ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରାକ୍‌ ମୌସୁମୀ ବିତ୍ପାତ, ୩ ରାଜ୍ୟରେ ୫୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମୌସୁମୀ ଭାରତ ଉପକୂଳ ଛୁଇଁବା ପରେ ଏବେ ବିଭିନ୍ନ ରାଜ୍ୟରେ ଗତିଶୀଳ ହେବାରେ ଲାଗିଛି। ଚଳିତ ବର୍ଷ ମୌସୁମୀର ଆଗୁଆ ଆଗମନ କିଛି ରାଜ୍ୟରେ ଲୋକଙ୍କୁ ତାତିରୁ ମୁକ୍ତି ଦେଇଛି। କିନ୍ତୁ ପ୍ରାକ୍‌ ମୌସୁମୀ ପ୍ରଭାବରେ ଏବେ ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତକୁ ନେଇ ବନ୍ୟା ଓ ଭୂ-ସ୍ଖଳନ ଯୋଗୁଁ ଧନଜୀବନ ନଷ୍ଟ ହୋଇଛି। ବିହାର ସମେତ କର୍ଣ୍ଣାଟକ ଏବଂ ଆସାମ ରାଜ୍ୟରେ ସବୁଠୁ ଅଧିକ କ୍ଷୟକ୍ଷତି ଘଟିବା ସହିତ ୫୭ ଜଣଙ୍କ ମୃତ୍ୟୁ ହୋଇଛି।

ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରୀ ପବନ ଏବଂ ବଜ୍ରପାତ ଯୋଗୁଁ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ୧୬ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩୩ ଜଣଙ୍କ ମୃତ୍ୟୁ ହେବା ସହିତ ବହୁ ଘର ନଷ୍ଟ ହୋଇଥିବା ଖବର ମିଳିଛି। ସବୁଠୁ ଅଧିକ ବଜ୍ରପାତ ଘଟଣା ଭାଗଲପୁର ଜିଲ୍ଲାରେ ଘଟିଛି। ଏହି ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ହେବା ସହିତ ମୁଜାଫରପୁର ଜିଲ୍ଲାରେ ୬, ସାରଣରେ ୩ , ଲକିସରାଇରେ ୩, ମୁଙ୍ଗେରରେ ୨, ସମସ୍ତିପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଜହାନାବାଦ, ଖଗାରିଆ, ନାଳନ୍ଦା, ପୁର୍ଣ୍ଣିଆ ଏବଂ ବାଙ୍କା ଜିଲ୍ଲାରେ ମଧ୍ୟ ଗୋଟିଏ ଲେଖାଏଁ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଭଳି ଘଟଣାରେ ଦୁଃଖ ପ୍ରକାଶ କରି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ବିହାର ପରେ କର୍ଣ୍ଣାଟକରେ ବର୍ଷା ବିତ୍ପାତକୁ ନେଇ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଚାନକ ଭାରୀ ବର୍ଷା ଯୋଗୁଁ ବହୁ ସ୍ଥାନରେ ଘର ଭାଙ୍ଗିଯିବା ଯୋଗୁଁ ଶତାଧିକ ଲୋକ ବାସହରା ହୋଇପଡ଼ିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେଗୁଡିକରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ପରେ କେତେକ ସ୍ଥାନରେ ଏନଡିଆରଏଫ ଟିମ୍‌କୁ ମୁତୟନ କରାଯାଇଛି।

ଏହି ଦୁଇଟି ରାଜ୍ୟ ବ୍ୟତୀତ ବର୍ଷା ଏବଂ ବନ୍ୟାକୁ ନେଇ ଆସାମ ରାଜ୍ୟରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ରାଜ୍ୟର ୨୯ ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୭ ଲକ୍ଷରୁ ଅଧିକ ଲୋକ ବିପନ୍ନ ହୋଇପଡ଼ିଛନ୍ତି। ନଗାଁବ ଜିଲ୍ଲାରେ ସବୁଠୁ ଅଧିକ ଭାବେ ୩.୩୬ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଏହାପରେ କଚ୍ଛାର ଜିଲ୍ଲାରେ ୧.୬୬ ଲକ୍ଷ, ହୋଜଇ ଜିଲ୍ଲାରେ ୧.୧୧ ଲକ୍ଷ ଏବଂ ଦରାଂଗ ଜିଲ୍ଲାରେ ପ୍ରାୟ ୬୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଜମୁନାମୁଖ ଜିଲ୍ଲାରେ ୫୦୦ ପରିବାର ଏବେ ରେଳଧାରଣା ତଳେ ଆଶ୍ରୟ ନେଇଛନ୍ତି। ହରିୟାଣାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା ବେଳେ ଶନିବାର ଅନେକ ଜିଲ୍ଲାରେ ଭାରୀ ବର୍ଷା ହୋଇଥିବାର ଖବର ମିଳିଛି। ଅନେକ ସ୍ଥାନରେ ଅଚାନକ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇଯିବାରୁ ଜନଜୀବନ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.