ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଶ୍ଚାତ୍ୟ ଦେଶଗୁଡିକୁ ପୁଟିନଙ୍କ ଚେତାବନୀ : ଋଷ ଉପରେ ଆର୍ଥିକ କଟକଣା ଲଗାଇବା ଯୁଦ୍ଧ ସହ ସମାନ

ନୂଆଦିଲ୍ଲୀ : କ୍ରମାଗତ ୧୦ ଦିନ ଧରି ୟୁକ୍ରେନ୍‌ ଉପରେ ଭୟାନକ ଆକ୍ରମଣ ଜାରୀ ରଖିଥିବାବେଳେ ଶନିବାର ୨ଘଣ୍ଟା ପାଇଁ ରୁଷ୍‌ର ସାମୟିକ ଅସ୍ତ୍ର ବିରତି ଘୋଷଣା ଯୁଦ୍ଧ ବିଶାରଦମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ପୁତିନଙ୍କ ଯୁଦ୍ଧ ରଣନୀତି ୟୁରୋପୀୟ ସଂଘରାଷ୍ଟ୍ର ସମୂହ ପାଇଁ ଅବୋଧ୍ୟ ହୋଇଛି। ସାମୟିକ ଅସ୍ତ୍ର ବିରତି ଘୋଷଣା କରି ପୁତିନ ପ୍ରକୃତରେ କି ପ୍ରକାର ସନ୍ଦେଶ ଦେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହେଉନାହିଁ। ୟୁକ୍ରେନରେ ଧ୍ବଂସର ଲୀଳା ରଚାଇ ବିଶ୍ବସ୍ତରରେ ନିନ୍ଦିତ ହୋଇଥିବା ପୁତିନ ଲୋକଙ୍କ ହୃଦୟ ଜିଣିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ନା, ଆଉ ଏକ ବଡ଼ ଧରଣର ଆକ୍ରମଣ ଯୋଜନାରେ ଥାଇ ପୁତିନ ଏପରି କରିଛନ୍ତି, ତାହାକୁ ନେଇ ଏବେ ଆନ୍ତର୍ଜାତିକ ସ୍ତରରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଏପଟେ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକ ଦ୍ବାରା ଲଗାଇଯାଇଥିବା ଆର୍ଥିକ କଟକଣାକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପୁତିନ। ଆମେରିକା, ବ୍ରିଟେନ, ଜର୍ମାନୀ ଆଦି ରାଷ୍ଟ୍ର ଆର୍ଥିକ କଟକଣା ଲଗାଇବା ପରେ ରୁଷରେ ସଂପ୍ରତି ଦେଖାଦେଇଥିବା ଅବ୍ୟବସ୍ଥା ଓ ଅରାଜକତାକୁ ନେଇ ବିଚଳିତ ହୋଇପଡ଼ିଛନ୍ତି ପୁତିନ। ନିଜ ଦେଶ ଭିତରେ ନାଗରିକ ଅଶାନ୍ତିକୁ ଟାଳିବା ପାଇଁ ପୁତିନ ଏହି ଅବ୍ୟବସ୍ଥା ପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ଦୋଷ ଲଦି ଏହା ପରୋକ୍ଷରେ ରୁଷ ବିରୋଧରେ ଯୁଦ୍ଧ ଘୋଷଣା ବୋଲି କହିଛନ୍ତି। ନିଜ ଦେଶର ଆର୍ଥିକ ଏବଂ ସାମାଜିକ ସୁରକ୍ଷା ପାଇଁ ସରକାର ଯେକୌଣସି ସ୍ତରକୁ ଓହ୍ଲାଇ ପାରନ୍ତି ବୋଲି ପୁତିନ ସିଧାସଳଖ ଧମକ ଦେବା ସହ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋର୍‌ଦାର୍‌ କରାଯିବ ବୋଲି ଘୋଷଣା କରିଛନ୍ତି। ସଂପୂର୍ଣ୍ଣ ୟୁକ୍ରେନକୁ ଅକ୍ତିଆର ନ କରିବା ଯାଏଁ ଆକ୍ରମଣ ବନ୍ଦ ହେବ ନାହିଁ ବୋଲି ପୁତିନ ଖୋଲାଖୋଲି ଭାବେ କହିଛନ୍ତି।

