ଅନଲାଇନରେ ପ୍ରଥମ ଥର କିନ୍ନରଙ୍କୁ ପ୍ରମାଣ ଓ ପରିଚୟପତ୍ର ପ୍ରଦାନ, ରାଜ୍ୟ ସରକାରଙ୍କ “ସ୍ୱୀକୃତି” ଯୋଜନାରେ ମିଳିବ ସହାୟତା

କେନ୍ଦ୍ରାପଡ଼ା : କିନ୍ନରଙ୍କୁ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଅନଲାଇନ ଜରିଆରେ ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ କରିଛି l ପୂର୍ବରୁ ୪ ଜଣଙ୍କୁ ଅଫଲାଇନ ଜରିଆରେ ଏହି ପରିଚୟ ପତ୍ର ଦିଆଯାଇଥିଲା l ଫଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ “ସ୍ୱୀକୃତି” ଯୋଜନାରେ ଦରଖାସ୍ତ କରିବାକୁ ସେ ଯୋଗ୍ୟ ବିବେଚିତ ହେଲେ ଏହି ପ୍ରମାଣପତ୍ର ଦ୍ୱାରା କିନ୍ନର ବର୍ଗକୁ ମିଳୁଥିବା ସମସ୍ତ ସାମାଜିକ ସୁରକ୍ଷା ଓ ଆର୍ଥିକ ପ୍ରୋତ୍ସାହନ, ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ମଧ୍ୟ ସୁବିଧା ପାଇବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି l
କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୟନ ହୋଇଥିବା କିନ୍ନରଙ୍କ ସୁରକ୍ଷା ଅଧିକାର ଅଧିନିୟମ ୨୦୨୦ ଅନୁଯାଇ ଜଣେ କିନ୍ନର ଫର୍ମ ନମ୍ବର-୧ ରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ କିନ୍ନର ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ ନିମନ୍ତେ ଦରଖାସ୍ତ ପ୍ରଦାନ କରିପାରିବେ । ଏହା ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଦ୍ୱାରା ତଦନ୍ତ ପରେ ଉପଯୁକ୍ତ ବିବେଚିତ ହେଉଥିଲେ ଜିଲ୍ଲାପାଳଙ୍କ ଅନୁମୋଦନ ଓ ସ୍ୱାକ୍ଷର ପାଇଁ ପ୍ରେରଣ କରାଯାଏ । ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଏହାକୁ ସେହି ପୋର୍ଟାଲରେ ଅପଲୋଡ କରାଗଲା ପରେ ସମ୍ପୃକ୍ତ ଦରଖାସ୍ତକାରୀ ଯେ କୈାଣସି ଜନସେବା କେନ୍ଦ୍ରରୁ ଏହା ସଂଗ୍ରହ କରିପାରିବେ । ଏହି କ୍ରମରେ ଜିଲ୍ଲାର ୩ ଜଣ କିନ୍ନର ଅନଲାଇନରେ ଦରଖାସ୍ତ କରିଥିଲେ । କେନ୍ଦ୍ରାପଡା ଗୋପଛକର ଏଲିନା ଦାସ, ପିତା ନିରଞ୍ଜନ ଦାସ ସମସ୍ତ ଆବଶ୍ୟକୀୟ କାଗଜାଦ ଯଥା କିନ୍ନର ପ୍ରମାଣିତ ଆଧାରକାର୍ଡ, ଆଫିଡେବିଟ, ବାସସ୍ଥାନ ପ୍ରମାଣପତ୍ର ପ୍ରଭୃତି ଦାଖଲ କରିଥିବାରୁ ତାଙ୍କର ଦରଖାସ୍ତକୁ ମଞ୍ଜୁର କରାଯାଇ ଏହି ଅଧିନିୟମର ଧାରା-୬ ଅନୁଯାଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏଲିନାଙ୍କୁ ତାଙ୍କର କିନ୍ନର ପ୍ରମାଣ ଓ ପରିଚୟପତ୍ର ପ୍ରଦାନ କରିଥିଲେ ।