ପେସା ବ୍ଯବସାୟ, ନିଶା ଶବଦାହ; ବାପାଙ୍କ ସହ କାନ୍ଧ ମିଳାଇଛନ୍ତି ସିଭିଲ୍ ଇଞ୍ଜିନିୟର ପୁଅ

ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ସମାଜରେ ଅନ୍ୟ କାହା ପାଇଁ କିଛି କରିବାକୁ କାହାର ସମୟ ନାହିଁ। ‘ଆପେ ବଞ୍ଚିଲେ ବାପର ନାଁ’ ନ୍ୟାୟରେ ବ୍ୟକ୍ତିଗତ ସ୍ଵାର୍ଥ ସାଧନରେ ସମସ୍ତେ ବ୍ୟସ୍ତ। ତେବେ ଏହାରି ଭିତରେ ବି ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ଯେତେ ସୁଖଶାନ୍ତି, ଧନସମ୍ପତ୍ତି ଉପଭୋଗ କରୁଥିଲେ ବି ଅନ୍ୟର ଦୁଃଖ ବା ଅସହାୟତା ଦେଖିଲେ, ନିଜେ ଦୁଃଖରେ ଭାରାକ୍ରାନ୍ତ ହୋଇଯାଆନ୍ତି। ଅୟସ ଛାଡ଼ି ତତ୍‌କ୍ଷଣାତ୍ ଦୌଡ଼ି ଆସନ୍ତି ଅସହାୟମାନଙ୍କୁ ଉଦ୍ଧାରିବା ପାଇଁ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଖଣ୍ଡଗିରିର ବିଜୟ କୁମାର ଜେନା । ୫୧ବର୍ଷୀୟ ବିଜୟ ପେସାରେ ଜଣେ ବ୍ୟବସାୟୀ। ମାତ୍ର ଶବଦାହ ହେଉଛି ତାଙ୍କର ନିଶା। ମଶାଣି ଭଳି ସ୍ଥାନକୁ ଯିବାପାଇଁ ଯେତେବେଳେ ସମସ୍ତଙ୍କର ସାହସ ପାଏନି; ଶବସତ୍କାର କରିବାରେ ସେ ଆତ୍ମତୃପ୍ତି ଓ ଆନନ୍ଦ ପାଆନ୍ତି। କୌଣସି ସ୍ଥାନରେ ଶବଟିଏ ପଡ଼ିଥିଲେ ସେ ସେଠାରେ ପହଁଞ୍ଚି ନିଜେ କୋକେଇ ତିଆରି କରି କାନ୍ଧରେ ବୋହି ମଶାଣିକୁ ନେଇଯାଆନ୍ତି ।

ଏମିତିକି କାଠ ଯୋଗାଡ଼ କରି କାହା ଉପରେ ନିର୍ଭର ନ କରି ନିଜ ପକେଟରୁ ସମସ୍ତ ଖର୍ଚ୍ଚ ବହନ କରି ଶବର ସତ୍କାର କରନ୍ତି। ଏପରିକି ସେ ମୁଖାଗ୍ନି ଦେବାକୁ ମଧ୍ୟ ଭୁଲନ୍ତି ନାହିଁ । ଗତ ୨୬ବର୍ଷରୁ ଊର୍ଦ୍ଧ୍ବ ହେଲା ସେ ଏହି ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। କୌଣସି ସ୍ଥାନରେ ଯଦି ଶବଟିକୁ ନିଜ ଲୋକ ନ ମିଳିଲେ ବିଜୟ ଓ ତାଙ୍କ ସିଭିଲ୍ ଇଞ୍ଜିନିୟର ପୁଅ ଅସହାୟଙ୍କୁ କାନ୍ଧ ଦେବା ପାଇଁ ଆଗେଇଆସନ୍ତି। ବର୍ତ୍ତମାନ ସୁଦ୍ଧା ସେ ୭୮୫ଟି ଶବ ସତ୍କାର କରିଥିବା ବେଳେ ସେଥି ଧ୍ୟରୁ ୩୦୦ଟି ଅଚିହ୍ନା । ଏହି ଅଚିହ୍ନା ଶବ ସତ୍କାର କରି ସେ ଅନେକ ପ୍ରଶଂସା ପାଇଥିଲେ ମଧ୍ୟ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ହେଲେ ଏଥିରେ ଏମିତିକି ୪୫ରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ବି ସେ କରିଥିବା କହିଛନ୍ତି। ଜାଗମରାସ୍ଥିତ ‘କୋଇଲି ବୈକୁଣ୍ଠ’ ମଶାଣିରେ ଅଧିକାଂଶ ସମୟ କଟେ।

