ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କୁ ଜାନୁଆରୀ ୧୦ରୁ ଦିଆଯିବ ବୁଷ୍ଟର ଡୋଜ

ନୂଆଦିଲ୍ଲୀ : ଦେଶର ସାଂପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି କେନ୍ଦ୍ର ସରକାର ନେଇଥିବା ନୂଆ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏବେ ସାରା ଦେଶରେ କରୋନ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧି ବିଭିନ୍ନ ମହଲରେ ଚିନ୍ତା ବଢାଇଛି। ଦିନକୁ ଦିନ ବିଭିନ୍ନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ଚାଲିଛି। ସେପଟେ ୟୁରୋପ ଏବଂ ଆମେରିକାରେ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନେଇ ଚତୁର୍ଥ ଲହର ଆରମ୍ଭ ହୋଇଥିଲା ବେଳେ ଆମକୁ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହିତ ଆବଶ୍ୟକ କଟକଣା ମାନିବାକୁ ପଡ଼ିବ ବୋଲି ମୋଦୀ ଗୁରୁତ୍ବାରୋପ କରିଛନ୍ତି।

ସଂକ୍ରମଣ ରୋକିବା ନେଇ ଆସନ୍ତା ଜାନୁଆରୀ ୩ ତାରିଖରୁ ୧୫ ବର୍ଷରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି। ୧୨ ରୁ ୮ ବର୍ଷ ବୟସ୍କଙ୍କ ପାଇଁ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନ ଟିକାକୁ ଡିସିଜିଆଇ ସ୍ବୀକୃତି ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଘୋଷଣା କରିଛନ୍ତି। ସେହିପରି ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ବୟସାଧିକ ଲୋକଙ୍କ ପାଇଁ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ( ପ୍ରିକସନ ଡୋଜ୍‌) ମଧ୍ୟ ଆରମ୍ଭ କରାଯିବ ବୋଲି ମୋଦୀ କହିଛନ୍ତି। ସାଂପ୍ରତିକ ସ୍ଥିତିକୁ ନେଇ ଦେଶବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ, ବରଂ ଟିକାକରଣ ସହିତ ବ୍ୟକ୍ତିଗତ ସ୍ତରରେ କରୋନା କଟକଣାର ସଠିକ ନିୟମ ପାଳନ ସମ୍ଭାବ୍ୟ ବିପଦରୁ ମୁକ୍ତି ଦେଇପାରିବ ବୋଲି ମୋଦୀ କହିଛନ୍ତି।

କରୋନା ମୁକାବିଲା କରିବା କ୍ଷେତ୍ରରେ ଦେଶର ସ୍ବାସ୍ଥ୍ୟ ଭତ୍ତିଭୂମି ସମ୍ପର୍କରେ ଉଲ୍ଳେଖ କରି ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଆମ ନିକଟରେ ପୂର୍ବାପେକ୍ଷା ଯଥେଷ୍ଟ ସମ୍ବଳ ରହିଛି। ଦେଶର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ୧୮ ଲକ୍ଷ ଆଇସୋଲେସନ ସେଣ୍ଟର ରହିଥିଲା ବେଳେ ୫ ଲକ୍ଷ ଅକ୍ସିଜେନ୍ ସଂଯୋଜିତ ବେଡ୍ ରହିଛି। ସେହିପରି ୧.୪ ଲକ୍ଷ ଆଇସିୟୁ ବେଡ୍‌ ସହିତ ଶିଶୁଙ୍କ ଚିକିତ୍ସା ପାଇଁ ମଧ୍ୟ ୯୦ ହଜାର ବେଡ୍‌ ଉପଲବ୍ଧ କରାଯାଇଛି। ସାରା ଦେଶରେ ପର୍ଯ୍ୟାପ୍ତ ଅକ୍ସିଜେନ ଉପଲବ୍ଧ କରିବା ପାଇଁ ୩ ହଜାରରୁ ଅଧିକ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇସାରିଛି। ସେହିପରି ଜାତୀୟ ସ୍ତରରେ ୪ ଲକ୍ଷ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଯୋଗାଇ ଦିଆଯାଇଛି। ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନେଇ ବର୍ତ୍ତମାନ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଚିନ୍ତା ବଢିଥିଲା ବେଳେ ଆମକୁ ମଧ୍ୟ ଏଥିପାଇଁ ସତର୍କ ରହିବାକୁ ପଡ଼ିବ। କିନ୍ତୁ ଟିକାକରଣ ଏବଂ କରୋନା ନିୟମର ସଠିକ ପାଳନ ଆମ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି।

ଉଲ୍ଳେଖଯୋଗ୍ୟ ଯେ, ଦେଶରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ପରେ ବିଭିନ୍ନ ମହଲରେ ଚିନ୍ତା ବଢିବା ସହିତ ଖୁବଶୀଘ୍ର ଦେଶରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥିଲେ। ଏହାକୁ ନେଇ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ବିଶେଜ୍ଞେମାନଙ୍କ ସମେତ କେନ୍ଦ୍ରୀୟ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରିଥିଲେ।

Leave A Reply

Your email address will not be published.