ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତ ଦେବା ନାମରେ ଲୁଟୁଛନ୍ତି ଘରୋଇ ହସ୍‌ପିଟାଲ୍‌, ଚଢ଼ା ଦରରେ ବିକ୍ରି ହେଉଛି ବିରଳ ଗ୍ରୁପ୍‌‌ ରକ୍ତ

ନିୟମ ବଦଳାଉଛନ୍ତି ଘରୋଇ ଡାକ୍ତରଖାନା, ସରକାରୀ ଭଣ୍ଡାରର ରକ୍ତ ନେବାକୁ ଅମଙ୍ଗ

ଭୁବନେଶ୍ୱର : ରକ୍ତଦାନ ମହତ ଦାନ। ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେଉଥିବା ଲୋକଙ୍କ ଅଭାବ ନାହିଁ। କିନ୍ତୁ ଘରୋଇ ଡାକ୍ତରଖାନାରେ ରକ୍ତର ବେପାର ଚାଲିଥିବା ଜଣାପଡ଼ିଛି। ୟୁନିଟ୍‌‌ ପିଛା ୨ ହଜାରରୁ ୫ ହଜାର ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହେଉଛି। ଗୋଟିଏ ଘରୋଇ ଡାକ୍ତରଖାନା କହୁଛି ଆମେ ବାହାରୁ ଆସିଥିବା ରକ୍ତଦାତାଙ୍କ ରକ୍ତ ନେଇ ପାରିବୁ ନାହିଁ, ଅନ୍ୟ ଡାକ୍ତରଖାନାରେ କୁହାଯାଉଛି ଆମେ ରକ୍ତଦାତାଙ୍କ ଠାରୁ ରକ୍ତ ନେବୁ ଆଉ ହଜାର ହଜାର ଟଙ୍କା ବି ନେବୁ। ଆଉ କିଛି ଘରୋଇ ଡାକ୍ତରଖାନାରେ ରକ୍ତ ଭଣ୍ଡାର ନଥିବା ବେଳେ ସେଠାରେ ଦଲାଲ୍‌‌ ମାତିଛନ୍ତି। ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ ରକ୍ତ ଯୋଗାଇ ଦେବା ନାମରେ ଅର୍ଥ ଶୋଷଣକରାଯାଉଥିବା ଅଭିଯୋଗ ହେଉଛି। ତେବେ କର୍ତ୍ତୃପକ୍ଷ କହିଛନ୍ତି ରକ୍ତ ଦେବା ନାମରେ ଶୋଷଣ କରୁଥିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ।

ଅଭିଯୋଗ ଅନୁସାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଆବଶ୍ୟକତାକୁ ଦେଖି ସମ୍ପୃକ୍ତ ଡାକ୍ତରଖାନା ପକ୍ଷରୁ ନିଜର ରକ୍ତ ଭଣ୍ଡାରରୁ ତୁରନ୍ତ ରକ୍ତ ଯୋଗାଇ ଦିଆଯାଉଛି। ଏଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଏହା ପରେ ଆରମ୍ଭ ହେଉଛି କାରସାଦି। କିଛି ଘରୋଇ ହସ୍ପିଟାଲ ଦେଇଥିବା ରକ୍ତ ବଦଳରେ ରକ୍ତଦାତା ଆଣି ନେଇଥିବା ରକ୍ତର ଭରଣା କରିବା ପାଇଁ ରୋଗୀ ସମ୍ପର୍କୀୟଙ୍କୁ କହୁଛନ୍ତି। କିନ୍ତୁ ସରକାରୀ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେଲେ ତାହା ଗ୍ରହଣ କରିବା ପାଇଁ ସଫା ସଫା ମନା କରି ଦେଉଛନ୍ତି। ଏପରି ଅବସ୍ଥାରେ ରକ୍ତଦାତା ଯୋଗାଡ଼ କରି ନପାରିଲେ ୧୭୦୦ରୁ ୨୦୦୦ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

