ବର୍ଷାଜଳ ଅମଳ ଦ୍ୱାରା ଭୂତଳ ଜଳରାଶି ବୃଦ୍ଧି ଲକ୍ଷ୍ୟ: ବାରିପଦାରେ ଦେଢ କୋଟି ଟଙ୍କାରେ ନିର୍ମାଣ ହେବ ଆଉ ୪୦୦ପ୍ରକଳ୍ପ

୨୦୦ବର୍ଗମିଟର ସରକାରୀ ଛାତଘର ମଧ୍ୟ ଯୋଜନାରେ ହେବ ସାମିଲ

ବାରିପଦା: ରାଜା ରାଜୁଡ଼ା ସମୟର ବାରିପଦା ପୌରପରିଷଦରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ସହର ଉପକଣ୍ଠ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳ ରାଶି ଲଗାତର କିଛି ବର୍ଷ ଧରି ଗ୍ରୀଷ୍ମ ଋତୁରେ ଶୁଖିଯିବା ତତସହିତ ଖାଲୁଆ ଅଞ୍ଚଳ, ନଇଁଯୋଡ଼ି ତଥା ଜଳାଶୟ ଗୁଡ଼ିକ ପୋତି ରାସ୍ତା ଓ ଗୃହ ନିର୍ମାଣ ଫଳରେ ବର୍ଷା ଦିନର ବଳକା ଜଳରାଶି ଅମଳ ହେବାରେ ବାଧକ ସାଜିବାରୁ ଭୂତଳ ଜଳସ୍ତର କମୁଛି। ବାରିପଦା ସହରରରେ ଭୂତଳ ଜଳସ୍ତର ହ୍ରାସ ଏକ ଚିନ୍ତା ଜନକ କାରଣ ହୋଇଛି। ଯାହାକୁ ଆଖିରେ ରଖି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଅଯାଉଛି। ବାରିପଦା ପୌରପରିଷଦର ୨୮ଟି ୱାର୍ଡ଼ରେ ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି।

ଏଥି ପାଇଁ ପୌରପରିଷଦରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ଟି ବର୍ଷାଜଳ ଅମଳ ପ୍ରକଳ୍ପ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଏନେଇ ପୌରପରିଷଦ କାଉନସିଲ ବୈଠକରେ ଆଲୋଚନା କରାଯାଇ ପ୍ରତେକ୍ୟ ୱାର୍ଡ଼ରେ ୱାର୍ଡ଼ କମିଟି ଜରିଆରେ ପ୍ରକଳ୍ପ ସ୍ଥାନ ଚୟନ ପାଇଁ କୁହାଯାଇଛି। ଏହି କମିଟିର ମୁଖ୍ୟ ସମ୍ପୃକ୍ତ କାଉନସିଲର ରହିବେ। ବର୍ଷାଜଳ ଅମଳ ପାଇଁ ୩୦ ଓ ୩୮ହଜାର ଟଙ୍କା ବ୍ୟୟ ଅଟକଳରେ ଦୁଇ ପ୍ରକାରର ପ୍ରକଳ୍ପ ରହିଛି ବୋଲି ପୌରପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଶତପଥୀ କହିଛନ୍ତି। ମୁଖ୍ୟତଃ ବର୍ଷାଜଳ ଜମୁଥିବା ସ୍ଥାନ ଚିହ୍ନଟ କରାଯାଇ ସେଠାରେ ୩୦ହଜାର ଟଙ୍କା ବ୍ୟୟ ଅଟକଳରେ ୫ମିଟର ଲମ୍ବର ଜଳ ନିଷ୍କାସନ ନାଳ ସହିତ ସକ ପିଟ ସ୍ଥାପନ କରି ବର୍ଷାଜଳକୁ ଭୂତଳକୁ ଯିବା ବ୍ୟବସ୍ଥା କରାଯିବ।

ଅନ୍ୟଟି ୩୮ହଜାର ଟଙ୍କା ବ୍ୟୟ ଅଟକଳରେ ୨୦୦ ଓ ତଦୁର୍ଦ୍ଧ ବର୍ଗ ମିଟରର ସରକାରୀ ଛାତଘର ମାନଙ୍କୁ ଚିହ୍ନଟ କରି ଉକ୍ତ ଘରର ଛାତ ବର୍ଷା ପାଣି ପାଇପ ଯୋଗେ ଭୁଇଁକୁ ଆଣିବା ପରେ ଭୂତଳକୁ ଯିବା ବ୍ୟବସ୍ଥା କରାଯିବା। ପୌରପରିଷଦର ୨୮ଟି ୱାର୍ଡ଼ରୁ ପ୍ରକଳ୍ପ ଚିହ୍ନଟ ସ୍ଥାନ ରିପୋର୍ଟ ଆସିବା ପରେ ତୁରନ୍ତ ଏହାର ନିର୍ମାଣ କରାଯିବ। ୱାର୍ଡ଼ ମାନଙ୍କରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରକଳ୍ପ ନିର୍ମାଣ ହେବ। ଗତ ୨୦୨୦-୨୧ଆର୍ଥକ ବର୍ଷରେ ପୌରପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ୨୮୦ଟି ପ୍ରକଳ୍ପର ସଫଳତା ପରେ ଚଳିତ ବର୍ଷ ୪୦୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ବୋଲି ଇଂ ଶତପଥୀ କହିଛନ୍ତି। ସେହିପରି ଆଗାମୀ ଦିନରେ ପୌରପରିଷଦ ଅଞ୍ଚଳରେ ନୂତନ କୋଠାଘର ନିର୍ମାଣ ପାଇଁ ଆବେଦନକାରୀଙ୍କୁ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ସର୍ତ୍ତାବଳୀ ରହିବା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

Leave a comment