ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ମୌସୁମୀ ଦୁର୍ବଳ ରହିଥିବା ସତ୍ତ୍ବେ ମଧ୍ୟ ଜଳୀୟ ବାଷ୍ପ ଅଧିକ ହେତୁ କିଛି ସ୍ଥାନରେ ବର୍ଷା ହେଉଛି। ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି। ତେବେ ବୁଧବାର ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ପରେ ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି। ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ସେହିପରି ଗୁରୁବାର ମୟୂରଭଞ୍ଜ ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବିଶେଷ କରି ଭୁବନେଶ୍ୱରରେ ସର୍ବାଧିକ ୪୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୧୯ ଓ ପାରଳାଖେମୁଣ୍ଡିରେ ୧୧ ମିମି ବର୍ଷା ରେକର୍ଡ କରାଯାଇଛି।