ସେହିପରି ଆଉ କିଛି ହସ୍ପିଟାଲ ବାହାରୁ ଆସିଥିବା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରୁଛନ୍ତି, କିନ୍ତୁ ପ୍ରତି ୟୁନିଟ୍‌‌ ସଂଗ୍ରହ ପାଇଁ ୨୪୦୦ ଟଙ୍କା ନେଉଛନ୍ତି। ଅନେକ ଘରୋଇ ହସ୍ପିଟାଲ ଅଛି ଯାହାଙ୍କର ନିଜସ୍ୱ ରକ୍ତ ଭଣ୍ଡାର ନାହିଁ। ସେଠାରେ ଦଲାଲ୍‌‌ ବେଶ୍‌‌ ସକ୍ରିୟ। ସମ୍ପୃକ୍ତ ହସ୍ପିଟାଲ ସହିତ ହାତ ମିଳାଇ ରୋଗୀ ସର୍ମ୍ପକୀୟଙ୍କୁ ଲୁଟିବା ପାଇଁ ପୂରା ବନ୍ଦୋବସ୍ତ କରି ଦେଉଛନ୍ତି। ସମ୍ପୃକ୍ତ ହସ୍ପିଟାଲ ରୋଗୀଙ୍କୁ ନିଜ ପାଖରେ ପୂର୍ବରୁ ପ୍ରସ୍ତୁତ ଥିବା ରକ୍ତ ଦେଉଛନ୍ତି। ତାହା ଠିକ୍‌‌ ଭାବେ ପରୀକ୍ଷା ହୋଇଛି ନାହିଁ ତାହା ଜାଣିବାର ରୋଗୀ ସମ୍ପର୍କୀୟଙ୍କ ନିକଟରେ ଅବକାଶ ନାହିଁ। ଏପରି ଅବସ୍ଥାରେ ୨ ହଜାରରୁ ୪ ହଜାର ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହେଉଛି। ଯଦି ନେଗେଟିଭ୍‌‌ ଗ୍ରୁପ୍‌‌ର ରକ୍ତ ଦରକାର ତା ହେଲେ କଥା ସରିଲା। ବେଶ୍‌‌ ଚଢ଼ା ଦରରେ ରକ୍ତ ବିକ୍ରି ହେଉଛି। ବିଶେଷକରି ଏବି ନେଗେଟିଭ୍‌‌, ଏ ଓ ବି ନେଗେଟିଭ୍‌‌ ଏବଂ ବମ୍ବେ ଫେନୋଟାଇପ୍‌‌ ଗ୍ରୁପ୍‌‌ର ରକ୍ତ ଦାମ ଢ଼େର ଅଧିକ। ରେକର୍ଡ ପରିମାଣର ରକ୍ତଦାନ କରିଥିବା ଗୋପି ପଟ୍ଟନାୟକ କହିଛନ୍ତି, ଅଧିକାଂଶ ଘରୋଇ ଡାକ୍ତରଖାନାରେ ରକ୍ତର କଳାବଜାରୀ କରାଯାଉଛି।

ଦୁଃସମୟରେ ରୋଗୀ ସମ୍ପର୍କୀୟଙ୍କୁ ଶୋଷଣ କରାଯାଉଛି। ପରିସ୍ଥିତି ଏବଂ ରକ୍ତର ଗ୍ରୁପ୍‌‌ ଦେଖି ମୂଲ୍ୟ ଧାର୍ଯ୍ୟ କରାଯାଉଛି। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସମ୍ପର୍କୀୟ ମାନେ ଏ ସମ୍ପର୍କରେ ଅଧିକ ଯୁକ୍ତତର୍କ କରିବା ବଦଳରେ ରକ୍ତ ପାଇଁ ଟଙ୍କା ଦାଖଲ କରିଦେବାକୁ ଶ୍ରେୟସ୍କର ମଣୁଛନ୍ତି। ଅଭିଯୋଗ କରିବା ସମ୍ପର୍କରେ ବି ସଚେତନତାର ଅଭାବ ରହିଛି। ଅଧିକାଂଶ ଘରୋଇ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ କିମ୍ବା ବିଏମ୍‌‌ସି ହସ୍ପିଟାଲ ରକ୍ତ ଭଣ୍ଡାରରୁ ରକ୍ତ ନେବାକୁ ରାଜି ହେଉନାହାନ୍ତି। ସରକାରୀ ରକ୍ତ ଭଣ୍ଡାରରେ ରୋଗୀଙ୍କୁ ରକ୍ତ ଦେବା ପୂର୍ବରୁ ଅତ୍ୟାଧୁନିକ ପଦ୍ଧତ୍ତିରେ ଭଲ ଭାବେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଛି। ତା ସତ୍ତ୍ବେ ବି ରକ୍ତ ଠିକ୍‌‌ ଭାବେ ପରୀକ୍ଷା ହୋଇ ନାହିଁ ବାହାନା କରି ସରକାରୀ ରକ୍ତ ଭଣ୍ଡାରରୁ ଅଣାଯାଇଥିବା ରକ୍ତ ନେବାକୁ ମନା କରି ଦେଉଛନ୍ତି ଆଉ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରି ନଜ ପାଖରେ ଥିବା ରକ୍ତ ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅପରପକ୍ଷେ ସ୍ୱାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷ କହିଛନ୍ତି ସମଗ୍ର ଦେଶରେ ଓଡ଼ିଶାରେ ରକ୍ତର ମୂଲ୍ୟ ସବୁଠାରୁ କମ୍‌‌ ରଖାଯାଇଛି। କୌଣସି ଘରୋଇ ଡାକ୍ତରଖାନା ଅବା ରକ୍ତ ଭଣ୍ଡାର ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କା ଆଦାୟ କରିପାରିବେ ନାହିଁ। କିଛି ଘରୋଇ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ଆଇଡି -ନାଟ୍‌‌ ପରୀକ୍ଷା ବ୍ୟବସ୍ଥା ଥିବାରୁ ୟୁନିଟ୍‌‌ ପିଛା ୨୨୦୦ ଟଙ୍କା ଆଦାୟ ପାଇଁ ଅନୁମତି ରହିଛି। କିନ୍ତୁ ଏହା ସତ୍ୟ ଯେ ରକ୍ତ ଭଣ୍ଡାର ନଥିବା ଘରୋଇ ଡାକ୍ତରଖାନାରେ ଦଲାଲ୍‌‌ଙ୍କ ସହାୟତାରେ ରକ୍ତ ଯୋଗାଡ଼ କରି ଅର୍ଥ ଆଦାୟ କରାଯାଉଛି। ଏ ସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.