ଚିନ୍ତନ ଶିବିର ପରେ ରାହୁଲ ଛାଡିଦେଲେ କି ଦଳର ଚିନ୍ତା : ସଙ୍କଟଜନକ ସ୍ଥିତିରେ କଂଗ୍ରେସ, ବିଦେଶ ଗସ୍ତରେ ମଙ୍ଗୁଆଳ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଅନେକ ନେତା ଦଳ ଛାଡିବାରେ ଲାଗିଛନ୍ତି । ଅର୍ନ୍ତଦ୍ବନ୍ଦ୍ବ ଓ ଦଳୀୟ କନ୍ଦଳ ପାଇଁ ଭୁଶୁଡିବା ଅବସ୍ଥାରେ ପହଞ୍ଚିଲାଣି ଭାରତର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ଦଳର ତୁଙ୍ଗ ନେତାମାନେ ଧିରେ ଧିରେ ଦଳ ଛାଡ଼ୁଥିବା ବେଳେ କଂଗ୍ରେସର ଭବିଷ୍ୟତ କ’ଣ, ତାହା ଜଳ ଜଳ ହୋଇ ଦେଖାଗଲାଣି। ହେଲେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ବି ବିଦେଶ ଯାତ୍ରା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କର ଏହି ବିଦେଶ ଯାତ୍ରା ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦଳର ଅବସ୍ଥା କ’ଣ ରାହୁଲ ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ନିକଟରେ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ତିନିଦିନିଆ ଚିନ୍ତନ ଶିବିର  ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେଇ ଦମ୍ଭ ଦେଖାଇଥିଲେ ରାହୁଲ ଗାନ୍ଧି। କଂଗ୍ରେସ ପୁଣି ଥରେ ଫର୍ମକୁ ଫେରିବ। ବିଜେପି ବିରୋଧରେ ଲଢ଼ିବା ପାଇଁ ଦଳକୁ ପୁଣିଥରେ ମଜଭୁତ କରାଯିବ ବୋଲି ରାହୁଲ ଗାନ୍ଧି କହିଥିଲେ। କଂଗ୍ରେସକୁ ପୁଣିଥରେ ଫର୍ମକୁ ଫେରାଇ ଆଣିବା ପାଇଁ  ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଲୋକଙ୍କ ସହ କଂଗ୍ରେସର ଭାଙ୍ଗିଥିବା ସଂପର୍କର ପୁନଃ ପ୍ରତିଷ୍ଠା କରିବାକୁ ପଡିବ ବୋଲି କହିଥିବା ରାହୁଲଙ୍କୁ ବୋଧ ହୁଏ ଚିନ୍ତନ ଶିବିର ପରେ କଂଗ୍ରେସ ଚିନ୍ତା ଛାଡିଗଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦଳର ସଙ୍କଟ ସ୍ଥିତିରେ ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀ ଏବେ ଏହି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।

ଅନ୍ୟପଟେ ରାହୁଲଙ୍କ ଲଣ୍ଡନ ଗସ୍ତକୁ ନେଇ କଂଗ୍ରେସର ମିଡିଆ ବିଭାଗର ପ୍ରମୁଖ ଓ ମହାସଚିବ ରଣଦୀପ ସୁରେଜୱାଲା କହିଛନ୍ତି ଯେ ରାହୁଲ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ ‘ଆଇଡିଆ ଫର ଇଣ୍ଡିଆ’ ଉପରେ ନିଜର ମତାମତ ଦେବାକୁ ଯାଇଛନ୍ତି। ଏହା ସହ ସେ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କଂଗ୍ରେସ ନେତା ସଲମାନ ଖୁରସିଦ ଏବଂ ପ୍ରିୟଙ୍କା ଖଡଗେ ମଧ୍ୟ ଲଣ୍ଡନରେ ପହଞ୍ଚିଛନ୍ତି। ଏଥି ସହିି ମେ ୨୩ ରେ ରାହୁଲ ଗାନ୍ଧୀଙ୍କର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ‘୭୫ କା ଭାରତ : ଚ୍ୟାଲେଞ୍ଜସ ଏବଂ ୱେ ଆଗରେ ଏକ ରେସିଲିଏଣ୍ଟ-ଆଧୁନିକ ଭାରତ’ ବିଷୟରେ ସମ୍ବୋଧନ ଦେବେ ଓ ଆଲୋଚନା କରିବେ।

ସୂଚନାଯୋଗ୍ୟ ଏବର୍ଷ ଶେଷଭାଗରେ ଗୁଜୁରାଟରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସର ଯୁବ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ଦଳର ହାତ ଛାଡ଼ିଛନ୍ତି।  ଯାହା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା। ଏହାସହ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ସୁନୀଲ ଜାଖର ଆଜି ବିଜେପିରେ ମିଶିଛନ୍ତି। ଜାଖର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ଆଜି ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସର ଅନ୍ତଃ କନ୍ଦଳ ଲାଗି ରହିଛି ,ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ବେଶ ଚର୍ଚ୍ଚାକୁ ଆସିଛି।

Leave a comment