ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୃଦ୍ଧ ଓଡ଼ିଶା; ମଡେଲ ‘ନବୀନ’

ରୂପାନ୍ତରଣର ‘ମୋ ସରକାର’; ଉପକ୍ରମ ‘୫-ଟି’

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ନିଜ ରେକର୍ଡ଼ ଭାଙ୍ଗି ନୂଆ ରେକର୍ଡ଼ ସୃଷ୍ଟି କରି ଚାଲିଛନ୍ତି। କ୍ରମାଗତ ଭାବରେ ୫ମ ପାଳିର ୩ୟ ବର୍ଷ ପୂରଣ କରି ଚତୁର୍ଥ ବର୍ଷରେ ପାଦ ଦେଇଛନ୍ତି। ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ସଦସ୍ୟ ଭାବରେ ଗ୍ରହଣ କରି ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସମୃଦ୍ଧିକୁ ନିଜର ଦାୟିତ୍ୱ ଭାବରେ ଗ୍ରହଣ କରି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ଅଭୂତପୂର୍ବ। ସାରା ଦେଶରେ ଅନୁରୂପ ଉଦାହରଣ ବିରଳ। ସରକାରକୁ ସାଧାରଣ ଲୋକଙ୍କ ପାଇଁ ‘ମୋ ସରକାର’ରେ ପରିଣତ କରିବାର ସାହସ ଅନ୍ୟତ୍ର ଦେଖାଯାଇ ନାହିଁ। ସାଧାରଣ ମହିଳାମାନଙ୍କୁ ଘରକୋଣରୁ ବାହାର କରି ଶାସନ କେନ୍ଦ୍ରରେ ଅବସ୍ଥାପିତ କରିବା ପରି ଦୃଢ଼ ସଙ୍କଳ୍ପ, ମହାମାରୀ ଓ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ନିମନ୍ତେ ଦମ୍ଭ କ୍ୱଚିତ୍‍ ଦେଖିବାକୁ ମିଳେ।

ସାଧାରଣ ଚାଷୀ, ରାସ୍ତା କଡ଼ର ଠେଲା ଦୋକାନୀଠାରୁ ଆରମ୍ଭ କରି ରାସ୍ତାର ବୁଲା ପଶୁପକ୍ଷୀଙ୍କ ପେଟକଥା ଚିନ୍ତା କରୁଥିବା ଅସାଧାରଣ ମଣିଷଟି ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ପଦ,ଯୋଗାଯୋଗ ସବୁ ଦୃଷ୍ଟିରୁ ଓଡ଼ିଶାକୁ ସାରା ଦେଶରେ ସବୁଠୁ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ପଛରେ ରହିଛି ‘ମୋ ସରକାର’ ଓ ‘୫-ଟି’ ଉପକ୍ରମ। ରାଜ୍ୟ ପ୍ରଶାସନକୁ ପାରଦର୍ଶୀ, ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ବିଶେଷକରି ପ୍ରତିଟି ଯୋଜନା, କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳ ରୂପାୟନ ଏବଂ ପ୍ରତିଟି ବ୍ୟକ୍ତିବିଶେଷ ଯେପରି ବିନା ବାଧାରେ ପ୍ରତ୍ୟେକ ଯୋଜନାର ଲାଭ ନେଇପାରିବ ତାହାହିଁ ନବୀନ ମଡେଲର ମୂଳମନ୍ତ୍ର ରହି ଆସିଛି। ଏହି ମଡେଲକୁ ସଫଳ ଭାବେ କାର୍ଯ୍ୟକାରୀ କରାଇବା ଏବଂ ଦେଶବ୍ୟାପୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାରେ ବର୍ତ୍ତମାନ ‘୫-ଟି’ ଉପକ୍ରମ ସମସ୍ତ ଭୂମିକା ଗ୍ରହଣ କରିଛି।

ସ୍ୱଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ, ସମୟ ଓ ରୂପାନ୍ତରଣ ମନ୍ତ୍ରକୁ ପାଥେୟ କରି ରାଜ୍ୟ ସରକାର ରାଜ୍ୟବ୍ୟାପୀ ଯେଉଁ ବିକାଶର ଧାରା ସୃଷ୍ଟି କରିଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା, ସୁଖୀ, ଓଡ଼ିଶା ଏବଂ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛି। ରାଜ୍ୟ ସରକାର ବର୍ତ୍ତମାନ ନିଜର ପ୍ରତିଟି କାର୍ଯ୍ୟକ୍ରମରେ ‘୫-ଟି’ର ମନ୍ତ୍ରକୁ ଉପଯୋଗ କରୁଥିବା ବେଳେ ତୃଣମୂଳସ୍ତରରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି। ବର୍ତ୍ତମାନ ରାଜ୍ୟବ୍ୟାପୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ପୂରାଜୋର୍‍ରେ ଆଗେଇ ଚାଲିଥିବା ବେଳେ ‘୫-ଟି’ ଉପକ୍ରମର ସଫଳ ପ୍ରୟୋଗ ଏଠାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଟେକ୍ନୋଲୋଜି ଜରିଆରେ ସ୍ମାର୍ଟ କ୍ଲାସ୍‌ରୁମ୍‍, ଇ-ଲାଇବ୍ରେରୀ, କମ୍ପ୍ୟୁଟର୍‍ ଓ ଆଧୁନିକ ଲାବୋରୋଟେରୀ ହେଉ ଅଥବା ନିର୍ଦ୍ଧାରିତ ସମୟରେ ‘ମୋ-ସ୍କୁଲ’ ରୂପାନ୍ତରଣ କାର୍ଯ୍ୟକ୍ରମ ସାରିବାର ଲକ୍ଷ୍ୟ କିମ୍ବା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇ ସମ୍ପୂର୍ଣ୍ଣ ରୂପାନ୍ତରଣ କାର୍ଯ୍ୟକ୍ରମର ଅନୁପାଳନ; ଯାହା ବଦଳୁଥିବା ସ୍କୁଲ ଚିତ୍ରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇପାରିଛି।

