ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସର୍ବାଧିକ ଭଡ଼ା ଧାର୍ଯ୍ୟ କରି ଭୁଲିଗଲା ପରିବହନ ବିଭାଗ : ରୋଗ ଯନ୍ତ୍ରଣା ଠାରୁ ବଳିଯାଉଛି ଘରୋଇ ଆମ୍ବୁଲାନ୍ସ ଭଡ଼ା

ଭୁବନେଶ୍ୱର : ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ବାଧୁନାହିଁ। ତାକୁ ବଳି ଯାଉଛି ଆମ୍ବୁଲାନ୍ସ ଯନ୍ତ୍ରଣା। ରୋଗୀଟିଏ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତଳିତଳାନ୍ତ ହୋଇଯାଉଛି। ରାଜ୍ୟର ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଅବସ୍ତା ନକହିବା ଭଲ। ଆମ୍ବୁଲାନ୍ସ ଚାଳକ ସର୍ବସ୍ୱ ଲୁଟି ନେଉଛନ୍ତି। ଯାହା ପାଟିରୁ ବାହାରିଲା, ସେହି ରେଟ୍‍ ଦେବାକୁ ବାଧ୍ୟ। ଅଧିକ ଅର୍ଥ ଦାବି କଲେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମଧ୍ୟ କହିଥିଲା। କିନ୍ତୁ କିଛି ହେଲା ନାହିଁ। ଏଥିରେ ଘରୋଇ ଆମ୍ବୁଲାନ୍ସର କିଛି ଦୋଷ ନାହିଁ। କାରଣ ପରିବହନ ବିଭାଗ ଆମ୍ବୁଲାନ୍ସ ମୂଲ୍ୟ ଧାଟ୍ୟ କରି ଭୁଲିଗଲେ। ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ତାଦରଖ କରିବାକୁ ବିଭାଗ ଜରୁରୀ ବୋଲି ଭାବୁନାହିଁ। ଯନ୍ତ୍ରଣାରେ ଛଟପଟ ହେଉଥିବା ବିଚରା ରୋଗୀ ଓ ତାଙ୍କ ସମ୍ପର୍କିୟ କେମିତି ଆମ୍ବୁଲାନ୍ସ ଚାଳକଙ୍କ ସହ ମୂଲଚାଲ କରିବାକୁ ମଧ୍ୟ ଅସମର୍ଥ। କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉ ଥିବାବେଳେ ଘରୋଇ ଆମ୍ବୁଲାନ୍ସ ମାଲିକଙ୍କ ଶୋଷଣ କମିବା ବଦଳରେ ବଢ଼଼ି ବଢ଼଼ି ଚାଲିଛି। ଅନ୍ୟପଟେ ନିଶା ସେବନ କରି ଆମ୍ବୁଲାନ୍ସ ଚଳାଉଥିବା ଅଭିଯୋଗ ମଧ୍ୟ କିଛି କମ୍‍ ନାହିଁ।

ଆମ୍ବୁଲାନ୍ସ ସେବା ଏବେ ସୁନା ଅଣ୍ଡାଦିଆ କୁକୁଡ଼ା ସଦୃଶ ହୋଇଛି। ୮/୧୦ କିମି ଯାତ୍ରା ପାଇଁ ୧୦/୧୫ ହଜାର ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି। ଜୀବନରକ୍ଷାକାରୀ ସେବା ପ୍ରଦାନ କରୁଥିବାରୁ ଆମ୍ବୁଲାନ୍ସ ପାଇଁ ଅନେକ ନିୟମ କୋହଳ କରାଯାଇଛି। କିନ୍ତୁ ଅନ୍ୟ ସେବା ଠାରୁ ଆମ୍ବୁଲାନ୍ସ ଭଡ଼ା ବେଶ୍‍ ବାଧୁଛି। ଏ ନେଇ ଦୈନିକ ‘ସକାଳ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଗୁରୁତ୍ୱକୁ ଉପଲବ୍ଧି କରି ଗତବର୍ଷ ମାର୍ଚ୍ଚ ମାସରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‍ଟିଏ) ଘରୋଇ ଆମ୍ବୁଲାନ୍ସ ସର୍ବାଧିକ ଭଡ଼ା ଧାର୍ଯ୍ୟ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ପେସେଣ୍ଟ ଟ୍ରାନ୍ସପୋର୍ଟ ଆମ୍ବୁଲାନ୍ସ (ପିଟିଏ), ବେସିକ୍‍ ଲାଇଫ୍‍ ସପୋର୍ଟ (ବିଏଲ୍‍ଏସ୍‍) ଏବଂ ଆଡ୍‍ଭାନ୍ସ ଲାଇଫ୍‍ ସପୋର୍ଟ (ଏଏଲ୍‍ଏସ୍‍) ଆମ୍ବୁଲାନ୍ସ ପାଇଁ କିଲୋମିଟର୍‍ ପିଛା ଦେୟ ଧାର୍ଯ୍ୟ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପେସେ ଟ୍ରାନ୍ସପୋର୍ଟ ଆମ୍ବୁଲାନ୍ସ (ସାଧାରଣ) ଭାବେ ବ୍ୟବହାର ହେଉଥିବା ଗାଡ଼ିର ମୂଲ୍ୟ ଯଦି ୮ ଲକ୍ଷ ଟଙ୍କାରୁ କମ୍‍ ହୋଇଥିବା ତା ହେଲେ ୧୦ କିମି ମଧ୍ୟରେ ଯାତ୍ରା ପାଇଁ ସର୍ବାଧିକ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି। ମାରୁତି ଓମ୍‍ନି, ଟାଟା ମ୍ୟାଜିକ୍‍, ମାରୁତି ଇକୋ ଆଦି ମଡେଲର ଗାଡ଼ି ପାଇଁ ଏହି ଧାର୍ଯ୍ୟ ପ୍ରଯୁଜ୍ୟ ହେବ। ଗାଡ଼ିର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲେ (ବୋଲେରୋ କିମ୍ବା ଅନୁରୂପ ଗାଡ଼ି) ୧୦ କିମି ମଧ୍ୟରେ ଯାତ୍ରା ପାଇଁ ୧୦୦୦ ଟଙ୍କା ଏବଂ ୧୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲେ (ୱିଙ୍ଗର, ଫୋର୍ସ ଟ୍ରାଭେଲର୍‍, ଟାଟା ୪୦୭) ୧୨୫୦ ଟଙ୍କା ଭଡ଼ା ବାବଦରେ ସଂଗ୍ରହ କରାଯାଇପାରିବ। ୧୦ କିମି ପରେ ପ୍ରତି କିଲୋ ମିଟର୍‍ ପିଛା ୩୦ ଟଙ୍କା ଭଡ଼ା ରୋଗୀଙ୍କୁ ଦେବାକୁ ହେବ।

