ସମାଜସେବା କ୍ଷେତ୍ରରେ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ଅବଦାନ ଅତୁଳନୀୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ପରଲୋକ। ସମସ୍ତଙ୍କ ପ୍ରିୟ ‘ବୋଉ’ଙ୍କର ୮୮ ବର୍ଷ ବୟସରେ ରବିବାର ବିଳମ୍ବିତ ରାତ୍ରିରେ ତାଙ୍କର ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ଶ୍ରୀମତୀ ଶାନ୍ତି ଦେବୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଜଣେ ଶ୍ରେଷ୍ଠ ସମାଜସେବୀ ତଥା ପରୋପକାରୀ ମହିଳା ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ। ତାଙ୍କ ସେବାକାର୍ଯ୍ୟ ପାଇଁ ଗତ ନଭେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ଶାନ୍ତି ଦେବୀ।
ନିଜର ନିଷ୍ଠାପର ସାଧନା, ଜନସେବା , ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳରେ ଦୀର୍ଘବର୍ଷ ଧରି କାମ କରିଥିଲେ । ୧୭ ବର୍ଷ ବୟସରୁ ଶାନ୍ତିଦେବୀ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ରାୟଗଡାର ବିଭିନ୍ନ ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କୁ ଆଲୋକର ବାର୍ତା ଦେଖାଇଥିଲେ । ଶାନ୍ତି ଦେବୀ ୧୯୩୪ ଏପ୍ରିଲ୍ ୧୮ରେ ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଓ ୧୯୫୧ ମସିହାରେ ଡ. ରତନ ଦାସଙ୍କୁ ବିବାହ କରିଥିଲେ। ସ୍ବାମୀ ଉଚ୍ଚଶିକ୍ଷିତ ରତନ ଦାସ ବଡ ସରକାରୀ ଚାକିରି ବା ଜମିଦାରୀ କାର୍ଯ୍ୟରେ ମନୋନିବେଶ କରିବା ବଦଳରେ ଗାନ୍ଧୀ ସର୍ବୋଦୟ ଆନ୍ଦୋଳନରେ ମନୋନିବେଶ କଲେ । ସେତେବେଳେ ବିନୋବା ଭାବେ ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହୋଇଥାଏ। ବିବାହର ମାତ୍ର କେଇଟା ଦିନ ପରେ ଉଭୟ ପତିପତ୍ନୀ ରାଜସୁଖ ପରିତ୍ୟାଗ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ବନବାସୀଙ୍କୁ ଜାଗ୍ରତ କରିବା ପାଇଁ ଜୀବନକୁ ସମର୍ପି ଦେଇଥିଲେ।
ବିବାହ ପରେ ସେ ସ୍ବାମୀଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲି ଯାଇଥିଲେ ଶାନ୍ତି ଦେବୀ। ୨ ବର୍ଷ ପରେ ୧୯୫୩ ମସିହାରେ ସେ ରାୟଗଡ଼ା ଜିଲ୍ଲା ଶଂଖଲାପଦର ଗାଁକୁ ଚାଲି ଯାଇଥିଲେ। ଉକ୍ତ ଛୋଟ ଗାଁଟିରେ ରହୁଥିବା କିଛି ଲୋକ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ। ଏହା ଭିତରେ ସେ ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପ୍ରଭାବିତ ହୋଇଥିଲେ ଓ ୧୯୫୬ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିନୋବାଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେହି ସମୟରେ ସେ ସେଠାରେ ୮ ଜଣ ଆଦିବାସୀ ଝିଅଙ୍କୁ ନେଇ ଏକ ସେବା ସମାଜ ଗଠନ କରିଥିଲେ। ୩ ବର୍ଷ ପରେ ଗୁଣୁପୁରରେ ଆଦିବାସୀ ବାଳିକା ହଷ୍ଟେଲ ପ୍ରତିଷ୍ଠା କରିଥିଲେ। ପରେ ସେ ଅନାଥାଶ୍ରମ, ତାଲିମ ଶିବିର ଭଳି ଅନେକ ସଂସ୍ଥା ସ୍ଥାପନ କରିଥିଲେ। ଏଭଳି ସମାଜସେବା ପାଇଁ ତାଙ୍କୁ ୧୯୯୪ ମସିହାରେ ଜମନ୍ଲାଲ୍ ବଜାଜ୍ ପୁରସ୍କାର ମିଳିଥିଲା।ଶାନ୍ତି ଦେବୀ ରାଜ୍ୟରେ ଜଣେ ଶ୍ରେଷ୍ଠ ସମାଜସେବୀ ଭାବେ ପରିଚିତ ଥିଲେ । ପରୋପକାରୀ ମହିଳା ଭାବେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ସମାଜସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ଗତବର୍ଷ ନଭେମ୍ବରରେ ସେ ସମ୍ମାନ ଗ୍ରହଣ କରିଥିଲେ ।
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସମାଜସେବୀ ଶାନ୍ତି ଦେବୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଅସହାୟ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ଜୀବନବ୍ୟାପୀ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ। ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) January 17, 2022
ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସମାଜସେବୀ ଶାନ୍ତି ଦେବୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଅସହାୟ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ଜୀବନବ୍ୟାପୀ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ। ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’