ସେହିପରି ‘୫-ଟି’ ଜରିଆରେ ତାରାତାରିଣୀ ପୀଠକୁ ନୂଆ ରୂପ ମିଳିଥିବା ବେଳେ ପୁରୀ ଶ୍ରୀକ୍ଷେତ୍ର, ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, କଣ୍ଟିଲୋ ନିଳମାଧବ, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ସହ ରାଜ୍ୟର ଅନେକ ମନ୍ଦିରର ନବକଳେବର କାର୍ଯ୍ୟ ବର୍ତ୍ତମାନ ଚାଲୁରହିଛି। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବୈଷୟିକ ଜ୍ଞାନକୌଶଳ ବ୍ୟବହାରର ଆଉ ଏକ ବଡ଼ ଉଦାହରଣ ହୋଇଥିବା ବେଳେ ଏହି ଯୋଜନାରେ ରୋଗୀ ହସ୍ପିଟାଲରେ ପହଞ୍ଚିବା କ୍ଷଣି ଚିକିତ୍ସା ତୁରନ୍ତ ଆରମ୍ଭ ହୋଇଯାଉଛି। ବିନା ଅର୍ଥରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଗରିବ ଲୋକଟିଏ ପାଇବାକୁ ଏବେ ସକ୍ଷମ ହେଉଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ପାଇଁ ଏଠି ସେଠି ଦୌଡ଼ିବାକୁ ପଡୁନାହିଁ। କେବଳ ‘୫-ଟି’ ନୁହେଁ; ‘ମୋ ସରକାର’ ମଧ୍ୟ ରାଜ୍ୟ ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି।

ରାଜ୍ୟ ପ୍ରଶାସନର ୩୧ଟି ବିଭାଗ ‘ମୋ ସରକାର’ ଅଧୀନରେ ସାମିଲ ହୋଇ ଏକ ଜନକୈନ୍ଦ୍ରିକ ବ୍ୟବସ୍ଥାଭିତ୍ତିକ ସେବା ପ୍ରଦାନ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଏହି ‘୫-ଟି’ ଉପକ୍ରମ ପଛରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଭି.କେ.ପାଣ୍ଡିଆନଙ୍କ ନିରନ୍ତର ଉଦ୍ୟମ। ପ୍ରଥମେ ରାଜ୍ୟରେ ‘୩-ଟି’ ଉପକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ‘୫-ଟି’କୁ ରୂପାନ୍ତରିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ସଚିବ ଏହାକୁ ପରିଚାଳନା କରିବା ସହ ‘ନୋ କରପ୍‍ସନ, ନୋ-ହାରାସମେଣ୍ଟ‘କୁ ପ୍ରଶାସନର ନୀତିରେ ପରିଣତ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଡାକ୍ତରଖାନା, ପୁଲିସ ଷ୍ଟେସନରୁ ଲୋକଙ୍କ ପାଖରୁ ଫିଡବ୍ୟାକ ଗ୍ରହଣ କରାଯାଇ ସେହି ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ, ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅପାରଗ, ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଫିଡବ୍ୟାକ ସିଷ୍ଟମ୍‍ରେ ୨୦୧୯ ମସିହା ଅକ୍ଟୋବର ୨ ତାରିଖରୁ ମେ’ ପ୍ରଥମ ସପ୍ତାହ ଭିତରେ ପ୍ରାୟ ୬୫ ଲକ୍ଷ ଫୋନ୍‍ କଲ୍‍ ସବୁ ବିଭାଗକୁ କରାଯାଇ ମତାମତ ନିଆଯାଇଥିବା ଜଣାପଡ଼ିଛି। ଦୁର୍ନୀତିରେ ସମ୍ପୃକ୍ତ ଥିବା କାରଣରୁ ଏଯାଏଁ ପାଖାପାଖି ପ୍ରାୟ ୧୭୦ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାଣି। ଦୁର୍ନୀତି ବିରୋଧୀଶୂନ୍ୟ ସହନଶୀଳତା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଯେତେ ବଡ଼ ଅଧିକାରୀ କିମ୍ବା ରାଜନେତା ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଯାହାଫଳରେ ଆଇଏଏସ ବିନୋଦ କୁମାର, ଆଇଏଫଏସ ଅଭୟ ପାଠକଙ୍କ ଭଳି ସର୍ବଭାରତୀୟସ୍ତରର ଅଧିକାରୀ ଚାକିରିରୁ ବରଖାସ୍ତ ହୋଇଥିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି। ଏହି ‘ମୋ ସରକାର’, ‘୫-ଟି’ ଛାଟ ରାଜ୍ୟ ପ୍ରଶାସନର ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ବାଜୁଥିବା ବେଳେ ସାରା ଦେଶରେ ଏହା ଏକ ଉଦାହରଣ ପାଲଟିଛି। ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାରୀ ପ୍ରଶାସନ ଜରିଆରେ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଥିବାବେଳେ ଏହା ଆଗାମୀ ଦିନରେ ଦୁର୍ନୀତିମୁକ୍ତ ସମାଜ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.