ବିଦେଶୀ ଟି-ସାର୍ଟ ପିନ୍ଧି ଦେଶ ଯୋଡିବାକୁ ବାହାରିଛନ୍ତି ରାହୁଲ ବାବା : ଅମିତ ଶାହା

ଯୋଧପୁର : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ପ୍ରାୟ ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଜେଡିୟୁ, ଟିଏମସି ଏବଂ ଆପ୍‌ ପକ୍ଷରୁ ମଧ୍ୟ ରଣନୀତି ଗ୍ରହଣ କରାଯାଇଛି। କିନ୍ତୁ ଏହା ମଧ୍ୟରେ ଟି-ସାର୍ଟକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ପକ୍ଷରୁ ଚାଲିଥିବା ୧୫୦ ଦିନର ଭାରତ ଯୋଡ଼ ଯାତ୍ରାକୁ ନେଇ ବିଜେପି ଏହି ଦଳକୁ କଟାକ୍ଷ କରିବା ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିନ୍ଧୁଥିବା ୪୧ ହଜାର ଟଙ୍କାର ଟି-ସାର୍ଟକୁ ନେଇ ରାଜନୀତି ଆରମ୍ଭ କରିଛି।

ଗତକାଲି ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ରାଜନୀତି ଚାଲିଥିବା ବେଳେ ଆଜି ପୁଣି ସେହି ନିଆଁରେ ଘିଅ ଢାଳିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆଜିଠୁ  ୨ ଦିନିଆ ରାଜସ୍ଥାନ ଗସ୍ତରେ ଥିବା ଅମିତ ଶାହ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହା କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କଂଗ୍ରେସକୁ ୨୦୧୮ର ନିର୍ବାଚନ ଇସ୍ତାହାର କଥା ମନେ ପକାଇଛନ୍ତି, ହିନ୍ଦୁତ୍ୱ କାର୍ଡ ମଧ୍ୟ ଖେଳିଛନ୍ତି । କେବଳ ସେତିକି ନୁହେଁ ଶାହା ଭାରତ ଯୋଡକୁ ନେଇ ମଧ୍ୟ ରାହୁଲଙ୍କୁ କଟାକ୍ଷ କରିଛନ୍ତି ।

ଶାହା କହିଛନ୍ତି କି, ଏବେ ଏବେ ରାହୁଲ ବାବା ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି । ସେ ବିଦେଶୀ ଟି-ସାର୍ଟ ପିନ୍ଧି ଭାରତ ଯୋଡରେ ବାହାରିଛନ୍ତି । ମୁଁ ରାହୁଲ ବାବା ଓ ତାଙ୍କ ସାଂସଦମାନଙ୍କୁ ଏକ ଭାଷଣ ମନେ ପକାଇବାକୁ ଚାହୁଁଛି ଯେଉଁଠି ରାହୁଲ ବାବା କହିଥିଲେ ଭାରତ ଏକ ଦେଶ ନୁହେଁ । ଆରେ ରାହୁଲ ବାବା ଆପଣ କେଉଁ ବହି ପଢିଥିଲେ? ୟେ ତ ସେହି ଦେଶ ଯାହା ପାଇଁ ଅନେକ ଲୋକ ନିଜ ପ୍ରାଣବଳୀ ଦେଇଦେଇଥିଲେ । ତୁମେ ଭାରତ ଯୋଡ ଛାଡିକି ପ୍ରଥମେ ଭାରତର ଇତିହାସକୁ ପଢ ।

ସେପଟେ ୪୧ ହଜାର ଟଙ୍କାର ବରବରୀ କମ୍ପାନୀର ଏକ ଟି-ସାର୍ଟ ରାହୁଲ ପିନ୍ଧିଥିବା ଏକ ଫଟୋକୁ ବିଜେପି ସୋସିଆଲ ମିଡିଆରେ ଶେୟାର କରି ‘ଭାରତ ଦେଖୋ’ ବୋଲି ଫଟୋ ଶିରୋନାମା ଦେଇ ଗତକାଲଇ ଟ୍ବିଟ କରିଥିବା ବଳେ ବିଜେପିର ଏଭଳି ଆଭିମୁଖ୍ୟକୁ ନେଇ କଂଗ୍ରେସ ପକ୍ଷରୁ ମଧ୍ୟ ବିଜେପିକୁ ନିଶାଣ କରାଯାଇଛି। ବର୍ତ୍ତମାନ ରାହୁଲଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାରେ ଲୋକଙ୍କ ସମର୍ଥନକୁ ଦେଖି ବିଜେପି ବିଚଳିତ ହୋଇପଡ଼ିଛି। ତେଣୁ ଦଳକୁ ଆଉ କିଛି ଦେଖାଯାଉ ନାହିଁ ବୋଲି କଂଗ୍ରେସ କହିଛି। ଯେଉଁଠି ପ୍ରଧାନମନ୍ତ୍ରୀ ମୋଦୀ ୧୦ ଲକ୍ଷ ଟଙ୍କାର ସୁଟ୍‌ ପିନ୍ଧୁଛନ୍ତି ତାହା କ’ଣ ବିଜେପିକୁ ଦେଖାଯାଉ ନାହିଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ବର୍ତ୍ତମାନ ସାରା ଦେଶରେ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ସମସ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବିଜେପି ଏସବୁ ପ୍ରସଙ୍ଗରେ ଆଲୋଚନା ନ କରି କିଏ କ’ଣ ପରିଧାନ କରୁଛି ତାହାକୁ ଦେଖୁଛି। କିନ୍ତୁ ପରିଧାନ କଥା ଉଠିଲେ ଆମ ନିକଟରେ ମଧ୍ୟ ବହୁତ କିଛି କହିବାକୁ ଅଛି। ବିଶେଷକରି ମୋଦୀଙ୍କ ୧୦ ଲକ୍ଷ ଟଙ୍କାର ସୁଟ୍‌ ସେ ପିନ୍ଧୁଥିବା ଦେଢ଼ ଲକ୍ଷ ଟଙ୍କାର ଚଷମା କଥା କହିଲେ ବିଜେପି ମୁହଁ ବନ୍ଦ ହୋଇଯିବ ବୋଲି କଂଗ୍ରେସ କହିଛି।

ଟିଏମ୍‌ସି ଟି-ସାର୍ଟରେ ଅମିତ ଶାହାଙ୍କ କାର୍ଟୁନ

କୋଲକାତା : ପଶ୍ଚିମବଙ୍ଗରେ ଟିଏମସି ବିରୋଧୀ ବିଜେପି ବିରୋଧରେ ଆକ୍ରମଣ ଆରମ୍ଭ କରିଦେଇଛି। ପଶ୍ଚିମବଙ୍ଗର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ଟି- ସାର୍ଟ ପ୍ରସ୍ତୁତ କରାଯାଇଛି। ଏହି ଟି-ସାର୍ଟରେ ଭାରତର ସବୁଠାରୁ ବଡ଼ ପପୁ ଲେଖାଯାଇଛି ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ରହିଛି। ଏଭଳି ଫଟୋ ଉପସ୍ଥାପନ କରି ଟିଏମସି ଅମିତ ଶାହଙ୍କୁ ଦେଶର ସବୁଠାରୁ ବଡ଼ ପପୁ ବୋଲି ଆଖ୍ୟା ଦେଇଛି। ଏହି ଟି-ଶାର୍ଟକୁ ଅଧିକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଟିଏମସି ଦଳୀୟ କର୍ମୀମାନଙ୍କୁ କହିଛି। ଟି-ସାର୍ଟର ଉଭୟ ପାର୍ଶ୍ୱରେ ଅମିତ ଶାହଙ୍କ ମୁହଁର ଗୋଟିଏ କାର୍ଟୁନ ରଖାଯାଇ ଏପରି ନାରା ଦିଆଯାଇଛି।

ବିଜେପି ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପପୁ ବୋଲି କହି ସମାଲୋଚନା କରି ଆସୁଥିଲା। ଏବେ ଟିଏମସି ପପୁ ଶବ୍ଦକୁ ବ୍ୟବହାର କରି ଅମିତ ଶାହଙ୍କୁ କଟାକ୍ଷ କରିବା ଆରମ୍ଭ କରିଛି। ଦୁର୍ଗାପୂଜା ବେଳେ ଲକ୍ଷ ଲକ୍ଷ ଲୋକ ପଶ୍ଚିମବଙ୍ଗର ବିଭିନ୍ନ ପେଣ୍ଡାଲକୁ ବୁଲିବାକୁ ଆସିବେ। ଏହି ସମୟରେ ଏଭଳି ଟି-ସାର୍ଟ ମାଧ୍ୟମରେ ଟିଏମସି ବିଜେପି ବିରୋଧରେ ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ ଯେ, କୋଇଲା ଦୁର୍ନୀତି ମାମଲାରେ ଇଡି ଗତ ୨ ତାରିଖରେ ଅଭିଷେକ ବାନାର୍ଜୀଙ୍କୁ ଦୀର୍ଘ ୭ ଘଣ୍ଟା ଧରି ଜେରା କରିଥିଲା। ସେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅମିତ ଶାହଙ୍କୁ ଭାରତର ସବୁଠାରୁ ବଡ଼ ପପୁ ବୋଲି କହିଥିଲେ। ଏହି ବୟାନର କିଛି ଘଣ୍ଟା ପରେ ତାଙ୍କ ସମ୍ପର୍କୀୟ ଭାଇ ଆକାଶ ବାନାର୍ଜୀ ଓ ଆଦିତି ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରିଥିଲେ। ସେମାନେ ପିନ୍ଧିଥିବା ଟି-ଶାର୍ଟରେ ଅମିତ ଶାହଙ୍କ କାର୍ଟୁନ ଥିଲା। ପପୁ ସ୍ଲୋଗାନ ଲେଖାଯାଇଥିଲା।

Leave a comment