ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତିସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଙ୍ଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ୱାସ୍ଥ୍ୟ ସେବା ଓ ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ଆରୋପ କରି ଏସବୁର ଉତ୍ତମ ପରିଚାଳନା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆରେ ଅଧିକ ସଂଙ୍ଖ୍ୟକ ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାଇଓ ଟଏଲେଟ୍ ଆଦି ଲଗାଇବାକୁ କଟକ ପୌର ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ କୁହାଯାଇଥିଲା ।

ଯାତ୍ରା ପଡିଆରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ଶ୍ରୀ ମହାପାତ୍ର ବିତରକ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡା ଏବଂ ଡେଜର୍ଟ ବାଇକ୍ ରାଇଡ଼ିଂ ଆଦିର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥଇଲା । ଏ ବର୍ଷ ଅଧିକ ସଂଙ୍ଖ୍ୟକ ଲୋକ କଳା, ସଂଗୀତ ଏବଂ ନୃତ୍ୟ ଟ୍ରୁପ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ । ଏନ୍.ଜି.ଟି.ର ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ, ପୁର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ପ୍ରାୟ ୧୫.୩୫ କୋଟି ଟଙ୍କା ଖର୍ଚ୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ବିଷୟରେ ଆଲୋଚନା ହୋଇଥିଲା ।

କଟକର ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ଉନ୍ନୟନ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଅନିଲ୍ କୁମାର ସାମଲ, କଟକ ପୌର ପରିଷଦ କମିଶନର ନିଖିଲ ପବନ କଲ୍ୟାଣ, ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.