ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଂସଦ ପଦ ରଦ୍ଦ ହେବା ପରେ ସରକାରୀ ବାସଭବନ ଖାଲି କରିବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଲୀ : ସାଂସଦ ପଦ ରଦ୍ଦ ହେବା ରାହୁଲ ଗାନ୍ଧୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗତ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଛି। ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଲୋକସଭାର ଗୃହ କମିଟି ଏନେଇ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛି। ରାହୁଲ ଦିଲ୍ଲୀର ୧୨ ତୁଗଲକ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରୁହନ୍ତି। ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଲୋକସଭାର ଗୃହ କମିଟି ନୋଟିସ୍ ଅନୁଯାୟୀ ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ।

ଚାରି ବର୍ଷ ତଳର ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ମାମଲାରେ ଗୁରୁବାର ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବ ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହାର ଦିନକ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।ଅନ୍ୟପକ୍ଷରେ ଲୋକସଭା ୱେବସାଇଟରୁ ରାହୁଲଙ୍କ ନାମ ମଧ୍ୟ ହଟାଇ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଲୋକସଭା ସଚିବାଳୟ ରାହୁଲ ଗାନ୍ଧିଙ୍କ ସଂସଦୀୟ ଆସନ ୱାୟନାଡକୁ ଖାଲି ଘୋଷଣା କରିଛି। ନିର୍ବାଚନ ଆୟୋଗ ଏବେ ଏହି ଆସନରେ ନିର୍ବାଚନ ଘୋଷଣା କରିପାରନ୍ତି ।

ଲୋକସଭାରୁ ଅଯୋଗ୍ୟ ହେବାର ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ପ୍ରେସମିଟରେ କହିଥିଲେ ଯେ ସେ ସଂସଦର ରୁହନ୍ତୁ ଅବା ଜେଲରେ, ଗଣତନ୍ତ୍ର ପାଇଁ ସେ ଲଢ଼େଇ ଜାରି ରଖିବେ। ଏହାଛଡ଼ା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲ କହିଥିଲେ, ସଂସଦରେ ଆଦାନୀ ଉପରେ ତାଙ୍କ ଭାଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡରିଯାଇଥିଲେ । ଏହି ପ୍ରସଙ୍ଗରେ ସେ ଆହୁରି କିଛି ଖୁଲାସା କରିବେ ବୋଲି ମୋଦୀ ଛାନିଆ ହୋଇଯାଇଥିଲେ । ତେଣୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ କରିଦିଆଗଲା ।

ଆଜି ମଧ୍ୟ ଟ୍ବିଟ କରି ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଦାନୀ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ଆଦାନୀଙ୍କ କମ୍ପାନୀରେ ଲୋକଙ୍କ ପଇସା ନିବେଶ ଅଭିଯୋଗର କାହିଁକି ଯାଞ୍ଚ କରାଯାଉ ନାହିଁ ବୋଲି ରାହୁଲ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ରାହୁଲ ଟ୍ୱିଟ୍ କରି କହିଛନ୍ତି, “ଏଲଆଇସିର ପଇସା, ଆଦାନୀଙ୍କୁ! ଏସବିଆଇର ପଇସା, ଆଦାନୀଙ୍କୁ! ଇପିଏଫ୍ ର ପଇସା ମଧ୍ୟ ଆଦାନୀ କମ୍ପାନୀରେ! ‘ମୋଦାନୀ’ ବିଷୟରେ ଖୁଲାସା ପରେ ମଧ୍ୟ ଆଦାନୀଙ୍କ କମ୍ପାନୀକୁ ଲୋକଙ୍କ ଟଙ୍କା କାହିଁକି ଯାଉଛି? ପ୍ରଧାନମନ୍ତ୍ରୀ ମହୋଦୟ, ଏହାର ନା ତଦନ୍ତ ପାଇଁ କହୁଛନ୍ତି ନା ଉତ୍ତର ଦେଉଛନ୍ତି ! ଏତେ ଭୟ କାହିଁକି?” ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.