ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ଣ୍ଣାୟକ ମୋଡ଼ରେ ମୁଦ୍ରାସ୍ଫୀତି ଲଢ଼େଇ : ଚାପରେ ଟଙ୍କା, ଆର୍‌ବିଆଇ ବିକିଲା ଡଲାର

ନୂଆଦିଲ୍ଲୀ : ବଜାର ମହଙ୍ଗା। ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ମୁଦ୍ରାସ୍ଫୀତି ଉଚ୍ଚରେ ରହୁଥିବା ଯୋଗୁ ଦରଦାମ୍‌ ବଢ଼ୁଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ସରକାର କରୁଥିବା ସମସ୍ତ ପ୍ରୟାସ ଫେଲ୍‌ ମାରିଛି। ଚଳିତବର୍ଷ ମେ’ ମାସଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ପ୍ରମୁଖ ସୁଧହାରରେ ୧୪୦ ବେସିସ୍‌ ପଏଣ୍ଟ ଯାଏ ବୃଦ୍ଧି କରିଥିଲା। ଏହାବାଦ୍‌ ସରକାର ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଏବଂ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କ ଜମା ନିୟମ ସରଳ କରିଥିଲେ । ଏହା ସତ୍ତ୍ବେ ଦର ବୃଦ୍ଧିରେ ଲାଗିପାରୁନାହିଁ ଲଗାମ୍‌। ନିୟନ୍ତ୍ରଣ ମଧ୍ୟକୁ ଆସୁନାହିଁ ମୁଦ୍ରାସ୍ଫୀତି। ଚାପଗ୍ରସ୍ତ ହେବାରେ ଲାଗିଛି ଘରୋଇ ମୁଦ୍ରା ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଜାରି ରହିଛି।

ଟଙ୍କା ମୂଲ୍ୟ ୮୦ ଟଙ୍କା ସ୍ତର ମଧ୍ୟରେ ରଖିବାକୁ ପ୍ରୟାସ ଜାରି ରଖିଛି ଆର୍‌ବିଆଇ। ଟଙ୍କାର ମୂଲ୍ୟ ଯେପରି ଆଗକୁ ଅଧିକ ହ୍ରାସ ନ ଘଟେ ସେଥିପାଇଁ ଶେଷରେ କେନ୍ଦ୍ରୀୟ ବ୍ୟାଙ୍କ ଡଲାର ବିକ୍ରି କରିଛି। ଆରବିଆଇ ଗତ ଅଗଷ୍ଟ ମାସରେ ୧୩ ବିଲିୟନ ଡଲାର ବିକ୍ରି କରିଛି। ଯାହାଫଳରେ ଏବେ ମୁଦ୍ରାସ୍ଫୀତି ଲଢ଼େଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।

ଶେଷ ଥର ଲାଗି ଅଗଷ୍ଟ ୨୯ରେ, ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ସର୍ବନିମ୍ନ ୮୦.୧୩ ଟଙ୍କ ସ୍ତରକୁ ଖସି ଆସିଥିଲା। ୨୦୨୨-୨୩ ଆର୍ଥିକବର୍ଷରେ ମୁଦ୍ରା ବଜାରରେ ଏହାକୁ ଆରବିଆଇର ସବୁଠାରୁ ବଡ଼ ହସ୍ତକ୍ଷେପ ବୋଲି କୁହାଯାଉଛି। ଆର୍‌ବିଆଇର ଡଲାର ବିକ୍ରି କରିବାର ମୁଖ୍ୟ କାରଣ ହେଉଛି ଟଙ୍କା ମୂଲ୍ୟରେ ଜାରି ରହିଥିବା ବୃଦ୍ଧି ଏବଂ ହ୍ରାସକୁ ରୋକିବା ଯାହାକି ଭାରତ ପାଖରେ ମହଜୁଦ ଥିବା ଆମେରିକୀୟ ଡଲାର ସଂଖ୍ୟାରେ ହ୍ରାସ ଘଟାଇପାରେ। ଏକ ଆଭ୍ୟନ୍ତରୀଣ ଆକଳନରୁ ଜଣାପଡିଛି ଯେ ଜୁଲାଇ ୨୯ରୁ ସେପ୍ଟେମ୍ବର ୨ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ବିଲିୟନ ଡଲାରରୁ ୫୫୩.୧ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ସର୍ବାଧିକ ଭାଗ ଆମେରିକୀୟ ଡଲାରର ରହିଛି। ଅବଶିଷ୍ଟ ଅଂଶ ଅଣଡଲାର ପରିସମ୍ପତ୍ତି ବିନିଯୋଗରୁ ଆସିଥାଏ।

ଟଙ୍କା ମୂଲ୍ୟରେ ହ୍ରାସର ପ୍ରଭାବ

ସର୍ବପ୍ରଥମେ ଟଙ୍କା ମୂଲ୍ୟରେ ହ୍ରାସ ଆମଦାନୀକୁ ମହଙ୍ଗା କରିବ। କାରଣ ଭାରତୀୟ ଆମଦାନୀକାରୀଙ୍କୁ ଏଭଳି ସମୟରେ ଡଲାର ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଭାରତ ବିଦେଶରୁ ଏହାର ମୋଟ ବ୍ୟବହାରର ୮୫ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାଏ, ଯାହା ଡଲାର ଉପରେ ଅଧିକ ଚାପ ପକାଇବ। ଯଦି ଇନ୍ଧନ ମହଙ୍ଗା ହୁଏ, ମାଲ ପରିବହନ ଭଡ଼ା ବଢ଼ିବ, ଯେଉଁଥିପାଇଁ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ ଏବଂ ସାଧାରଣ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ଭାର ମଧ୍ୟ ବଢ଼ିବାରେ ଲାଗିବ। ଯେଉଁମାନେ ବିଦେଶରେ ପଢ଼ୁଛନ୍ତି ସେମାନେ ମଧ୍ୟ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ଏବଂ ସେମାନଙ୍କର ବ୍ୟୟ ଖର୍ଚ୍ଚ ବଢ଼ିବ। କାରଣ ବର୍ତ୍ତମାନ ସେମାନଙ୍କୁ ଡଲାର ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହାବାଦ୍‌ ଚଳନ୍ତି ଖାତା ନିଅଣ୍ଟ ବଢ଼ିଯିବ।

ଆମେରିକୀୟ ଡଲାର ତୁଳନାରେ ଟଙ୍କା କାହିଁକି ହ୍ରାସ ପାଉଛି

ରୁଷ-ୟୁକ୍ରେନ ବିବାଦ, ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ବିଶ୍ୱ ବ୍ୟାପୀ ଆର୍ଥିକ ସ୍ଥିତି କଠୋର ହେବା ଏବଂ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାର ମୁଖ୍ୟ କାରଣ। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଆରବିଆଇର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ସବୁଠୁ ଅଧିକ ପ୍ରଭାବ ପକାଉଛି। ଅପରପକ୍ଷେ ମୁଦ୍ରାସ୍ଫୀତିକୁ ରୋକିବା ପାଇଁ ଆରବିଆଇ ଏହାର ମୁଦ୍ରା ନୀତିକୁ କଡାକଡି କରିବାକୁ କରୁଥିବା ଉଦ୍ୟମ ମଧ୍ୟ ଟଙ୍କା ମୂଲ୍ୟରେ ହ୍ରାସ ଘଟୁଛି।

Leave A Reply

Your email address will not be published.