ବାଇଗଣୀ ରଙ୍ଗର ଆଳୁ

ବୁଢ଼ା ହେବାକୁ କିଏ ବା ଚାହେଁ? ତଥାପି ଅନିଚ୍ଛା ସତ୍ତ୍ବେ ମନୁଷ୍ୟକୁ ବାର୍ଦ୍ଧକ୍ୟ ଭୋଗିବାକୁ ପଡ଼ିଥାଏ। ଏହା ପ୍ରକୃତିର ନିୟମ। ତେବେ ବୈଜ୍ଞାନିକମାନେ ଏପରି ଏକ ଆଳୁ ବିକଶିତ କରିଛନ୍ତି ଯାହା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରିବ। ଏହି ଆଳୁର ରଙ୍ଗ ବାଇଗଣୀ ହୋଇଥିବାବେଳେ ଏହାକୁ ବିକଶିତ କରିବାକୁ ବୈଜ୍ଞାନିକମାନଙ୍କୁ ପାଖାପାଖୀ ୫ ବର୍ଷ ସମୟ ଲାଗିଯାଇଥିଲା। ଏହି ୫ ବର୍ଷରେ କୃଷି ବୈଜ୍ଞାନିକମାନେ ଆଳୁର ୨୦ଟି ପ୍ରଜାତି ବିକଶିତ କରିଛନ୍ତି। ଏହି ବାଇଗଣୀ ରଙ୍ଗ ଆଳୁରେ ସାଧାରଣ ଆଳୁ ଅପେକ୍ଷା ଭିଟାମିନ-ସି’ର ମାତ୍ରା ତିନି ଗୁଣ ଅଧିକ ଏବଂ ଅକ୍ସିଡେସନ୍ ନିରୋଧକ ତତ୍ତ୍ବ ଚାରି ଗୁଣ ଅଧିକ ଥାଏ। ଅକ୍ସିଡେସନ୍ ନିରୋଧକ ଗୁଣ ଯୋଗୁଁ ଏହା ମଣିଷର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିବା ସହ ଅନେକ ଦୁସାଧ୍ୟ ରୋଗରୁ ମଧ୍ୟ ରକ୍ଷା କରିବ। ଏହାକୁ ପ୍ରଥମେ ଟେଷ୍ଟ ଟ୍ୟୁବ୍ରେ ପ୍ରସ୍ତୁତ କରାଯାଏ, ପରବର୍ତ୍ତୀ ସମୟରେ ଏହାକୁ ରୋପଣ କରାଯାଏ। ରୁଷର ଉରାଳ ପ୍ରଦେଶର ୟେକାତେରିନବୁର୍ଗ ସହରର କୃଷି ବୈଜ୍ଞାନିକମାନେ ମାନବ କଲ୍ୟାଣ ପାଇଁ ଏହି ଅନନ୍ୟ ବାଇଗଣୀ ଆଳୁ ସୃଷ୍ଟି କରିଛନ୍ତି, ଯାହା ମଣିଷର ଯୌବନକୁ ଅକ୍ଷୁଣ୍ଣ ରଖୀବ। ସାଧାରଣ ଆଳୁ ତୁଳନାରେ ଏହି ଆଳୁରେ ଆରାରୁଟ୍ ପରିମାଣ ବହୁତ କମ୍, ଯେଉଁ କାରଣରୁ ଏହାର ରଙ୍ଗ ବାଇଗଣୀ ଅଟେ। ଏହି ଆଳୁର ସ୍ୱାଦ ସାଧାରଣ ଆଳୁ ଭଳି। ଜଙ୍ଗଲୀ ଆଳୁ ଓ ସାମାନ୍ୟ ଆଳୁର ସଙ୍କରୀକରଣରୁ ଏହି ଆଳୁକୁ ଉତ୍ପନ୍ନ କରାଯାଇଛି। ଏହି ଆଳୁକୁ ରାନ୍ଧିବା ପରେ ମଧ୍ୟ ଏହା ଉଜ୍ଜ୍ୱଳ ବାଇଗଣୀ ରଙ୍ଗର ଦେଖାଯାଏ।