ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଆରମୁହଁରେ ପହଞ୍ଚିବ ବିଶୁଦ୍ଧ ପାଣି, ୧୨୮୩ କୋଟିର ପ୍ରକଳ୍ପକୁ ଅନୁମତି

ଭୁବନେଶ୍ବର :ରାଜ୍ୟର ସମସ୍ତ ଗାଁ ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ଗତକାଲି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨୮୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପରେ ମୋହର ଲାଗିଛି। ଜଳ ଜୀବନ ମିଶନ ଯୋଜନାରେ ଗଞ୍ଜାମ ଜିଲ୍ଲାରେ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କରାଯିବ। ଏହାବ୍ୟତୀତ ରାୟଗଡ଼ାରେ ଦୁଇଟି ଏବଂ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ କରାଯିବାକୁ ନିଷ୍ପତ୍ତି ହୋଇଛି।

କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର, ଏବଂ ଖଲ୍ଲିକୋଟ ବ୍ଲକ ଅଧୀନରେ ୮୬ଟି ପଞ୍ଚାୟତ ଅନ୍ତର୍ଗତ ୩୦୪ଟି ଗାଁର ୬ଲକ୍ଷ ୬୪ ହଜାର ୩୧୩ ଜଣ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏ ମଧ୍ୟରୁ ରଙ୍ଗେଇଲୁଣ୍ଡାର ୩୩ଟି ପଞ୍ଚାୟତ ଅନ୍ତର୍ଗତ ୮୧ ଗାଁ ( ୧ଲକ୍ଷ ୫୪ ହଜାର ୬୨୧ ଲୋକ ବାସ କରୁଛନ୍ତି), ଗଞ୍ଜାମର ଦୁଇଟି ପଞ୍ଚାୟତ ଅନ୍ତର୍ଗତ ୬ଟି ଗାଁ (୧୫ ହଜାର ଲୋକ ବାସ କରୁଛନ୍ତି), ଛତ୍ରପୁର ବ୍ଲକ ଅଧୀନସ୍ଥ ୨୧ଟି ପଞ୍ଚାୟତର ୭୪ଟି ଗାଁ (୧ଲକ୍ଷ ୩୫ ହଜାର ୪୨୨ ଲୋକ ବାସ କରୁଛନ୍ତି) ଏବଂ ଖଲ୍ଲିକୋଟର ୩୦ଟି ପଞ୍ଚାୟତ ଅନ୍ତର୍ଗତ ୧୪୩ଟି ଗାଁ (୩ଲକ୍ଷ ୫୮ ହଜାର ୫୬୮ ଲୋକ ବାସ କରୁଛନ୍ତି) ଉପକୃତ ହେବେ। ମୁମ୍ବାଇର ମେସର୍ସ କେଇସି-ଏସପିଏମ୍ଏଲ୍ ଯୌଥ ଉଦ୍ୟୋଗ ୩୨୫ କୋଟି ୭୫ଲକ୍ଷ ୬୪ ହଜାର ୯୧୦ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରିବେ। ୨୪ମାସ ମଧ୍ୟରେ ଏହାର କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ କହିଛନ୍ତି, ରାୟଗଡାର କାଶୀପୁର ଓ ରାୟଗଡା ବ୍ଲକରେ ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ସରକାର ଯୋଗାଇ ଦେବା ଲାଗି ୨୯୮ କୋଟି ୬୯ଲକ୍ଷ ୬୯ ହଜାର ୭୯୬ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହାକୁ ବି ମୁମ୍ବାଇର ମେସର୍ସ କେଇସି-ଏସପିଏମ୍ଏଲ୍ ଯୌଥ ଉଦ୍ୟୋଗ ୨୪ମାସରେ ସାରିବ। ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ୨୮ଟି ପଞ୍ଚାୟତ ଅନ୍ତର୍ଗତ ୪୭୪ ଗାଁର ୧ଲକ୍ଷ ୫୭ ହଜାର ୧୪୭ ଜଣ ଉପକୃତ ହେବେ। ଏହି ପ୍ରକଳ୍ପ ହେଲେ କାଶୀପୁରର ୨୪ଟି ପଞ୍ଚାୟତ ଅନ୍ତର୍ଗତ ୪୨୫ଟି ଗାଁର ୧ଲକ୍ଷ ୪୪ହଜାର ୫୦୮ ଜଣ ଲୋକ ଏବଂ ରାୟଗଡା ବ୍ଲକର ୪ଟି ପଞ୍ଚାୟତର ୪୯ଟି ଗାଁର ୧୨ ହଜାର ୬୩୯ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ।

ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଚେନ୍ନାଇର ମେସର୍ସ ଏଲ୍ ଆଣ୍ଡ ଟି କଂପାନି ୬୫୭ କୋଟି ୫୭ଲକ୍ଷ ୪ହଜାର ଟଙ୍କା ବିନିୟମରେ ଯେଉଁ ପ୍ରକଳ୍ପ କରିବ, ସେଥିରେ ଉଭୟ ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୭୧ଟି ପଞ୍ଚାୟତ ଅଧୀନରେ ଥିବା ୯୭୫ଟି ଗାଁର ୨ଲକ୍ଷ ୭୯ ହଜାର ୧୦୫ ଜଣ ଲୋକ ଉପକାର ପାଇପାରିବେ। ଏହି ସଂସ୍ଥା ୨୪ମାସ ମଧ୍ୟରେ କାମ ସାରିବ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଧୀନସ୍ଥ ୨୨ଟି ପଞ୍ଚାୟତର ୩୩୮ଟି ଗାଁ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଧୀନସ୍ଥ ୧୨ଟି ପଞ୍ଚାୟତର ୧୧୦ଟି ଗାଁ, ଫୁଲବାଣୀ ବ୍ଲକ ଅନ୍ତର୍ଗତ ୧୧ଟି ପଞ୍ଚାୟତର ୧୮୨ଟି ଗାଁ, ଚକାପାଦ ବ୍ଲକର ୫ଟି ପଞ୍ଚାୟତ ଅନ୍ତର୍ଗତ ୬୫ ଗାଁର ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାଣି ପହଞ୍ଚିପାରିବ। କେବଳ ସେତିକି ନୁହେଁ, ଖଜୁରୀପଡା ବ୍ଲକର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୧୭୫ଟି ଗାଁ ,ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତର ୧୮ଟି ଗାଁ ଏବଂ କେ ନୂଆଗାଁ ବ୍ଲକର ୬ଟି ପଞ୍ଚାୟତ ଅନ୍ତର୍ଗତ ୮୭ଟି ଗାଁର ଲୋକ ଉପକୃତ ହେବେ।

Leave A Reply

Your email address will not be published.