ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ରାଜ୍ୟର ୧୨ ଜିଲ୍ଲାକୁ ବର୍ଷା ସତର୍କତା, ବିଜୁଳି ଘଡ଼ଘଡ଼ି ସହ ୫୦ କି.ମି ପବନ ଝଟ୍‌‌କା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବାବେଳେ ଆଜିଠୁ ବର୍ଷା ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଉପକୂଳ ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଦିନ ତମାମ କୋହଲା ପାଗ, ତା ସାଙ୍ଗକୁ ପୂର୍ବାଳୀ ପବନ। କେଉଁଠି କେଉଁଠି ଝିପିଝିପି ବର୍ଷା। ପଶ୍ଚିମା ଝଡ଼ ପ୍ରଭାବରେ ବୁଧବାର ସାରା ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କୋହଲା ପାଗ ଯୋଗୁଁ ଉପରମୁହାଁ ଥିବା ତାପମାତ୍ରାରେ ହ୍ରାସ ଘଟିଛି। ଭୁବନେଶ୍ୱରରେ ତାପମାତ୍ରା ୭ ଡିଗ୍ରୀ ହ୍ରାସ ହୋଇଥିବା ବେଳେ ବହୁ ସ୍ଥାନରେ ପାରଦ ୩-୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ପଶ୍ଚିମାଝଡ଼ ପ୍ରଭାବ ରହିବାକୁ ଥିବାରୁ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ରାଜ୍ୟର ଦାରିଙ୍ଗବାଡ଼ି, ଭବାନୀପାଟଣା ଓ ବାଲେଶ୍ୱର ଆଦିରେ ହାଲୁକା ବର୍ଷା ହୋଇଛି। ତେବେ ଗୁରୁବାର ବର୍ଷାର ପ୍ରକୋପ ବୃଦ୍ଧି ପାଇବାକୁ ଥିବା ବେଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ ସହିତ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୦-୫୦ କିମି ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଶୁକ୍ରବାର ଓ ଶନିବାର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ସହିତ ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ ଜାନୁଆରୀ ମାସରେ ରାଜ୍ୟରେ ୧୦.୬ ମିମି ବର୍ଷା ହେବା କଥା। ଏହି ପରିମାଣରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି ବିବେଚନା କରାଯାଏ। ହେଲେ ଚଳିତ ବର୍ଷ ଜାନୁଆରୀରେ ରାଜ୍ୟରେ ମାତ୍ର ୦.୧ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ତୁଳନାରେ ୯୯ ପ୍ରତିଶତ କମ୍‌‌ ରହିଛି। ସେହିପରି ଫେବୃଆରୀରେ ସ୍ୱାଭାବିକ ଭାବେ ୨୫.୨ ମିମି ବର୍ଷା ହେବାକୁ ଥିବା ବେଳେ ୦.୧ ମିମି ସହ ଫେବୃଆରୀରେ ମଧ୍ୟ ୯୯ ପ୍ରତିଶତ କମ୍‌‌ ବର୍ଷା ହୋଇଛି। ମାର୍ଚ୍ଚରେ ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ବେଳେ ପଶ୍ଚିମା ଝଡ଼ ଯୋଗୁଁ ବର୍ଷାର ପରିମାଣ ସ୍ୱାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ଅନ୍ୟଟେ ବିଜୁଳି ଘଡ଼ଘଡ଼ି ଓ ପବନର ବେଗ ଅଧିକ ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇବା ପରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ଆଲର୍ଟ କରିଛି। ମୁଖ୍ୟତଃ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଲ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.