ସେହିପରି ୮ ଲକ୍ଷ ଟଙ୍କାରୁ କମ୍‍ ମୂଲ୍ୟର ବେସିକ୍‍ ଲାଇଫ୍‍ ସପୋର୍ଟ ଥିବା ଆମ୍ବୁଲାନ୍ସ (ବିଏଲ୍‍ଏସ୍‍) ୧୦ କିମି ଭଡ଼ା ୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇ ଥିବା ବେଳେ ୮ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଆମ୍ବୁଲାନ୍ସ ପାଇଁ ୧୫୦୦ ଟଙ୍କା ଏବଂ ତଦୁର୍ଦ୍ଧ ମୂଲ୍ୟର ଆମ୍ବୁଲାନ୍ସ ପାଇଁ ଦୁଇ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବର୍ଗର ଆମ୍ବୁଲାନ୍ସ ୧୦ କିମିରୁ ଅଧିକ ଯାତ୍ରା କଲେ କିମି ପିଛା ୫୦ ଟଙ୍କା ଦେବାକୁ ହେବ। ଅପରପକ୍ଷେ ଆଡଭାନ୍ସ ଲାଇଫ୍‍ ସପୋର୍ଟ (ଏଏଲ୍‍ଏସ୍‍) ଗାଡ଼ି (ୱିଙ୍ଗର, ଫୋର୍ସ ଟ୍ରାଭେଲର୍‍, ଟାଟା ୪୦୭) ଦେୟ ୩୦୦୦ ଟଙ୍କା ଧାର୍ଯ୍ୟ ହୋଇଛି। ୧୦ କିମି ପରେ ପ୍ରତି କିମି ପିଛା ୫୦ ଟଙ୍କା ଭଡ଼ା ଆଦାୟ ହୋଇପାରିବ। ବିଭାଗ ପକ୍ଷରୁ ସ୍ଥିତିକୃତ ଉପରୋକ୍ତ ଭଡ଼ାରେ ଅକ୍ସିଜେନ୍‍, ଆମ୍ବୁଲାନ୍ସର ସମସ୍ତ ଉପକରଣ, ପିପିଇ କିଟ୍‍, ଗ୍ଲୋବ୍ସ, ଚଷମା, ଫେସ୍‍ ସିଲ୍ଡ, ସାନିଟେସନ୍‍, ଚାଳକ, ଆବଶ୍ୟକ ସ୍ଥଳେ ଜରୁରୀ କାଳୀନ ମେଡିକାଲ୍‍ ଟେକ୍ନିସିଆନ୍‍ ଆଦିର ମୂଲ୍ୟ ଅନ୍ତର୍ଭୁକ୍ତ। ଏଥିପାଇଁ ଧାର୍ଯ୍ୟ ଭଡ଼ାରୁ ଅଧିକ ଅର୍ଥ ଦାବି କରାଯାଇ ପାରିବ ନାହିଁ। ଏହା ବ୍ୟତୀତ ବାଟରେ ଯଦି ରୋଗୀଙ୍କର କୌଣସି ଇଞ୍ଜେକ୍ସନ୍‍, ଔଷଧ ଆବଶ୍ୟକ ପଡ଼େ ତେବେ ତାହାର ଦେୟ ଅଲଗା ରହିବ। ଇନ୍ଧନ ମଲ୍ୟ ବୃଦ୍ଧି ଦୃଷ୍ଟିରୁ ବିଭିନ୍ନ ବର୍ଗର ଆମ୍ବୁଲାନ୍ସ ଦେୟରେ ସଂଶୋଧନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ପରିବହନ କମିସନର ନିଷ୍ପି ଗ୍ରହଣ କରିବେ। ତେବେ ଘରୋଇ ଆମ୍ବୁଲାନ୍ସ ଏହା ଠାରୁ ଅଧିକ ଅର୍ଥ ଦାବି କଲେ ମୋଟର ଯାନ ଆଇନ ୧୯୮୮ର ଧାରା ୭୨/୧୯୨ଏ ଅନୁଯାୟୀ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଥିଲା। କିନ୍ତୁ ବାସ୍ତବତା ହେଉଛି ନିର୍ଦ୍ଦେଶ ଜାରି କରି ବିଭାଗ ଚୁପ୍‍ ବସିଛି ଆଉ ଜନସାଧାରଣ ଶୋଷଣର ଶିକାର ହୋଇଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି।

Leave A Reply

Your email address will not be published.