ରାଜନୀତି ପଶାପାଲିର ଧୁରନ୍ଧର; ପ୍ରଶାସନିକ ସ୍ଥିରତା ସହ ରାଜନୈତିକ ବିପଦ ହ୍ରାସ

ପ୍ରଥମରୁ ମାଷ୍ଟ୍ରରଷ୍ଟ୍ରୋକ୍
ବିନା ପୂର୍ବ ରାଜନୈତିକ ଅଭିଜ୍ଞତାରେ ବିଜୁ ଜନତା ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ନବୀନ ପଟ୍ଟନାୟକ। ମାତ୍ର ଖୁବ୍ କମ୍ ଦିନ ମଧ୍ୟରେ ରାଜନୀତିର ସବୁ ଅବୋଧ୍ୟ ଦାଓପେଞ୍ଚକୁ ସେ ସଫଳତାର ସହ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। କିଛିଦିନ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ଶାସନଭାର ନବୀନ ପଟ୍ଟନାୟକ ସମ୍ଭାଳିଥିଲେ। ପ୍ରଶାସନିକ ସ୍ଥିରତା ସହ ରାଜନୈତିକ ବିପଦ ହ୍ରାସ ହିଁ ଜଣେ ଶାସକକୁ ନିଷ୍କଳଙ୍କ କରିଥାଏ। ତେଣୁ ୧୯୯୭ରୁ ୨୦୦୦ ମସିହା ମଧ୍ୟରେ ବିଜେଡିର ଆଦ୍ୟ ପର୍ବରେ କେଉଁ ନେତାଙ୍କ ଉଦ୍ଦେଶ୍ୟ କ’ଣ, ତାହା ସେ ଭଲ ଭାବରେ ଠଉରାଇ ପାରିଥିଲେ। ଅତ୍ୟନ୍ତ ଚତୁରତାର ସହ ୨୦୦୦ ମସିହାରେ ପାଟକୁରା ଟିକେଟରୁ ନବୀନ ତତ୍କାଳୀନ ବିଜେଡି ନେତା ବିଜୟ ମହାପାତ୍ରଙ୍କୁ ବଞ୍ଚିତ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ବିଜୟ ନିଜେ ପ୍ରାର୍ଥିପତ୍ର ଦାଖଲ କରିବାକୁ ସୁଯୋଗ ପାଇ ନ ଥିଲେ। ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟିଏମ୍ସିର ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରିଥିଲେ। ଶ୍ରୀ ବେହେରା ବିଜୟୀ ହେବା ପରେ ବିଜୟଙ୍କ ପାଇଁ ଇସ୍ତଫା ନ ଦେଇ ନବୀନଙ୍କ ବିକାଶଧାରାରେ ସାମିଲ ହୋଇଥିଲେ। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଦାୟିତ୍ୱ ନେବା ପରେ ଛାୟା ଦୁର୍ନୀତି ଅଭିଯୋଗରେ ନବୀନ ୩ ଜଣ ମନ୍ତ୍ରୀ କମଳା ଦାସ, ପ୍ରଶାନ୍ତ ନନ୍ଦ ଏବଂ ନଳିନୀ ମହାନ୍ତି ସରକାରରୁ ବାଦ ଦେଇଥିଲେ। ପରବର୍ତ୍ତୀ ସମୟରେ ଅଦ୍ୱୈତ ପ୍ରସାଦ ସିଂ, ତତ୍କାଳୀନ ରାଷ୍ଟ୍ରମନ୍ତ୍ରୀ ଥିବା ଦେବୀ ପ୍ରସାଦ ମିଶ୍ର ଏବଂ ଅମର ପ୍ରସାଦ ଶତପଥୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ। ଗଞ୍ଜାମ ଟାଇଗର ବୋଲାଉଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ନିଆଯାଇ କୃଷି ବିଭାଗ ଦିଆଯାଇଥିଲା। ଏହା ପରେ ଶ୍ରୀ ପଟ୍ଟନାୟକ ନିଜ ଆଡୁ ଇସ୍ତଫା ଦେଇଥିଲେ।

