ଚମକାଇଦେଲା ଏକଜିଟ୍ ପୋଲର ଆକଳନ : ଏଥର ପଞ୍ଜାବରେ ଆପ୍ ସରକାର, ପଛରେ ପଡିଲେ ବିଜେପି-କଂଗ୍ରେସ

ଅମୃତସର : ସରିଛି ୫ ରାଜ୍ୟର ନିର୍ବାଚନ । ୧୦ ତାରିଖରେ ହେବ ଭୋଟ୍ ଗଣତି । ୧୦ ତାରିଖରେ ଉତ୍ତର ପ୍ରଦେଶ ସହ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ଗଣତି ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ ପୋଲ (ବୁଥ ବାହୁଡ଼ା ମତାମତ) ରିପୋର୍ଟ । ଏକଜିଟ ପୋଲ ରିପୋର୍ଟ ଅନୁସାରେ ଏଥର ପଞ୍ଜାବରେ ବଦଳିଯିବ ସତ୍ତା । ସରକାରରେ ବସିପାରେ ନୂଆ ଦଳ । ପଞ୍ଜାବ ବାସୀ ଦେଖିବାକୁ ଚାହୁଁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୧୭ ବିଧାନସଭା ଆସନରେ ନିର୍ବାଚନ ସରିଛି । ଆଜି ପ୍ରକାଶ ପାଇଥିବା ଅନେକ ଏକଜିଟ ପୋଲ ରିପୋର୍ଟ ମୁତାବିକ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିପାରେ । ଇଣ୍ଡିଆ ଟୁଡେ ଆଜତକ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ପଞ୍ଜାବରେ ଆପ୍ ୧୧୭ ଆସନ ମଧ୍ୟରୁ ୭୬ ରୁ ୯୦ ଟି ଆସନ ହାସଲ କରିପାରେ ।

ସେହିପରି ପୂର୍ବରୁ ସତ୍ତାରେ ଥିବା କଂଗ୍ରେସ ଦଳ ୧୯ରୁ ୩୧ଟି ଆସନ ହାସଲ କରିପାରେ । ଅନ୍ୟପକ୍ଷରେ ବିଜେପି ୧ରୁ ୪ଟି ଆସନରେ ବିଜୟ ଲାଭ କରିବା ନେଇ ଏକଜିଟ ପୋଲ ପ୍ରକାଶ ପାଇଛି । ସେହିପରି NDTV ମଧ୍ୟ ସମାନ ଆକଳନ କରିଛି । ବୁଥ ବାହୁଡ଼ା ମତ ଅନୁସାରେ ଆମ ଆଦମୀ ପାର୍ଟି ପଞ୍ଜାବରେ ୬୮ରୁ ଆସନରେ ବିଜୟ ହାସଲ କରିପାରେ । ତେବେ ପଞ୍ଜାବରେ କଂଗ୍ରେସ ଦୀର୍ଘଦିନ ଧରି ସରକାରରେ ରହିଥିବେଳେ ଏଥର ପଞ୍ଜାବବାସୀ ନୂଆ ମୁହଁ ଦେଖିବାକୁ ଚାହୁଁଥିବା ଜଣାପଡିଛି ।

ଯଦି ଏକଜିଟ୍ ପୋଲ ସତ ପ୍ରକାଶ ହୁଏ, ତେହେ ଦିଲ୍ଲୀ ପରେ କୌଣସି ଏକ ଦ୍ୱିତୀୟ ରାଜ୍ୟରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ଭିନ୍ନ ତରିକାରେ ଲଢିଥିଲେ ନିର୍ବାଚନ । ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲା ଆପ୍ । ଭଗୱନ୍ତ ମାନଙ୍କୁ ଦଳ ଚେହେରା କରି ନିର୍ବାଚନରେ ଓହ୍ଲାଇଥିଲା । ସମଗ୍ର ରାଜ୍ୟରେ ଭଗୱନ୍ତଙ୍କ ପୋଷ୍ଟରରେ ନିର୍ବାଚନ ଲଢିଥିଲା ଦଳ । ତେବେ ଆପ ଯଦି ପଞ୍ଜାବରେ ବହୁମତ ହାସଲ କରେ, ତେବେ ମୁଖ୍ୟମନ୍ତ୍ରୀ ହେବେ ଭଗୱନ୍ତ ମାନ୍ ।

Leave a comment