ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କ ବିରୋଧରେ ପୁରୀବାସୀଙ୍କ ରଣହୁଙ୍କାର

ପୁରୀ : ଶ୍ରୀକ୍ଷେତ୍ରକୁ ଦିଆଯାଉଛି ନୂଆରୂପ। ବଦଳୁଛି ପୁରୀର ପରିଭାଷା। ଏହି ପୁଣ୍ୟଭୂମିର ଗରିମାକୁ ଆହୁରି ସୂଦୁରପ୍ରସାରୀ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀକ୍ଷେତ୍ର ଏବଂ ଶ୍ରୀମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଛି ଦୀର୍ଘମିଆଦି ରୋଡ଼ମ୍ୟାପ୍‍। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ଗଢିବା ପାଇଁ ମେଗା ପ୍ରକଳ୍ପ ହାତକୁ ନିଆଯାଇଛି। ଏକାଧିକ ପ୍ରକଳ୍ପର କାମ ଜାରି ରହିଥିବା ବେଳେ ସବୁଠି ଏବେ ବିକାଶର ଚିତ୍ର ଦେଖିବାକୁ ମିଳୁଛି। ରାସ୍ତାଘାଟ ହେଉ କି ପର୍ଯ୍ୟଟନ ଭିତ୍ତିଭୂମି ଅବା ବ୍ୟବସାୟିକ ପ୍ରତିଷ୍ଠାନ କାମ ଆଗେଇ ଚାଲିଛି।

ପୁଣି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ମେଘନାଦ ପାଚେରି କଡ଼ରୁ ୭୫ ମିଟର ଚୌହଦୀ ମଧ୍ୟରେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ବଡ଼ଦେଉଳର ସୁରକ୍ଷା ଏବଂ ଦର୍ଶନାର୍ଥୀଙ୍କ ସୁବିଧାକୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରକଳ୍ପ କାମ ଆଗେଇ ଚାଲିଥିବା ବେଳେ ଅନେକ ଅଯଥାରେ ଅଯୌକ୍ତିକ ବିବାଦ ଉପୁଜାଉଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଛନ୍ତି। ୨୭ ତାରିଖରେ ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀରେ ପଦଯାତ୍ରା କରିବା ପାଇଁ ମସୁଧା ଚଳାଇଥିବା ବେଳେ ସେମାନଙ୍କ ବିରୋଧରେ ଏବେ ରଣହୁଙ୍କାର ଦେଲେଣି ଏକାଧିକ ସଙ୍ଗଠନ, ବ୍ୟକ୍ତିବିଶେଷ ଏବଂ ସର୍ବୋପରି ପୁରୀବାସୀ। ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକାଧିକ ସାମାଜିକ ସଙ୍ଗଠନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ପ୍ରକଳ୍ପ ସମର୍ଥନରେ ଦାବିପତ୍ର ପ୍ରଦାନ କରିଛନ୍ତି।

ବଡ଼ଦେଉଳ ଚତୁଃପାର୍ଶ୍ବର ବିକାଶ ହେବ। ଏହାଦ୍ୱାରା ଶ୍ରୀମନ୍ଦିରର ସୁରକ୍ଷା ବଢ଼ିବ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ହେବ ଅତ୍ୟାବଶ୍ୟକ ସେବା ସୁବିଧା। ଏଥିସହ ଶ୍ରୀକ୍ଷେତ୍ରକୁ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ରାଜ୍ୟ ସରକାରଙ୍କ ଏଭଳି ମହତ୍‍ ଚିନ୍ତାଧାରା ପ୍ରାସଙ୍ଗିକତାକୁ ଅନୁଭବ କରି ଶହ ଶହ ବର୍ଷର ଭିଟାମାଟି ଛାଡି ଦେଇଛନ୍ତି ପୁରୀବାସୀ। ସେମାନଙ୍କ ତ୍ୟାଗକୁ ଉଚିତ ସମ୍ମାନ ଦିଆଯାଇ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ କାମ ଆଗେଇ ନେଉଛନ୍ତି। ବାହାରୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ବଡ଼ଦେଉଳର ବିକାଶକୁ ଦେଖି ପ୍ରଶଂସାରେ ପୋତି ପକାଉଛନ୍ତି। ହେଲେ ଏଭଳି ପ୍ରଶଂସା ବିରୋଧୀଙ୍କ ହଜମ ହୋଇପାରୁନି।

ତେଣୁ କିଛି କୁଚକ୍ରୀଙ୍କୁ ମେଳି କରି ଜଗନ୍ନାଥଙ୍କ କାମକୁ ବିରୋଧ କରିବା ଲାଗି ଷଡ଼ଯନ୍ତ୍ର ରଚିଛନ୍ତି। ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଏଭଳି ହୀନ ଚକ୍ରାନ୍ତକୁ ବିରୋଧ କରି ସୋମବାର ପୂଜ୍ୟପୂଜା ସଂସଦ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ଆଖଣ୍ଡଳମଣି ପପରିଚାଳନା କମିଟି, ଭଏସ୍‍ ଅଫ୍‍ କମନମ୍ୟାନ, ପୁରୀ ରୋଗୀ ସୁରକ୍ଷା ମଞ୍ଚ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ପରି ଏକାଧିକ ସାମାଜିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ପ୍ରକଳ୍ପ ସପକ୍ଷରେ ଦାବିପତ୍ର ପ୍ରଦାନ କରିଛନ୍ତି। ଶୀଘ୍ର ଏହି ପ୍ରକଳ୍ପ କାମ କିପରି ଶେଷ ହେବ ସେଥିଲାଗି ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଛନ୍ତି। ଏପରି କି ଆସନ୍ତା ୨୭ ତାରିଖରେ ପ୍ରକଳ୍ପ ବିରୋଧରେ ପଦଯାତ୍ରା କରିବା ଲାଗି ଯୋଜନା ଚଳାଇଥିବା କୁଚକ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯେଉଁମାନେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମନ୍ତେ ଶ୍ରୀମନ୍ଦିର ବିକାଶରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି ବାସ୍ତବରେ ସେମାନେ ହେଉଛନ୍ତି କଳିଯୁଗର କଳାପାହାଡ଼ ବୋଲି ଦର୍ଶାଇଛନ୍ତି। ତେଣୁ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁ୍‍ଷ୍ଠାନ ଗ୍ରହଣ କରିବା ଲାଗି ନିବେଦନ କରିଛନ୍ତି।

ପୂଜ୍ୟପୂଜା ସଂସଦ ରାଜ୍ୟ ସଭାପତି ତଥା ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ଭୂସମ୍ପତ୍ତି ସୁରକ୍ଷା ପରିଷଦର ବୀରେନ୍ଦ୍ର ଭୂଷଣ ହୋତା, ଆଖଣ୍ଡଳମଣି ପରିଚାଳନା କମିଟିର ସୁରେନ୍ଦ୍ର ନାଥ ଦାଶ, ଆଠସାହି ଆଖଡାର ରାମଚନ୍ଦ୍ର ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ଭଏସ ଅଫ୍‍ କମନମ୍ୟାନ୍‍ର ମୁଖ୍ୟ ହେକ୍ଟର ମିଶ୍ର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚର ଆବାହକ ସବ୍ୟାସାଚୀ ମହାପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ୍‍ କରି ଦାବିପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.