ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା କୋଷାଗାରକୁ ଗଲା ୫ କୁଇଣ୍ଟାଲ ରୂପା

ପୁରୀ : କଡା ସୁରକ୍ଷା ମଧ୍ୟରେ ଜିଲ୍ଲା କୋଷଗାରରେ ଷ୍ଟ୍ରଙ୍ଗ ରୁମରେ ରଖାଗଲା ୫ କୁଇଣ୍ଟାଲ ରୂପା। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାବି ପକାଯାଇଛି। ସମସ୍ତ ପ୍ରୋଟକଲକୁ ପାଳନ କରାଯାଇ ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ରୁମରେ ଏହି ରୂପା ସୁରକ୍ଷିତ ଭାବେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରିକୁ ଡିଜାଇନଯୁକ୍ତ ରୂପା ଚଦର ସ୍ଥାନାନ୍ତରଣ ପ୍ରକ୍ରିୟା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିଲା। ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଓ କଡା ସୁରକ୍ଷା ବଳୟ ମଧ୍ୟରେ ଏହି ରୂପାକୁ ସ୍ଥାନାନ୍ତର କରାଯାଇଥିଲା।
ଶ୍ରୀମନ୍ଦିର କଳାହାଟ ଦ୍ୱାରର ରୂପା ଛାଉଣୀ ପାଇଁ ଆସିଥିଲା ଏହି ରୂପା। ଶ୍ରୀମନ୍ଦିରର ୮ଟି ଦ୍ୱାର ରୂପା ଛାଉଣୀ କରାଯିବାକୁ ଥିବା ବେଳେ ସେଥିରୁ ଗତ ରଥଯାତ୍ରା ମଧ୍ୟରେ ୭ଟି ଦ୍ୱାରର କାର୍ଯ୍ୟ ସରିଥିବା ବେଳେ କଳାହାଟ ଦ୍ୱାର ରୂପା ଛାଉଣୀ ହୋଇ ନ ଥିଲା । ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପାକୁ ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲା। ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗ ରୂମରେ ଏହି ରୂପାକୁ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ। କଳାହାଟ ଦ୍ୱାରର ରୂପାଛାଉଣି କାମ ଆସନ୍ତା ରଥଯାତ୍ରା ସମୟରେ ହେବ। ତେଣୁ ଏତେ ପରିମାଣର ରୂପା ଶ୍ରୀମନ୍ଦିର ପ୍ରଶାସନ ନିଜ ନିୟନ୍ତ୍ରଣରେ ରଖିବାକୁ ସୁରକ୍ଷିତ ମଣି ନ ଥିଲା। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୂପାକୁ ସୁରକ୍ଷିତ ଭାବେ ରଖାଯାଇଛି।