ଯୁଗପୁରୁଷ ରାମକୃଷ୍ଣ ପରମହଂସ

ଶ୍ରୀରାମକୃଷ୍ଣ ପରମହଂସ ଜଣେ ମହାନ୍ ସନ୍ଥ, ଶାନ୍ତିର ଉପାସକ, ଉଚ୍ଚକୋଟୀର ସାଧକ ଥିଲେ। ଈଶ୍ବରଙ୍କୁ ପାଇବା ପାଇଁ ସେ କଠୋର ସାଧନା ଓ ଭକ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ। ଏହି ମହାନ୍ ସନ୍ଥ ୧୮୩୬ ମସିହା ଫେବୃଆରୀ ୧୮ ତାରିଖରେ ପଶ୍ଚିମବଙ୍ଗର କାମାରପୁକୁରସ୍ଥିତ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବାରୁ ବେଶ୍ ଧାର୍ମିକ ଚିନ୍ତାଧାରା ତାଙ୍କ ପାଖରୁ ପିଲାଟି ଦିନରୁ ବାରି ହୋଇପଡ଼ୁଥିଲା। ପିଲାଦିନେ ପୁରାଣଗୁଡ଼ିକରେ ବର୍ଣ୍ଣିତ ପ୍ରହ୍ଲାଦ ଓ ଧ୍ରୁବ ଆଦିଙ୍କ ଚରିତ୍ର ତାଙ୍କୁ ବହୁ ପରିମାଣରେ ଆକୃଷ୍ଟ କରିଥିଲା।
ସବୁବେଳେ ଆଧ୍ୟାତ୍ମ ଚିନ୍ତାଧାରା ପ୍ରତି ଢଳି ରହୁଥିଲେ। କମ୍ ବୟସରୁ ସେ ବୟସ୍କଙ୍କ ଭଳି ବିଚାର କରିପାରୁଥିଲେ। ମାତ୍ର ୧୭ ବର୍ଷ ବୟସର ହୋଇଥିବାବେଳେ ତାଙ୍କ ବଡ଼ ଭାଇଙ୍କ ସହ କଲିକତା ଚାଲି ଆସିଥିଲେ। ସେ ତାଙ୍କ ବଡ଼ ଭାଇଙ୍କୁ ଦକ୍ଷିଣେଶ୍ବର କାଳୀଙ୍କର ମୁଖ୍ୟ ପୂଜକ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୮୫୬ ମସିହାରେ ତାଙ୍କ ବଡ଼ଭାଇଙ୍କ ଦେହାନ୍ତ ପରେ ରାମକୃଷ୍ଣଙ୍କୁ କାଳୀମନ୍ଦିରର ପୁରୋହିତ ଭାବେ ନିଯୁକ୍ତି ଦିଆଗଲା। ତେବେ ବଡ଼ଭାଇଙ୍କ ଦେହାନ୍ତ ପରେ ତାଙ୍କ ମନରେ ବୈରାଗ୍ୟ ଭାବ ଜାତ ହେଲା। ମାତା ଚନ୍ଦ୍ରମଣି ଦେବୀ ପୁତ୍ରର ଏପରି ଅବସ୍ଥା ଦେଖ ତାଙ୍କୁ ଶାରଦା ଚଟ୍ଟୋପାଧ୍ୟାୟଙ୍କ ସହ ବାହା କରାଇ ଦେଲେ। ବିବାହ ପରେ ସେ ପୁଣି ଦକ୍ଷିଣେଶ୍ବର ପ୍ରତ୍ୟାବର୍ତ୍ତନ କରି ମା’ଙ୍କୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ରାମକୃଷ୍ଣ ପରମହଂସ ମାତା କାଳୀଙ୍କ ପରମଭକ୍ତ ଥିଲେ।
ପୂଜା କରିବାବେଳେ ଶ୍ରୀ ରାମକୃଷ୍ଣ ସମ୍ପୂର୍ଣ୍ଣ ଭାବେ ଦେବୀ କାଳୀଙ୍କ ଧ୍ୟାନରେ ଲୀନ ହୋଇଯାଉଥିଲେ । ଧୀରେ ଧୀରେ ସେ ଦେବୀ କାଳୀଙ୍କ ଧ୍ୟାନରେ ଏତେ ନିମଗ୍ନ ରହିଗଲେ ଯେ, ଯୁଆଡ଼େ ଚାହିଁଲେ ତାଙ୍କୁ କେବଳ ମା’କାଳୀଙ୍କ ଆଭାସ ହେଲା । ସେ ନିଜ ଜୀବନ କାଳରେ ନା ଗୋଟିଏ ପୁସ୍ତକ ରଚନା କରିଥିଲେ ନା ପ୍ରବଚନ ଦେଇଥିଲେ । କିନ୍ତୁ ପ୍ରକୃତି ଏବଂ ଦୈନନ୍ଦିନ ଜୀବନର ଉଦାହରଣ ନେଇ ଖୁବ୍ ସରଳ ଭାଷାରେ ଲୋକଙ୍କୁ ବୁଝାଉଥିଲେ। ସେ ଯାହାକୁ ଯେବେ ବି କିଛି ଶିକ୍ଷା ଦେଉଥିଲେ, ତାହା ଏତେ ସୁନ୍ଦର ଭାବେ ପ୍ରକାଶ କରୁଥିଲେ ଯେ, ଶୁଣୁଥିବା ଲୋକ ତୁରନ୍ତ ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଥିଲା। ୧୮୮୦ ମସିହାରେ ନରେନ୍ଦ୍ରନାଥ ଦତ୍ତ ତାଙ୍କଠାରୁ ଈଶ୍ବରଙ୍କ ସମ୍ପର୍କରେ ଜିଜ୍ଞାସା କରିବା ପାଇଁ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ହିଁ ତାଙ୍କର ପରମ ଶିଷ୍ୟ ଭାବେ ପରିଗଣିତ ହେବା ସହ ବିବେକାନନ୍ଦ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ। ସରଳ, ନିରାଡମ୍ବର ଓ ନୀତିପୂର୍ଣ୍ଣ ଜୀବନଯାପନ କରିଥିଲେ ରାମକୃଷ୍ଣ ପରମହଂସ। ତାଙ୍କର ଶିଷ୍ୟମାନେ ତାଙ୍କୁ ଠାକୁର ନାମରେ ଡାକୁଥିଲେ। ସେ ବେଦାନ୍ତର ସନ୍ଦେଶ ପୂରା ଦୁନିଆରେ ପହଞ୍ଚାଇଥିଲେ। ଶେଷରେ ୧୮୮୬ ମସିହା ଅଗଷ୍ଟ ୧୬ରେ ସେ ଶେଷନିଃଶ୍ୱାସ ତ୍ୟାଗ କଲେ। ରାମକୃଷ୍ଣ କହୁଥିଲେ, ମାତୃସ୍ବରୂପା ମା’ କାଳୀଙ୍କୁ ପ୍ରାପ୍ତ କରିବା ଅର୍ଥ ହେଉଛି ସବୁକିଛି ପାଇଯିବା।