‌) ଶିଳ୍ପୀ ପରିବାର ଏବଂ ଗଞ୍ଜାମ ଓ ବଲାଙ୍ଗୀରର ପ୍ରବାସୀ ଶ୍ରମିକ ପରିବାରଙ୍କୁ ଶୁଷ୍କ ଖାଦ୍ୟସାମଗ୍ରୀ ଓ ରାସନ କିଟ୍ ଯୋଗାଇ ଦିଆଯାଇଥିଲା ।

Leave A Reply

Your email address will not be published.