ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ : ଦେଶରେ ଏପ୍ରିଲ ମାସରେ ସର୍ବାଧିକ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ, ଓଡ଼ିଶାରେ ବି ୨୮ ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ମୋଟ ଜିଏସଟି ସଂଗ୍ରହ ଗତ ଏପ୍ରିଲ ମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଓଡ଼ିଶା ଏ କ୍ଷେତ୍ରରେ ୨୮ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ଏପ୍ରିଲରେ ମୋଟ ୩୮୪୯ କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ୨୦୨୨ଏପ୍ରିଲରେ କିନ୍ତୁ ଏହା ୪୯୧୦ କୋଟି ଛୁଇଁଛି। ଯାହା ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ଠାରୁ ଅଧିକ ବୋଲି ଜଣାପଡ଼ିଛି। ଓଜିଏସଟି ବା ରାଜ୍ୟ ଜିଏସଟି ଆଦାୟ ଆଦାୟ ଗତ ବର୍ଷ ଏପ୍ରିଲ ମାସ ତୁଳନାରେ ୨୮ପ୍ରତିଶତ ବୃଦ୍ଧି ଘଟିଛି।

ଅନ୍ୟପଟେ ଦେଶରେ ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି ।ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାରସିଜିଏସଟି, ୪୧,୭୯୩ କୋଟି ଟଙ୍କାର ଏସଜିଏସଟି, ୮୧,୯୩୯ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନିରୁସଂଗୃହୀତ ୩୬,୭୦୫ କୋଟି ଟଙ୍କା ସମେତ) ଏବଂ ୧୦,୬୪୯ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନିରୁ ସଂଗୃହିତ ୮୫୭ କୋଟି ଟଙ୍କା ସମେତ)ସାମିଲ ରହିଛି ।

ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୨ରେ ସଂଗୃହୀତ ଜିଏସଟି ରାଜସ୍ବ ପରିମାଣ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାରୁ ୨୫ ହଜାର ଟଙ୍କା ଅଧିକ ରହିଛି ।ସରକାର ସିଜିଏସଟି ବାବଦରେ ୩୩,୪୨୩ କୋଟି ଟଙ୍କା ଏବଂ ଆଜିଏସଟିରୁ ଏସଜିଏସଟି ବାବଦରେ ୨୬ ହଜାର ୯୬୨ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ସଂଗ୍ରହ ପରିମାଣ ସିଜିଏସଟି ବାବଦରେ ୬୬,୫୮୨ ଏବଂ ଏସଜିଏସଟି ବାବଦରେ ୬୮,୭୫୫ କୋଟି ଟଙ୍କା ରହିଛି ।

୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତ ବର୍ଷ ସମାନ ମାସରେ ସଂଗୃହିତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହିତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହିତ ରାଜସ୍ବ (ସେବା ଆମଦାନୀ ସମେତ) ୧୭% ଅଧିକ ଥିବା ସୂଚନା ମିଳିଛି ।

ପ୍ରଥମ ଥର ପାଇଁ ସକଳ ଜିଏସଟି ସଂଗ୍ରହ ପରିମାଣ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରେ ମୋଟ୍‌ ୭.୭ କୋଟି ଇ-ୱେବିଲ୍‌ ଜାରି କରାଯାଇଛି, ଯାହାକି ଫେବୃଆରୀ ୨୦୨୨ ତୁଳନାରେ ଜାରି କରାଯାଇଥିବା ୬.୮ କୋଟି ଇ-ୱେବିଲ୍‌ ତୁଳନାରେ ୧୩% ଅଧିକ । ଏହାଦ୍ବାରା ବ୍ୟବସାୟିକ ଗତିବିଧି ତ୍ବରାନ୍ବିତ ହୋଇଥିବା ସଙ୍କେତ ମିଳିଛି ।ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ଏବଂ ଏହି ତାରିଖ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଗୋଟିଏ ଘଣ୍ଟାରେ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା । ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର (ଟ୍ରାଞ୍ଜାକ୍ସନ) ମାଧ୍ୟମରେ ମୋଟ୍‌ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ସେହିଦିନ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ୮୮ ହଜାର କାରବାର ଜରିଆରେ ପ୍ରାୟ ୮ ହଜାର କୋଟି ଟଙ୍କାର ରାଜସ୍ବ ସଂଗୃହିତ ହୋଇଥିଲା ।

