ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଉ ଜଣେ ସୁମିତ, ଆଉ ଜଣେ ଡିମ୍ପଲ୍‍: ଶାଶୂ ଘର ଆଗରେ ଧାରଣାରେ ବସିଲେ ଗର୍ଭବତୀ, ଘରେ ତାଲା ପକାଇ ସ୍ୱାମୀ, ଶାଶୂ ଓ ଶଶୁର ଫେରାର୍‍

ଖଣ୍ଡଗିରି: ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ୍‍ ବିବାହ ବିଚ୍ଛେଦ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଭୁବନେଶ୍ୱରର ଡୁମୁଡୁମା ହାଉସିଂ ବୋର୍ଡ ଅଞ୍ଚଳରେ ସମାନଧରଣର ଘଟଣା ଦେଖିବାକୁ ମିଳିଛି। ଶାଶୂଘର ଲୋକେ ବୋହୂକୁ ଗ୍ରହଣ କରୁ ନ ଥିବା ବେଳେ ନ୍ୟାୟ ପାଇବା ପାଇଁ ଶଶୁର ଘର ଆଗରେ ଗର୍ଭବତୀ ବୋହୂ ଧାରଣାରେ ବସିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଅଞ୍ଚଳର ସୁଚିତ୍ରା ପାତ୍ର ଗତବର୍ଷ ମାର୍ଚ୍ଚ ମାସ ୩ ତାରିଖ ଦିନ ଡୁମୁଡୁମା ଫେଜ୍‍ ୨ ପ୍ଲଟ ନମ୍ବର ୫୨୩ର ମନୋରଞ୍ଜନ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପ୍ରଥମେ ସବୁ ଠିକଠାକ ଚାଲିଥିଲା। କିନ୍ତୁ ୪ ମାସ ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ସ୍ୱାମୀ ମନୋରଞ୍ଜନ, ଶାଶୂ ସୁଲୋଚନା ପାତ୍ର, ନଣନ୍ଦ ସସ୍ମିତା ମହାନ୍ତି ଓ ନଣନ୍ଦେଇ ଶିବାନନ୍ଦ ମହାନ୍ତି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସୁଚିତ୍ରାଙ୍କ ମା’ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ। ତେବେ କିଛିଦିନ ଘରେ ରହିବା ପରେ ସମ୍ପର୍କରେ ସୁଧାର ଆଣିବା ପାଇଁ ସୁଚିତ୍ରାଙ୍କ ମାମୁ ମାଇଁ ତାଙ୍କୁ ଆଣି ଡୁମୁଡୁମାସ୍ଥିତ ଶାଶୂ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଲା। ଶାଶୂ ଘର ଲୋକେ ସୁଚିତ୍ରାଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ସହିତ ତାଙ୍କ ବାପା ମା’ଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ।

