ନିଆରା ମଣିଷ ଡ଼ା. ଅସିତ କୁମାର ପ୍ରଧାନ: ପେଶାରେ ଡାକ୍ତର ହେଲେ ନିଶା ତାଙ୍କର ଅଭିନୟ

ବାଲେଶ୍ୱର: ପେଶାରେ ଡାକ୍ତର, କିନ୍ତୁ ନିଶା ତାଙ୍କର ଅଭିନୟ। ରୋଗୀ ସେବା କରିବା ସହିତ ରୋଗୀ ସୁସ୍ଥ ଭାବେ ବଞ୍ଚିବା ପାଇଁ ନିଜେ ମୁହଁରେ ଲେପ ଲଗାଇ ଅଭିନୟ କରନ୍ତି। ବାଲେଶ୍ଵର ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ବିଭିନ୍ନ ମଞ୍ଚସ୍ତ ନାଟକରେ ଅଭିନୟରେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି ସେ ନିଆରା ମଣିଷ । ବାଲେଶ୍ଵର ମାଟିରେ ଜନ୍ମ ନେଇଥିବା ଜଣେ ସରଳ ମଣିଷ ଡ଼ଃ ଅସିତ କୁମାର ପ୍ରଧାନ ( ୫୨) । ଘର ଶୋଭାରାମପୁର, ବାପା ସ୍ୱର୍ଗତ ଦୈତାରୀ ପ୍ରଧାନ ଓ ‘ମାଆ ଅନୁପମା ପ୍ରଧାନ । ତାଙ୍କର ସ୍କୁଲ ଜୀବନ କେନ୍ଦ୍ରୀୟ ବିଦ୍ୟାଳୟ ବାଲେଶ୍ଵରରେ କଟିଥିଲା । ମୟୂରଭଞ୍ଜ ଏମପିସି କଲେଜରେ ବିଏସସି ପରେ ରାଉରକେଲା ୟୁଏଜଏମସିରୁ ହୋମିଓପାତି ଡାକ୍ତରୀ ଡିଗ୍ରୀ କରିଥିଲେ । ଆନ୍ଧ୍ରପ୍ରଦେଶର ବିଶାଖପାଟଣମ ଠାରେ କିଛି ଦିନ ଚାକିରି କଲା ପରେ ଏବେ ବାଲେଶ୍ଵର ଜିଲ୍ଲାର ରୂପସା ହସପିଟାଲରେ ଆୟୁଷ ଡ଼ାକ୍ତର ରୂପେ କାର୍ଯ୍ଯରତ । ରୋଗୀଙ୍କ ସେବା କରିବା ତାଙ୍କର ପ୍ରଥମ କର୍ତାବ୍ୟ ବୋଲି ସେ କହନ୍ତି। କୋରନା ଲହରୀ ବେଳେ ଆତଙ୍କ ବଢିବଢି ଚାଲିଥିଲା ସେତେବେଳେ ଲୋକଙ୍କୁ ସଚେତନ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଶ୍ରୀ ପ୍ରଧାନ ।

ପେଶାରେ ସେ ଜଣେ ଡାକ୍ତର କିନ୍ତୁ ନିଶାରେ ତାଙ୍କର ଅଭିନୟ କରିବା ନିଶା । ନିଜ କର୍ମମୟ ଜୀବନ ଉପରେ ତ୍ରୁଟି ଦିନରେ ଟିକେ ସମୟ ପାଇଲେ ନିଜକୁ ସେ ମନୋରଞ୍ଜନ କାର୍ୟ୍ୟକ୍ରମରେ ହଜେଇ ଦିଅନ୍ତି। ସେ କହନ୍ତି ନିଜକୁ ସୁସ୍ଥ ରଖିବାକୁ ହେଲେ ବା ମାନସିକ ଚାପରୁ ମୁକ୍ତ ରଖିବାକୁ ହେଲେ ନିଜର କିଛି ସମୟ କାଢି ମନୋରଞ୍ଜନ ଭିତ୍ତିକ କାର୍ଯ୍ଯକ୍ରମରେ ଯୋଗ ଦେବା ଉଚିତ। ସାନ ବେଳୁ ତାଙ୍କର ଅଭିନୟ କରିବାର ରୁଚି ଥିଲା । ଦୀର୍ଘ ୧୨ ବର୍ଷ ହେବ ବାଲେଶ୍ଵର ଅଗ୍ରଣୀ ନାଟ୍ୟସଂସ୍ଥା ‘ କଳାକାର‘ ସହିତ ଜଡ଼ିତ ଅଛନ୍ତି । ରୂପସା ଏବଂ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ତରଫରୁ ଜିକେଏସ ଓ ଆଶା ସମ୍ମିଳନୀରେ ନିଜ ଷ୍ଟାଫ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ଭିତ୍ତିକ କ୍ଷୁଦ୍ର ନାଟକ ପରିବେଷଣ କରି ଲୋକଙ୍କୁ ରୋଗ ବିଷୟରେ ଓ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ଯକ୍ରମ ବିଷୟରେ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି। କଳାକାର ନାଟ୍ୟ ଅନୁଷ୍ଟାନକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନୁକୂଲ୍ୟରେ ବାଲେଶ୍ଵର, କଟକ, ଭୁବନେଶ୍ଵର, ପୁରୀ, ଦାମନଯୋଡି, ରାଉରକେଲା, ଭଦ୍ରକ ଓ ବାରିପଦାର ବିଭିନ୍ନ ମଞ୍ଚରେ ନାଟକ ପରିବେଷଣ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । କର୍ମଦାର ଶ୍ରଦ୍ଧା କ୍ରିଏଟିଭ ଆର୍ଟସ ତରଫରୁ ତାଙ୍କୁ ସମ୍ମାନିତ କରଯାଇଥିଲା । ସେ ହିନ୍ଦୀ,ବେଙ୍ଗଲି ଓ ଓଡିଆରେ ୩ଟି ସର୍ଟ ଫିଲ୍ମରେ ଓ ୮୦ରୁ ଉର୍ଧ୍ଵ ନାଟକରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ‘ପବିତ୍ର ପାପି‘ ‘ବେକାରି’, ‘ଝମେଲା’, ‘ଆକାଶରେ କାଳିଦାସ’ , ‘ପରମାନନ୍ଦ ମୋଦକ‘ , ‘ଶ୍ରୀମତୀ‘ , ‘ଠକ ଡାକ୍ତରଙ୍କୁ ଦୁରୂ ଜୁହାର’ , ‘ସୂର୍ଯ୍ଯ ପରାଗ’ , ‘କୁକୁର ପ୍ରତି ସାବଧାନ’, ‘ନ୍ୟାୟ’,  ‘ ଭିନ୍ନ ଏକ ବାସୁଦେବ ଅନ୍ୟ ଏକ ଦେବକୀ’ , ‘ମା ଓ ମମତା’  ଏବଂ ‘ ଦିନରେ ଶେଷେ’ ଇତ୍ୟାଦିରେ ନିଜର ଅଭିନୟ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ କରିବାର ପ୍ରୟାସ ଜାରି ରଖିଛନ୍ତି ।

Leave a comment