ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଳ ହେଲା ଅଦିନିଆ ବର୍ଷା: କ୍ଷେତରେ ଲୋଟିଲା ପାଚିଲା ଧାନ,ଚିନ୍ତାରେ ଚାଷୀ

ମହାକାଳପଡା : ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ପାଲଟିଲା,କ୍ଷେତରେ ପାଚିଲା ଧାନ ଗଛ ଲୋଟି ପଡିବା ସହିତ ଅମଳକ୍ଷମ ପାଚିଲା ଧାନ ପାଣିରେ ବୁଡିଲାଣି ।ଫଳରେ ଚିନ୍ତାରେ ପଡିଛନ୍ତି ଚାଷୀକୂଳ ।ମହାକାଳପଡା ବ୍ଲକ ର ବିସ୍ତୀର୍ଣ୍ଣ ବଉଦ ପାଟ ଏବଂ ଦଶମଉଜି ପାଟ ସମେତ ମହାକାଳପଡାର ବିଭିନ୍ନ ଅଂଚଳରେତିନିଦିନ ଧରି ଲାଗିରହିଥିବା ବର୍ଷାରେ ଧାନ ଗଛ ଗୁଡିକ ମୂଳରେ ବର୍ଷା ପାଣି ଜମି ରହିବା ଫଳରେ ପାଚିଲା ଧାନଗଛ ଗୁଡିକ କ୍ଷେତରେ ଶୋଇପଡିଛି ।

ବଉଦ ପାଟର ବଉଦ ଠାରୁ ତିଖିରୀ,ଅମେଇପାଳ,ପାଟଳିପଙ୍କ,ଖୁରୁଷିଆ,ଟିକରପଙ୍ଗା ଏବଂ ଗଡରୋମିତ,ତେରଗାଁ,ଯଦୁପୁର,ଜୟଚନ୍ଦ୍ରପୁର ପ୍ରଭୃତି ପଂଚାୟତର ହଜାର ହଜାର ଏକର ଚାଷଜମିରେ ଧାନ ଗଛ ଗୁଡିକ ଶୋଇପଡି ପାଚିଲା ଧାନ କେଣ୍ଡା ପାଣିରେ ବୁଡି ଗଲାଣି ।ତିଖିରୀ ଗ୍ରାମର ଚାଷୀ ନବଘନ ଦାସ ଶନିବାର କୋଦାଳ ଧରି ଧାନ କ୍ଷେତକୁ ବାହାରି ପଡିଥିଲେ ଯେ, ନିଜ ଧାନକ୍ଷେତରୁ ପାଣି ନିଷ୍କାସନ କରି ଖାଲୁଆ ସ୍ଥାନକୁ ଛାଡିବା ପାଇଁ । ହେଲେ ଧାନ କ୍ଷେତ ପାଖରେ ପହଂଚି ପାଚିଲା ଧାନଗଛର ଅବସ୍ଥା ଦେଖି ଚିନ୍ତାରେ ପଡିଯାଇଥିଲେ । ବ୍ଲକ କୃଷିବିଭାଗରୁ ସ୍ୱର୍ଣ୍ଣ ଧାନ ବିହନ ଆଣି ଚାଷ କରିଥିଲେ,ଭଲ ଗଛ ହେବା ସହିତ ବଡ ବଡ ଧାନକେଣ୍ଡା ବାହାରି ହଳଦୀ ରଙ୍ଗ ଧରି ଆସିଥିଲା । ଆଉ ଦିନ କେଇଟା ପରେ ଧାନ ଅମଳ କରି ପାରିଥାନ୍ତେ । ମାତ୍ର ଅଦିନିଆ ବର୍ଷା କାଳ ହେଲା ବୋଲି କୋହଭରା କଣ୍ଠରେ କହିଥିଲେ ନବଘନ ।

ସେହିପରି ଦଶମଉଜି ଅଂଚଳର ବଡକୂଳ,ଦହିମାଛ,ଆଶ୍ରମବାଲିକୁଦା,ଆଇତିପୁର,କରମକୂଳ,ଗୋପିନାଥପୁର,ଗୋବର୍ଦ୍ଧନପୁର,ବେନୁପାଳ,କରଂଜ,ଗୋଖାପଡା ପ୍ରଭୃତି ଗ୍ରାମର ଶତାଧିକ ଚାଷୀଙ୍କ ଧାନକ୍ଷେତରେ ବର୍ଷା ପାଣି ଜମିରହିବାରୁ ଧାନଗଛ ଗୁଡିକ କ୍ଷେତରେ ଲୋଟିପଡିବା ସହିତ ପାଚିଲା ଧାନ କେଣ୍ଡା ଗୁଡିକ ପାଣିରେ ବୁଡୁବା ଦୃଶ୍ୟ ଚାଷୀକୂଳକୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.