ଅପରପକ୍ଷରେ ସ୍ୱାମୀ ମନୋରଞ୍ଜନ ଅନ୍ୟ ଜଣେ ଯୁବତୀଙ୍କୁ ଭଲପାଉଥିବା ଜାଣିବା ପରେ ସୁଚିତ୍ରାଙ୍କ କଷ୍ଟ ଦ୍ୱିଗୁଣିତ ହୋଇ ଯାଇଥିଲା। ଯୁବତୀଙ୍କ ସହିତ କଥା ନ ହେବା ପାଇଁ ବାରଣ କରିବାରୁ ସ୍ୱାମୀ ମନୋରଞ୍ଜନ ସୁଚିତ୍ରାଙ୍କୁ ମାଡ଼ ମାରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଶାଶୂ, ନଣନ୍ଦ ଓ ନଣନ୍ଦେଇ ମଧ୍ୟ ମନୋରଞ୍ଜନଙ୍କୁ ସମର୍ଥନ କରିବାକୁ ଯାଇ ସୁଚିତ୍ରାଙ୍କୁ ଅକଥନୀୟ ନିର୍ଯାତନା ଦେଇ ଚାଲିଥିଲେ। ଏପରିକି ସୁଚିତ୍ରାଙ୍କ ଭଣଜା ମଧ୍ୟ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନିର୍ଯାତନା ଦିନକୁ ଦିନ ବଢ଼଼ିବାରୁ ସୁଚିତ୍ରାଙ୍କୁ ବାପ ଘରକୁ ନେଇଯିବା ପାଇଁ ତାଙ୍କ ମା’ ସ୍ଥିର କରିଥିଲେ। ସୁଚିତ୍ରାଙ୍କୁ ନେବା ପାଇଁ ତାଙ୍କ ମା’ ବାଲେଶ୍ୱରରୁ ଆସି ଡୁମୁଡୁମାରେ ପହଞ୍ଚିଥିଲେ। ସୁଚିତ୍ରାଙ୍କ ଶାଶୂ ରାତିରେ ତାଙ୍କୁ ଘରେ ରଖିବା ପରିବର୍ତ୍ତେ ବିଳମ୍ୱିତ ରାତିରେ ଘରୁ ବାହାରିଯିବା ପାଇଁ କହିଥିଲେ। ମା’ଙ୍କୁ ଘରେ ରଖିବାକୁ ମନା କରିଦେବାରୁ ସୁଚିତ୍ରା ବିରୋଧ କରିଥିଲେ। ଫଳରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରିଥିଲେ। ସୁଚିତ୍ରାଙ୍କ ମା ତାଙ୍କୁ ନେଇ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଚାଲି ଯାଇଥିଲେ। ଗୋଟିଏ ପଟରେ ବୈବାହିକ ଜୀବନର ସମସ୍ୟା ଲାଗି ରହିଥିବା ବେଳେ ଅନ୍ୟପଟେ ସୁଚିତ୍ରା ୭ ମାସ ହେବ ଗର୍ଭବତୀ ରହିଛନ୍ତି। ସେ ବାପ ଘରକୁ ଯିବାର ୬ ମାସ ପରେ ମଧ୍ୟ ଶାଶୂ ଘର ଲୋକେ ତାଙ୍କୁ ଯୋଗାଯୋଗ କରି ନ ଥିଲେ। ସୁଚିତ୍ରା ଯୋଗାଯୋଗ କରିବାରୁ ତାଙ୍କୁ ଆଉ ଘରେ ରଖିବେ ନାହିଁ ବୋଲି ଶାଶୂ ରୋକଠୋକ ମନା କରିଦେଇଥିଲେ। ତେବେ ଗତକାଲି ସୁଚିତ୍ରା ଡୁମୁଡୁମା ସ୍ଥିତ ଶାଶୂଘରକୁ ଆସି ଦେଖନ୍ତି ତ ଘର ତାଲା ପକାଇ ପରିବାର ଲୋକ କେଉଁଆଡ଼େ ଚାଲି ଯାଇଛନ୍ତି। ନ୍ୟାୟ ଦାବିରେ ଗତକାଲିଠାରୁ ସୁଚିତ୍ରା ଶାଶୂ ଘର ଆଗରେ ଧାରଣା ଦେଇଛନ୍ତି। ତେବେ ଏନେଇ ସେ ଆଜି ମହିଳା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ସ୍ୱାମୀ, ଶାଶୂ, ନଣନ୍ଦ ଓ ନଣନ୍ଦେଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ମହିଳା ଥାନା ପୁଲିସ ଦଫା ୪୯୮-ଏ, ୩୨୩, ୫୦୬, ୩୯୪ ଓ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ କରୁଛି। ଅପରପକ୍ଷରେ ତାଙ୍କୁ ଘରକୁ ନ ନେବା ଯାଏଁ ସେ ଧାରଣାରେ ବସିବେ ବୋଲି ସୁଚିତ୍ରା କହିଛନ୍ତି।

Leave A Reply

Your email address will not be published.