ଶବ ସତ୍କାର କରୁଥିବାରୁ ସେହି ମୃତଲୋକମାନଙ୍କୁ ନିଜର ଭାବି ପ୍ରତ୍ୟହ ଖାଇବା ବେଳେ ନିଜ ଖାଦ୍ୟରୁ ପ୍ରଥମେ  ସେମାନଙ୍କ ପାଇଁ କିଛି ରଖିଥାନ୍ତି । ଏମିତିକି ମଶାଣୀରେ ରୋଷେଇ କରି ଦିନକୁ ୨ଥର ସେ ଖାଇବା ପାଇଁ ଦିଅନ୍ତି । କୌଣସି ପ୍ରକାର ସ୍ବପ୍ନ କିମ୍ବା କୌଣସି ଆତ୍ମା ତାଙ୍କୁ ଡରାଇ ନଥିବା ବିଜୟ କୁହନ୍ତି। ନିଜେ ଶବଦାହ ପାଇଁ ଅନୁପସ୍ଥିତ ଥିଲେ, ପୁଅ ପବିତ୍ର କୁମାର ଜେନା ବି ବାପାଙ୍କ ଦାୟିତ୍ୱ ତୁଲାଇବା ପାଇଁ ପଛାନ୍ତି ନାହିଁ । ସେ ବି ୨ବର୍ଷ ହେବ ବାପାଙ୍କ ସହ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏପରି ନିଶା ସମ୍ପର୍କରେ ବିଜୟ କୁହନ୍ତି, ଛୋଟ ଥିବାବେଳେ ଗାଁରେ କେହି ମରିଗଲେ ଘର ଲୋକଙ୍କ ସହ ତାଙ୍କ ପଛେପଛେ ମଶାଣିକୁ ମୁଁ ଚାଲିଯାଏ। ମାତ୍ର ମୁଁ ଛୋଟ ହୋଇଥିବାରୁ ଗାଁ ଲୋକେ ମୋତେ ଡର ଲାଗିବ କହି ମଶାଣି ଯିବା ବାଟରୁ ଫେରାଇ ଦିଅନ୍ତି। ମାତ୍ର ମୁଁ ଲୁଚିଲୁଚି ମଶାଣି ଯାଏ ଏବଂ ଶବ ଶତ୍କାର ଦେଖେ। ସେହିଦିନଠାରୁ ଶବ ସତ୍କାର ପ୍ରତି ମୋର ଆଗ୍ରହ ବଢ଼ିଛି ।

ବାପାଙ୍କ ବିୟୋଗ ପରେ ପରିବାର ଚଳିବା ବଡ କଷ୍ଟକର ହୋଇଥିଲା। ୪ଜଣ ପିଲାଙ୍କୁ ନେଇ ମା’ ବେଣୀ ଜେନା ବହୁ କଷ୍ଟରେ ପରିବାର ଚଳାଇଥିଲେ । ଏହା ଆମ ପରିବାର ପାଇଁ ଏକ ଦୁଃଖଦ ସମୟ ଥିଲା । ପରେ ତାଙ୍କ ବଡ ଭାଇଙ୍କ ଉପରେ ପରିବାର ବୋଝ ପଡ଼ିଲା। ଏଭଳି ଅସୁବିଧା ସମୟରେ ତୃତୀୟ ଶ୍ରେଣୀରୁ ବିଜୟଙ୍କ ପାଠରେ ଡୋରି ବନ୍ଧା ହୋଇଥିଲା। ତାପରେ ସେ ଭାଇଙ୍କୁ ଘରକାମରେ ସାହାଯ୍ୟ କରିବା ପାଇଁ ମନ ବଳାଇଥିଲେ। ପରେ ଭାଇ ତାଙ୍କୁ କିଛି ଟଙ୍କା ଦେଇଥିଲେ ଆଉ ସେହି ଟଙ୍କାରେ ସେ ଅଟେ ଚଲାଇବା ପରିବାର ପ୍ରତିପୋଣ କରୁଥିଲେ। ବର୍ତ୍ତମାନ ଭଗବାନଙ୍କ ଆଶୀର୍ବାଦରୁ ସେ କେତୋଟି ଗାଡିର ମାଲିକ ହୋଇଛନ୍ତି ବୋଲି ବିଜୟ କୁହନ୍ତି। ଜଣେ ସଫଳ ବ୍ୟବସାୟୀ ହୋଇପାରିଥିଲେ ମଧ୍ୟ ତାଙ୍କର ଶବ ସତ୍କାର ଭଳି ସମାଜ ସେବାକୁ ସେ ଛାଡି ପାରି ନାହାନ୍ତି। କୌଣସି ମୁହୂର୍ତ୍ତରେ ଯେ କୌଣସି ବ୍ୟକ୍ତି ଡାକିଲେ ଶବ ସହ ମଶାଣି ଯିବାକୁ ପ୍ରସ୍ତୁତ ବୋଲି ବିଜୟ କହନ୍ତି । ଭୋର୍ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସେ ମଶାଣିରେ ରୁହନ୍ତି ।

ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିବାବେଳେ ଦିଲ୍ଲୀରୁ ମଧ୍ୟ ୫ ଥର ପୁରସ୍କୃତ କରାଯାଇଛି। ଏପରିକି ଲୋକସଭା ବାଚସ୍ପତି ମୀରା କୁମାରଙ୍କଠାରୁ ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଏହାସହ ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ବିଏମ୍‌ସି ପକ୍ଷରୁ ‘ନଗର ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କିନ୍ତୁ ପୁରସ୍କାର ଲୋଭରେ ନୁହେଁ ବରଂ ଲୋକଙ୍କ ସେବାରେ ଆଦର ଥିବାରୁ ଏଭଳି କାର୍ଯ୍ୟରେ ରହିଛି ବୋଲି ବିଜୟ କହିଛନ୍ତି।

Leave a comment