_NAVEEN_PATNAIK

ମେଣ୍ଟରୁ ବାଦ୍ ବିଜେପି
୨୦୦୪ ମସିହା ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ଭଙ୍ଗ କରିଥିଲା ବିଜେପି ନେତୃତ୍ୱାଧୀନ ଏନଡିଏ। ରାଜ୍ୟର ରାଜନୈତିକ ପାଣିପାଗ ଏବଂ ଜାତୀୟ ରାଜନୀତିର ଗତିବିଧିକୁ ଲକ୍ଷ୍ୟ କରି ନିଜ ପ୍ରଥମ ପାଳି ପୂରିବାକୁ ବର୍ଷକ ପୂର୍ବରୁ ନବୀନ ପଟ୍ଟନାୟକ ବିଧାନସଭା ଭାଙ୍ଗି ନିର୍ବାଚନକୁ ଲମ୍ଫ ମାରିଥିଲେ। ବିଜେଡି ନେତୃତ୍ୱାଧୀନ ସରକାର ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶାସନ କରିଥିଲା। ମାତ୍ର ଲୋକସଭାରେ ଧରାଶାୟୀ ହୋଇଥିଲା ଏନଡିଏ। ଏପରିକି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଏନଡିଏ କେନ୍ଦ୍ରରେ କ୍ଷମତାଠାରୁ ଦୂରରେ ରହିଥିଲା। ମାତ୍ର ସେତେବେଳେ ନବୀନଙ୍କ ଆଗୁଆ ବିଧାନସଭା ଭାଙ୍ଗିବା ନିଷ୍ପତ୍ତି ବିଜେଡିର ଦୀର୍ଘମିଆଦୀ ସଫଳତାର ମୂଳଭିତ୍ତି ପକାଇଥିଲା। ୨୦୦୮ ମସିହା ପୌର ନିର୍ବାଚନରେ ବିଜେପିଠାରୁ ଅଲଗା ହୋଇ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ କରିଥିଲା ବିଜେଡି। ନିଜ ଦମରେ ଦଳ ଆଖିଦୃଶିଆ ସଫଳତା ପାଇଥିଲା। ଏହାପରେ କନ୍ଧମାଳ ଦଙ୍ଗାରେ ବିଜେପିର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ନିଷ୍ପତ୍ତି ନେଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ। ୨୦୦୪ରେ ଆଗୁଆ ବିଧାନସଭା ନିଷ୍ପତ୍ତି ପରି ଏହା ଥିଲା ନବୀନଙ୍କ ଆଉ ଏକ ମାଷ୍ଟ୍ରରଷ୍ଟ୍ରୋକ୍। ଦ୍ୱିତୀୟ ପାଳିରେ ନବୀନ ନିଜ ମନ୍ତ୍ରିମଣ୍ଡଳରୁ ରବି ନାରାୟଣ ନନ୍ଦ, କାଳିନ୍ଦୀ ବେହେରାଙ୍କୁ ବିଦାୟ ଦେଇଥିଲେ। ୨୦୦୬ ମଧ୍ୟଭାଗରେ ଦାମ ରାଉତ, ବିଜୟଶ୍ରୀ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ବଳଭଦ୍ର ମାଝୀ ଏବଂ ବିଷ୍ଣୁ ଦାସ ମଧ୍ୟ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିଲେ। ଏପରିକି ସେ ସମୟରେ ପ୍ରଭାବଶାଳୀ କୁହାଯାଉଥିବା ଦେବାଶିଷ ନାୟକଙ୍କୁ ମଧ୍ୟ ମନ୍ତ୍ରୀପଦରୁ ଓ ମହେଶ୍ୱର ମହାନ୍ତିଙ୍କୁ ବାଚସ୍ପତି ପଦରୁ ଅପସାରଣ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହି ପାଳିରେ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବିଦାୟ ନେବାକୁ ପଡ଼ିଥିଲା।

BJD-BJP

ଦ୍ୱିତୀୟ ପିଢ଼ିକୁ ସୁଯୋଗ
୨୦୦୯ ମସିହାରେ ବିଜେଡି ଲଗାତର ତୃତୀୟ ଥର ବିଜୟୀ ହୋଇଥିଲା। ଏକାକୀ ଲଢ଼ି ବିଜେଡି ଶତାଧିକ ଆସନରେ ବିଜୟୀ ହୋଇଥିଲା। ବର୍ତ୍ତମାନ ବିଜେଡିର କଳେବର ବୃଦ୍ଧି କରୁଥିବା ଏକାଧିକ ରାଜନେତାଙ୍କ ଖଡ଼ିଛୁଆଁ ଏହି ୨୦୦୯ରେ ହୋଇଥିଲା। ମେଣ୍ଟରେ ନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନବୀନ ଅନାୟାସରେ ନେଉଥିଲେ। ଏକ ସମୟରେ ଅବସରପ୍ରାପ୍ତ ପ୍ରଶାସକ ତଥା ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା। ନବୀନ ବିଦେଶ ଗସ୍ତରେ ଥିବା ବେଳେ ରାଜନୈତିକ ହଟଚମଟ ସୃଷ୍ଟି କରାଯାଇଥିଲା। ମାତ୍ର ଏଥିରେ ସ୍ୱର୍ଗତ ମହାପାତ୍ର ସଫଳ ହୋଇ ପାରି ନଥିଲେ। ମାତ୍ର ନବୀନ ବିଦେଶରୁ ଫେରି ସଂଗଠନ ଓ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଥିଲେ। ଦଳର ସମସ୍ତ ବିଧାୟକ ତାଙ୍କ ପ୍ରତି ଆସ୍ଥାପ୍ରକଟ କରିଥିଲେ। ୨୦୧୨ ଘଟଣା ନବୀନଙ୍କୁ ଆହୁରି ଶକ୍ତିଶାଳୀ କରିଥିଲା। ଯାହାର ପ୍ରତିଫଳନ ୨୦୧୪ରେ ଦେଖିବାକୁ ମିଳିଥିଲା। ଏହି ପାଳିର ମଧ୍ୟଭାଗର ମିଡ୍ନାଇଟ ଅପରେସନ ପରେ ଶାରଦା ନାୟକ, ଅଞ୍ଜଳି ବେହେରା, ସଞ୍ଜୀବ ସାହୁ ସରକାରରୁ ବାଦ୍ ପଡ଼ିଥିଲେ। ଏହା ପରେ ହୋଇଥିବା ଅଦଳବଦଳରେ ପ୍ରଫୁଲ୍ଲ ଘଡେଇ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ ଏବଂ ପୁଷ୍ପେନ୍ଦ୍ର ସିଂ ଦେଓ ମନ୍ତ୍ରୀପଦ ହରାଇଥିଲେ। ଅନ୍ୟାନ୍ୟ କାରଣରୁ ପ୍ରମିଳା ମଲ୍ଲିକ, ଅନଙ୍ଗ ଉଦୟ ସିଂଦେଓ, ପ୍ରଦୀପ ମହାରଥୀ ଏବଂ ରଘୁନାଥ ମହାନ୍ତିଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳ ବାହାରେ ରହିବାକୁ ପଡ଼ିଥିଲା।