ଗତ ବର୍ଷ ସମାନ ତାରିଖ, ଅର୍ଥାତ୍ ୨୦୨୧, ଏପ୍ରିଲ ୨୦ ତାରିଖରେ ସର୍ବାଧିକ ଦୈନିକ ରାଜସ୍ବ ସଂଗ୍ରହ ପରିମାଣ ୪୮ ହଜାର କୋଟି ଟଙ୍କା ଥିଲା । ୭.୨୨ ଲକ୍ଷ କାରବାର ମାଧ୍ୟମରେ ଏହି ରାଜସ୍ବ ସଂଗ୍ରହ କରାଯାଇଥିଲା । ସେହି ସମାନ ତାରିଖ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ୬୫ ହଜାର କାରବାର ଜରିଆରେ ୬,୪୦୦ କୋଟି ଟଙ୍କାର ରାଜସ୍ବ ସଂଗୃହିତ ହୋଇଥିଲା, ଯାହାକି ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ରାଜସ୍ବ ସଂଗ୍ରହ ଥିଲା ।

ଏପ୍ରିଲ, ୨୦୨୨ରେ ଜିଏସଟିଆର-୩ବି ମାଧ୍ୟମରେ ୧.୦୬ କୋଟି ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି, ଏଥିମଧ୍ୟରୁ ୯୭ ଲକ୍ଷ ରିଟର୍ଣ୍ଣ ମାର୍ଚ୍ଚ ୨୦୨୨ ସହ ଜଡ଼ିତ । ତୁଳନାତ୍ମକ ଭାବେ ଦେଖିଲେ ଏପ୍ରିଲ ୨୦୨୧ରେ ୯୨ ଲକ୍ଷ ରିଟର୍ଣ୍ଣ ଦାଖଲ କରାଯାଇଥିଲା । ଅନୁରୂପ ଭାବେ ଜିଏସଟିଆର-୧ ଜରିଆରେ ଏପ୍ରିଲ ୨୦୨୨ରେ ୧.୦୫ କୋଟି ଇନଭଏସ ଷ୍ଟେଟମେଣ୍ଟ ଜାରି କରାଯାଇଛି ।ଏପ୍ରିଲ ୨୦୨୨ରେ ମାସ ଶେଷ ସୁଦ୍ଧା, ଜିଏସଟିଆର-୩ବି ଜରିଆରେ ରିଟର୍ଣ୍ଣ ଦାଖଲ କରିବାର ପ୍ରତିଶତ ୮୪.୭% ଥିଲା । ଅନ୍ୟପଟେ ଏପ୍ରିଲ ୨୦୨୧ରେ ଏହା ୭୮.୩% ରହିଥିଲା । ଏପ୍ରିଲ ୨୦୨୨ରେ ଜିଏସଟିଆର-୧ ଦାଖଲ ପ୍ରତିଶତ ୮୩.୧୧% ଥିବା ବେଳେ ଏପ୍ରିଲ ୨୦୨୧ରେ ଏହା ୭୩.୯% ଥିଲା।

ଅନୁପାଳନ ଅଭ୍ୟାସରେ ସୁଧାର କାରଣରୁ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି । ନିର୍ଦ୍ଧାରିତ ସମୟରେ ଟିକସ ପଇଠ କରିବା ଲାଗି ଟିକସ ପ୍ରଶାସନ ପକ୍ଷରୁ ଟିକସଦାତାମାନଙ୍କୁ ସଚେତନ କରାଯିବା କାରଣରୁ ଏପରି ପରିଣାମ ମିଳିପାରୁଛି । ଅନୁପାଳନକୁ ସରଳ ଓ ସହଜ କରାଯିବା ସହିତ ଡାଟା ଆନାଲିଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରରେ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଫଳରେ ଟିକସ ସଂଗ୍ରହରେ ପାରଦର୍ଶିତା ଆସିଛି ଓ ରାଜସ୍ବ ଆଦାୟ ପରିମାଣ ବଢ଼ିଛି ।

Leave A Reply

Your email address will not be published.