ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ପୂର୍ବରୁ ବନ୍ଧାହେବେ ୬୯

ଭୁବନେଶ୍ୱର : ମାର୍ଚ୍ଚ ୨୪ରେ ରାଜ୍ୟବ୍ୟାପୀ ପୌର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ରାଜ୍ୟ ନିର୍ବାଚନ କମିସନ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହାକୁ ନଜରରେ ରଖି ରାଜଧାନୀରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନିର୍ବାଚନ ପୂର୍ବରୁ ପୁଲିସ ଗିରଫ କରି ଜେଲ୍‍କୁ ପଠାଯିବ। ଯେଉଁମାନଙ୍କ ନାମରେ ଏକାଧିକ ସାଂଘାତିକ ମାମଲା ରହିଛି ସେମାନଙ୍କ ବିରୋଧରେ ପୁଲିସ ୧୧୦ ଦଫା ଲଗାଇବ ବୋଲି କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ଏବେ ୬୯ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ତଥ୍ୟ ଅନୁସାରେ, ୫ବର୍ଷ ମଧ୍ୟରେ ରାଜଧାନୀର ୨୧ଟି ଥାନା ପୁଲିସ ଡିସିପିଙ୍କୁ ୬୯ଜଣ ପେସାଦାର ଅପରାଧୀଙ୍କ ତାଲିକା ଦେଇଛନ୍ତି। ସର୍ବାଧିକ ଖଣ୍ଡଗିରି ଥାନା ଅଞ୍ଚଳରେ ୧୪ଜଣ ପେସାଦାର ଅପରାଧୀ ଥିବା ବେଳେ ନୂଆପଲ୍ଲୀ ଥାନା ଅଞ୍ଚଳରେ ୫ଜଣ ପେସାଦାର ଅପରାଧୀ ଅଛନ୍ତି। ଏୟାରପୋର୍ଟ ଥାନା ଅଞ୍ଚଳରେ ୪ଜଣ ଥିବା ବେଳେ ଜଟଣୀ ଥାନା ଅଞ୍ଚଳରେ ୧୦ ଜଣ ପେସାଦାର ଅପରାଧୀ ଅଛନ୍ତି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨ଜଣ ରହିଥିବା ବେଳେ ସହୀଦନଗର ଥାନା ଅଞ୍ଚଳରେ ୮ଜଣ ରହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁର ଥାନାରେ ୫ଜଣ ରହିଥିବା ବେଳେ କ୍ୟାପିଟାଲ ଥାନା ଅଞ୍ଚଳରେ ୭ଜଣ ଏବଂ ଏୟାରଫିଲ୍ଡ ଥାନା ଅଞ୍ଚଳରେ ୩ଜଣ ପେସାଦାର ଅପରାଧୀ ଥିବା ଜଣାପଡ଼ିଛି। ସେହିପରି ତମାଣ୍ଡେ ଥାନା ଅଞ୍ଚଳରେ ୬ଜଣ ଥିବା ବେଳେ ବାଲିଅନ୍ତା ଥାନା ଅଞ୍ଚଳରେ ୨ଜଣ ଏବହ ବାଲିପାଟଣା ଥାନା ଅଞ୍ଚଳରେ ୩ଜଣ ପେସାଦାର ଅପରାଧୀ ଥିବା ରେକର୍ଡରୁ ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ଇନ୍‍ଫୋସିଟି ଥାନା,ବଡ଼ଗଡ଼ ଥାନା,ଖାରବେଳନଗର ଥାନା,ଲିଙ୍ଗରାଜ ଥାନା,ମହିଳା ଥାନା,ନନ୍ଦନକାନନ ଥାନା,ଧଉଳି ଥାନା ଏବଂ ଚନ୍ଦକା ଆଦି ୯ଟି ଥାନା ଅଞ୍ଚଳରେ କୌଣସି ପେସାଦାର ଅପରାଧୀ ନ ଥିବା ପୁଲିସ ଠାରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।

ଜାମିନରେ ବାହାରୁଥିବା ଅପରାଧୀଙ୍କ ହେଉନି ମନିଟରିଂ

ପ୍ରତିଦିନ ରାଜଧାନୀର ବିଭିନ୍ନ ଥାନାରୁ ଏକାଧିକ ଅପରାଧୀ ଗିରଫ ହୋଇ ଜେଲ ପଠାଯାଉଛି। ସେମାନଙ୍କ ମଧ୍ୟରୁ କେଉଁମାନେ କୁଖ୍ୟାତ ଅପରାଧୀ ସେମାନଙ୍କ ତାଲିକା ପ୍ରସ୍ତୁତ କରୁନି ପୁଲିସ। ଏପରିକି ଯେଉଁମାନଙ୍କ ନାମ ମୋଷ୍ଟ ୱାଣ୍ଟେଡ୍‍ ଅପରାଧୀ ତାଲିକାରେ ରହିଥିବା ସେମାନଙ୍କ ଉପରେ ପୁଲିସ ନଜର ରଖିବା ପାଇଁ ମନଟରିଂ କରାଯାଇଥାଏ। ଏହି ଅପରାଧୀ ଜେଲରୁ ଜାମିନରେ ବାହାରିବା ପରେ ତା ଉପରେ ଏହି ମନିଟରିଂ ଟିମ୍‍ ନଜର ରଖିଥାଏ। ଏଠାରେ ତାହା ହେଉ ନ ଥିବାରୁ ସେମାନେ ପରବର୍ତ୍ତୀ ଅପରାଧ ଘଟାଇବାକୁ ସାହସକୁ କରୁଛନ୍ତି।

Leave a comment