Naveen Patnaik

ନିର୍ବାଚନର ଯାଦୁଗର
୨୦୧୪ ମସିହାରେ ୟୁପିଏ ଜାତୀୟସ୍ତରରେ ଲୋକପ୍ରିୟତା ହରାଇଥିଲା। ୧୦ ବର୍ଷ ପରେ ଏନ୍ଡିଏ ପୁଣି କ୍ଷମତାକୁ ଫେରିଥିଲା। ଦେଶର ବିଭିନ୍ନ ସ୍ଥାନରେ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା। ସାରା ଦେଶରେ ମୋଦୀ ତୋଫାନ୍ ବହୁଥିବାବେଳେ ଓଡ଼ିଶାରେ ଚାଲିଥିଲା ନବୀନ ସୁନାମୀ। ୨୧ରୁ ୨୦ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରୁ ୧୧୭ରେ ବିଜେଡି ବିଜୟୀ ହୋଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ନେତାମାନଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଯୋଗୁଁ ବିଜେଡିକୁ ୮ ଜିଲ୍ଲା ପରିଷଦ ସଭାପତି ପଦ ହରାଇବାକୁ ପଡ଼ିଥିଲା। ମାତ୍ର ଏହାହିଁ ଥିଲା ବିଜେଡି ପାଇଁ ବାସ୍ତବ ଶିକ୍ଷଣ ସମୟ। ଏହା ପରେ ରାଜ୍ୟରେ ଏକ ଜନହିତକାରୀ ସରକାର ସ୍ଥାପନ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ନିମନ୍ତେ ପଡ଼ିଥିଲା ବାସ୍ତବ ଭିତ୍ତି। ସରକାର ଓ ସଂଗଠନ କ୍ଷେତ୍ରରେ ଅଣାଯାଇଥିଲା ସଂସ୍କାର ଓ ବ୍ୟାପକ ପରିବର୍ତ୍ତନ। ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଲାଲବିହାରୀ ହିମିରିକା, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ଅମାତ, ସୁଦାମ ମାର୍ଣ୍ଡି, ପ୍ରଣବ ପ୍ରକାଶ ଦାସଙ୍କୁ ସରକାରରୁ ବାଦ୍ ଦିଆଯାଇ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେହିପରି ସରକାରରେ ଅନେକ ନୂଆ ଓ ଯୁବ ମୁହଁଙ୍କୁ ସ୍ଥାନ ଦିଆଯାଇଥିଲା। ସଙ୍ଗଠନ-ସରକାର ମଧ୍ୟରେ ଉପଯୁକ୍ତ ସମନ୍ୱୟ ପରେ ୨୦୧୯ ନିର୍ବାଚନରେ ଦଳକୁ ମିଳିଥିଲା ପ୍ରଚଣ୍ଡ ସଫଳତା। ୨୦୧୯ରେ ବିଜେଡି ୧୧୨ ବିଧାନସଭା ସହ ୧୨ଟି ଲୋକସଭା ଆସନ ଦଖଲ କରିଥିଲା। ପରବର୍ତ୍ତୀ ସମୟରେ ଏହି ସଫଳତା ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରତିଫଳିତ ହୋଇଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦%ରୁ ଅଧିକ ଭୋଟ ଓ ୯୦% ଆସନ ଦଖଲ କରିବାକୁ ସକ୍ଷମ ହୋଇଛି ବିଜେଡି। ୩୦ ଜିଲ୍ଲା ପରିଷଦ ସଭାପତି ପଦ ସହ ୯୨ରୁ ଊର୍ଦ୍ଧ୍ବ ପୌରାଞ୍ଚଳରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ହୋଇଛି।

Leave a comment