ଯୁଦ୍ଧ ଆରମ୍ଭ ବେଳେ ୟୁକ୍ରେନ ବିରୋଧରେ କେବଳ ସାମରିକ କାର୍ଯ୍ୟାନୁଷ୍ଠାନର କଥା କହିଥିବା ରୁଷ ଏବେ ବିଭିନ୍ନ ସହରରେ ଜନବସତି ଉପରେ ମଧ୍ୟ ଆକ୍ରମଣ ଚଳାଇଛି। ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ୫୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଛି। ଆକ୍ରମଣରୁ ସାଧାରଣ ନାଗରିକଙ୍କୁ ବାଦ୍‌ ଦେବାକୁ ରାଷ୍ଟ୍ରପତି ପୁତିନ କହିଥିବା ବେଳେ ଏଥିପାଇଁ ସାମୟିକ ଅସ୍ତ୍ରବିରତି ପାଇଁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ହେଲେ ଶନିବାର ୟୁକ୍ରେନର ବନ୍ଦର ସହର ମାରିଓପୋଲରେ ଏହି ସର୍ତ୍ତକୁ ରୁଷ ସେନା ଉଲ୍ଲଘଂନ କରିଥିବା ୟୁକ୍ରେନ କହିଛି। ରୁଷ ସେନାର ଆକ୍ରମଣ ଜାରି ରହିଥିବାରୁ ମାରିପୋଲ ସମେତ ଭୋଲନୋଭାକା ସହରରେ ସାଧାରଣ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ରୋକ ଲଗାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୋଟିଏ ପକ୍ଷରେ କେବଳ ସାମରିକ କାର୍ଯ୍ୟାନୁଷ୍ଠାନର କଥା କହୁଥିବା ପୁତିନ ସାଧାରଣ ଜନବସତି ଉପରେ କିଭଳି ଆକ୍ରମଣ କରିବାକୁ ପ୍ରଶୟ ଦେଉଛନ୍ତି ତାହା ବୁଝାପଡ଼ୁ ନାହିଁ। ପୂର୍ବରୁ ଆଣବିକ ଯୁଦ୍ଧର ସଙ୍କେତ ଦେଇଥିବା ପୁତିନ ଶୁକ୍ରବାର ୟୁକ୍ରେନର ପ୍ରମୁଖ ଆଣବିକ କେନ୍ଦ୍ର ଉପରେ ହମଲା କରାଇ ସାରା ବିଶ୍ବକୁ ହଲଚଲ କରିଦେଇଛନ୍ତି। ଏହା ପରେ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କିଙ୍କ ଅଚାନକ ଅନ୍ତର୍ଦ୍ଧାନ ଖବର ସ୍ଥିତିକୁ ଆହୁରି ଗମ୍ଭୀର କରିପାରେ ବୋଲି କୁହାଯାଉଛି।

ଏହାବ୍ୟତୀତ ୟୁକ୍ରେନର ଫ୍ଲାଇଙ୍ଗ ଜୋନକୁ ନେଇ ମଧ୍ୟ ସେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନରେ ବିମାନ ଉଡ଼ାଣ ପାଇଁ ଯଦି କୌଣସି ରାଷ୍ଟ୍ର କିଛି କଟକଣା ଜାରି କରେ, ତେବେ ସେହି ରାଷ୍ଟ୍ର ୟୁକ୍ରେନ ସହ ଯୁଦ୍ଧରେ ସାମିଲ ହୋଇଛି ବୋଲି ଗ୍ରହଣ କରାଯିବ। ତେଣୁ ଏଥିପ୍ରତି ସତର୍କ ରହିବା ଦରକାର ବୋଲି ପୁତିନ କହିଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ପୁଣିଥରେ ଆର୍ନ୍ତଜାତିକସ୍ତରରେ ବିବାଦ ସୃଷ୍ଟି ହୋଇଥÒବା ବେଳେ ବ୍ରିଟେନକୁ ମଧ୍ୟ ପରୋକ୍ଷରେ ଚେତାବନୀ ଦେଇଛନ୍ତି ପୁତିନ। ବ୍ରିଟେନ ୟୁକ୍ରେନର ରାଷ୍ଟ୍ରବାଦୀ ନେତାଙ୍କୁ ସହାୟତା କରୁଥିବାରୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନର ଦୁଇ ସହରରେ ଉଭୟ ପକ୍ଷର ସାମୟିକ ଅସ୍ତ୍ରବିରତି ମଧ୍ୟ ଉଲ୍ଲଘଂନ ହୋଇଛି। ୟୁକ୍ରେନର ବନ୍ଦର ସହର ମାରିପୋଲରେ ବିଗତ କିଛି ଦିନ ହେଲା ରୁଷ ସେନାର ଘନ ଘନ ଆକ୍ରମଣ ଜାରି ରହିଥିଲା ବେଳେ ସେଠାରେ ଲୋକଙ୍କୁ ପାଣି ଏବଂ ଖାଦ୍ୟ ମିଳିପାରି ନାହିଁ। ସେହିପରି ଭୋଲନୋକୋଭ ସହରବାସୀ ମଧ୍ୟ ଦିନ ଦିନ ଧରି ଅନ୍ଧାର ମଧ୍ୟରେ ରହିଆସିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ‘ହ୍ୟୁମାନ କରିଡର’ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ହେଁ ଏହା ହୋଇପାରି ନାହିଁ। ପରସ୍ପରକୁ ଦୋଷାରୋପ କରାଯିବା ଦ୍ବାରା ଏହା ହୋଇପାରି ନଥÒବା କୁହାଯାଇଛି। ଗୋଟିଏ ପକ୍ଷରେ ୟୁକ୍ରେନ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସୁଯୋଗ ଦେଉ ନଥିବା ଏବଂ ସେମାନଙ୍କୁ ଡାଲ ବନାଉଥିବା ରୁଷ ଅଭିଯୋଗ କରିଥିବା ବେଳେ ରୁଷ ସେନା ଆକ୍ରମଣ ବନ୍ଦ କରୁନାହାନ୍ତି ବୋଲି ୟୁକ୍ରେନ ଅଭିଯୋଗ କରିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରି ନଥÒବା ଉଭୟ ସହରର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥଳେ ଏହି ଦୁଇଟି ସହର ଉପରେ ରୁଷର ଆକ୍ରମଣକୁ ନେଇ ଅନେକ ଜନଜୀବନ ନଷ୍ଟ ହୋଇପାରେ ବୋଲି କୁହାଯାଇଛି।

Leave A Reply

Your email address will not be published.