୧୫ରୁ ରାଜ୍ୟରେ ଆରମ୍ଭ ହେବ ପଶ୍ଚିମା ଝଡ଼ର ପ୍ରଭାବ, ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା

ଭୁବନେଶ୍ୱର: ପୁଣି ଆସୁଛି ପଶ୍ଚିମା ଝଡ଼। ୧୫ରୁ ରାଜ୍ୟରେ ଆରମ୍ଭ ହେବ ପଶ୍ଚିମା ଝଡ଼ର ପ୍ରଭାବ। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। କିଛି ସ୍ଥାନରେ କୁଆ ପଥର ମାଡ଼ ସହିତ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବ। ୧୫ରେ କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ପରବର୍ତ୍ତୀ ଦୁଇ ଦିନରେ ଏହାର ପ୍ରକୋପ ବୃଦ୍ଧି ପାଇବ। ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷାର ପରିମାଣରେ ବୃଦ୍ଧି ସହ ପବନର ବେଗ ୪୦-୫୦ କିମି ପ୍ରତି ଘଣ୍ଟା ସମ୍ଭାବନା ରହିଛି। ସତେଜ ଫଳ ଗଛ, କଦଳୀ, ଅମୃତଭଣ୍ଡା, ଆଖୁ ଆଦିରେ ଭାରା ଦେଇ ରଖିବାକୁ ପରାମର୍ଶ ଦିଆଯାଇଛି। ଅମଳ ଉପଯୋଗୀ ଫଳ, ପନିପରିବାକୁ ଯଥା ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଅନ୍ୟପଟେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଛି। ସୋମବାର ରାଜ୍ୟର ୫ ଟି ସ୍ଥାନରେ ତାମପାତ୍ରା ୩୮ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ୩୮.୭ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନ ଥିବା ବେଳେ ଆସନ୍ତା ୩ ଦିନ ପରେ ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି।