ପୁଟିନଙ୍କ ମତିଭ୍ରମ : ନିଜ ଗୁଇନ୍ଦା ମୁଖ୍ୟଙ୍କୁ କଲେ ଗିରଫ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ମଙ୍ଗଳବାର ୨୦ ଦିନରେ ପହଞ୍ଚିଛି। ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଥିବା ବେଳେ ରାଜଧାନୀ କିଭ୍‌ ସମେତ ମାରିଓପୋଲ ଏବଂ ଖାରକିଭ୍‌ ସହରରେ ଆକ୍ରମଣ ଆହୁରି ଜୋରଦାର କରାଯାଇଛି। ହେଲେ କିଭ୍‌କୁ ସମ୍ପୂର୍ଣ୍ଣ କବଜା କରିବାରେ ରୁଷ ସେନା ସମର୍ଥ ହୋଇପାରି ନାହିଁ। ଏହାକୁ ନେଇ ରାଷ୍ଟ୍ରପତି ପୁତିନଙ୍କ ଚିନ୍ତା ବଢିବା ସହ ଆନ୍ତର୍ଜାତିକ ସ୍ତରର ଚାପକୁ ନେଇ ମଧ୍ୟ ପୁତିନ ବିଚଳିତ ହୋଇପଡ଼ିଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ପୁତିନ ନିଜ ସେନାର ୫ ଜଣ ଜେନେରାଲଙ୍କୁ ବରଖାସ୍ତ କରିଥିବା ଖବର ଆସିଥିଲା। ଏହାପରେ ସୋମବାର ରୁଷିଆ ଗୁଇନ୍ଦା ସଂସ୍ଥାର ପ୍ରମୁଖଙ୍କୁ ପୁଟିନଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇଥିବା ଜଣାପଡ଼ିଛି।

ପୁଟିନଙ୍କ ଏଭଳି ଆଭିମୁଖ୍ୟ ଯୁଦ୍ଧ କ୍ରମର ସ୍ଥିତିକୁ ନେଇ କିଛି ଭିନ୍ନ ଦର୍ଶାଉଛି। ବିଶେଷକରି ୨୦ ଦିନର ସଂଘର୍ଷ ସତ୍ତ୍ବେ କିଭ୍‌ କବଜାକୁ ଆସପାରିନଥିବାରୁ ପୁତିନଙ୍କ ମନୋବଳ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଉଛି। ୨୦ ଦିନର ଯୁଦ୍ଧ ମଧ୍ୟରେ ରୁଷ ସେନାର ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାରରୁ ଅଧିକ ରୁଷ ସେନାଙ୍କ ମୃତ୍ୟୁ ହୋଇସାରିଥିବା ୟୁକ୍ରେନ ଦାବି କରିଛି। ଅନ୍ୟପକ୍ଷରେ ଗତକାଲି ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥା ‘ ପାଇଭ୍‌ ଆଏଜ’ ପକ୍ଷରୁ ପୁତିନଙ୍କ ସମ୍ପର୍କରେ ଦିଆଯାଇଥିବା ତଥ୍ୟକୁ ନେଇ ମଧ୍ୟ ଚିନ୍ତା ବଢିଛି। ପୁତିନ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ଏବଂ ସେ ଏଥିପାଇଁ ନେଉଥିବା ବହୁମାତ୍ରାର ଷ୍ଟିରଏଡ ଯୋଗୁଁ ତାଙ୍କ ନିକଟରେ ପାର୍କିନସନ ଡିଜିଜ ଓ ଡିମେନ୍ସିଆ ଭଳି ରୋଗ ସୃଷ୍ଟି ହୋଇ ତାଙ୍କର ମତିଭ୍ରମ ଘଟିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

ତେଣୁ ତାଙ୍କର ଯୁଦ୍ଧଖୋର ମନୋବୃତ୍ତି ତୀବ୍ର ହୋଇଛି ଏବଂ କୌଣସି ସମୟରେ ସେ କିଛି ବି କରିପାରନ୍ତି ବୋଲି କୁହାଯିବା ପରେ ଏବେ ବିଭିନ୍ନ ମହଲରେ ଚିନ୍ତା ବଢିଛି। ଯୁଦ୍ଧ ବନ୍ଦ କରିବା ନେଇ ପୁତିନଙ୍କ କୌଣସି ଆଭିମୁଖ୍ୟ ରହିଥିବା ଜଣାପଡ଼ୁ ନାହିଁ। ନିଜ ଲକ୍ଷ୍ୟ ସାଧନ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବା ଉଦ୍ଦେଶ୍ୟରେ ପୁତିନ ଏବେ ଚୀନ୍‌ ଠାରୁ ଅସ୍ତ୍ରଶସ୍ତ୍ର ସହାୟତା ଲୋଡିଛନ୍ତି। ତେବେ ଚୀନ ରୁଷିଆକୁ ଯେଭଳି କୌଣସି ଯୁଦ୍ଧାସ୍ତ୍ର ଯୋଗାଣ ନ କରେ ସେଥିନେଇ ଆମେରିକା ଗୁରୁତ୍ବ ଦେଇଛି। ରୋମ ଠାରେ ଆମେରିକା ଏବଂ ଚୀନ ମଧ୍ୟରେ ହେବାକୁ ଯାଉଥିବା ବୈଠକରେ ଆମେରିକା ଏହି ପ୍ରସଙ୍ଗ ଉଠାଇବ ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଭାନ କହିଛନ୍ତି। ଚୀନ୍‌ ଯଦି ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଏ ତେବେ ଏହା କେବଳ ୟୁକ୍ରେନ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ବ ସମାଜ ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ସୁଲିଭାନ କହିଛନ୍ତି। ଏପରିକି ଏହା ତୃତୀୟ ବିଶ୍ବ ଯୁଦ୍ଧ ପାଇଁ ମଧ୍ୟ ଆଶଙ୍କା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।

ସେହିପରି ଚୀନର ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ଭାରତ ମଧ୍ୟ ଚିନ୍ତା ବ୍ୟକ୍ତ କରିଛି। ଅନ୍ୟପକ୍ଷରେ ୟୁକ୍ରେନକୁ ତୁରନ୍ତ ‘ନୋ ଫ୍ଲାଏ ଜୋନ’ ଘୋଷଣା କରିବାକୁ ରାଷ୍ଟ୍ରପତି ଜେଲେଁସ୍କି ପଶ୍ଚିମ ରାଷ୍ଟ୍ରମାନଙ୍କ ନିକଟରେ ଦାବି କରିଛନ୍ତି। ନଚେତ ରୁଷିଆ କୌଣସି ମୁହୂର୍ତ୍ତରେ ପୋଲାଣ୍ଡ ଉପରେ ଆକ୍ରମଣ କରିପାରେ ବୋଲି ଜେଲେଁସ୍କି କହିଛନ୍ତି। କିନ୍ତୁ ଏଭଳି ଆଶଙ୍କାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ଚେତାବନୀ ଦେଇଛନ୍ତି। ଯଦି ରୁଷିଆ ପୋଲାଣ୍ଡ ଉପରେ ଆକ୍ରମଣ କରେ ତେବେ ତୃତୀୟ ବିଶ୍ବ ଯୁଦ୍ଧ ନିଶ୍ଚିତ ବୋଲି ବାଇଡେନ କହିଛନ୍ତି। ଜେଲେଁସ୍କି ଆସନ୍ତା ବୁଧବାର ଆମେରିକୀୟ ସଂସଦକୁ ଯୁଦ୍ଧ ପ୍ରସଙ୍ଗରେ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ତେବେ ଯୁଦ୍ଧ ଘନଘଟା ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ଆଲୋଚନାରେ ତୁରନ୍ତ ଯୁଦ୍ଧ ବନ୍ଦ ସହ ବିଭିନ୍ନ ସହରରେ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ପାନୀୟ ଯୋଗାଣ ଆରମ୍ଭ କରିବାକୁ ୟୁକ୍ରେନ ଦାବି କରିଛି। ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ପାଇଁ ମଧ୍ୟ ୟୁକ୍ରେନ ପକ୍ଷରୁ ମଧ୍ୟସ୍ଥତା କରୁଥିବା ପ୍ରତିନିଧି ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ମାରିଓପୋଲ ସହରରେ ପ୍ରାୟ ୨୫୦୦ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। ସେହିପରି ଖାରସାନ ସହରକୁ ରୁଷ ସେନା ସମ୍ପୂର୍ଣ୍ଣ କବଜାକୁ ନେଇଛି। ଅନ୍ୟପକ୍ଷରେ ୟୁକ୍ରେନର ଡୋନେସ୍କ ପ୍ରଦେଶର ବିଦ୍ରୋହୀଙ୍କ ଉପରେ ୟୁକ୍ରେନ ସେନାର ଆକ୍ରମଣରେ ସୋମବାର ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave a comment